ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ଦାବିରେ ବିକ୍ଷୋଭ
ଭବାନୀପାଟଣା: ଭାରତୀୟ କମୁ୍ୟନିଷ୍ଟ ପାର୍ଟି ପକ୍ଷରୁ ୨୦୦୬ ଜଙ୍ଗଲ ଜମି ଅଧିକାର ଆଇନକୁ କଡ଼ାକଡ଼ି ଲାଗୁ କରିବା ଦାବିରେ କଳାହାଣ୍ଡି ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କାଯାଇଛି । ରାଜ୍ୟ ସମ୍ପାଦକ ଦାମୋଦର ବେହେରାଙ୍କ ନେତୃତ୍ୱରେ ଯେଉଁ ପରିବାର ଭୂମିହୀନ ଓ ଜମିହୀନ ସେହି ପରିବାରଙ୍କୁ ଦଖଲ ଚାଷଜମି ସମେତ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬କୁ କଡ଼ାକଡ଼ି ଭାବେ ପାଳନ କରି ସମସ୍ତ କୃଷକ ପରିବାର ସମେତ ଆଦିବାସୀ ଦଳିତ ବନବାସୀଙ୍କ ପାରମ୍ପାରିକ ଅଧିକାର ଓ ଚାଷ ଉପଯୋଗୀ ଜମିର ସ୍ଥାୟୀ ପଟ୍ଟା ଓ ଘରଡ଼ିହ ନଥିବା ପରିବାରଙ୍କୁ ବସବାସ କରୁଥିବା ଜାଗାର ସ୍ଥାୟୀପଟ୍ଟା ପ୍ରଦାନ ଦାବିରେ ଜିଲ୍ଲାପାଳ ଅଫିସ ଆଗରେ ୩ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସମଗ୍ର ଓଡ଼ିଶାରେ ଭୂମିହୀନ ଓ ଜମିହୀନ ଅନେକ ପରିବାର ରହିଛନ୍ତି । ସେହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ୩୭ ଭାଗ ପରିବାର ଭୂମିହୀନ ଓ ଜମିହୀନ ରହିଛନ୍ତି । ଏ ପର୍ଯ୍ୟନ୍ତ ତାହାର କୌଣସି ସମାଧାନ ହୋଇପାରି ନାହିଁ, ଯାହାଫଳରେ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି । ଦୀର୍ଘ ବର୍ଷଧରି ବସବାସ କରି ଆସୁଥିବା କଲମପୁର ବ୍ଲକ, ବେଲପଡ଼ା ଗାଁର ୮୫ ପରିବାରଙ୍କୁ ଘରଡ଼ିହ ପ୍ରଦାନ, ଯାକମ୍ ଗାଁକୁ ବିଦୁ୍ୟତ୍ ସଂଯୋଗୀକରଣ, ଭୂମିହୀନକୁ ଘରଡ଼ିହ, ଜମିହୀନକୁ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ ଓ ୨୦୦୬ ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଲାଗୁ କରିବା ଦାବିରେ ସିପିଆଇ ଜିଲ୍ଲା ସହ ସମ୍ପାଦକ ସଞ୍ଜୟ ସୁନାନୀ ସମେତ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜଗଦୀଶ ଦୁର୍ଗା, ମାଧବ ଚନ୍ଦ୍ର ସାହୁ, ହିମାଂଶୁ ନାଏକ, ଯଶୋବନ୍ତ ବେମାଲ ପ୍ରମୁଖ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏହାର ସଠିକ୍ ସର୍ଭେ କରି ହିତାଧିକାରୀଙ୍କୁ ଥଇଥାନ କରିବାର ଉପଯୁକ୍ତ ବ୍ୟବସ୍ଥା କରିବା ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତା’ସହିତ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନେ୍ଦାଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ । ଏହି ଆନେ୍ଦାଳନରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟିର କର୍ମକର୍ତ୍ତା ସମେତ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ ।