ଭେଣ୍ଟିଲେଟରରେ ପୀଡ଼ିତା
ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ କଲେଜର କଳଙ୍କିତ ଘଟଣା ସାରା ଓଡ଼ିଶାରେ ଆଲୋଡ଼ନ ସୃଷ୍ଟିକରିଛି । ଜଣେ ଛାତ୍ରୀ ନିଜ ଦେହରେ ନିଅାଁ ଲଗାଇଦେବା ଘଟଣା ରାଜ୍ୟ ରାଜନୀତିରେ ନିଅାଁ ଲଗାଇଦେଇଛି । ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଜି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ବିଜେଡ଼ି, କଂଗ୍ରେସ ଓ ନବନିର୍ମାଣ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ବିଜେଡ଼ି ଓ କଂଗ୍ରେସର ବିକ୍ଷୋଭ ନେଇ ଆଜି କମିଶନରେଟ ପୁଲିସର ନିଦ ହଜି ଯାଇଥିଲା । ଗୋଟିଏ ପଟେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଥିବାରୁ ପୁଲିସ୍ ଜଗି ରହିଥିଲା । ହେଲେ ଅପରପକ୍ଷରେ ହଠାତ୍ ବିଜେଡ଼ି ନେତା ଓ କର୍ମୀମାନେ ବି ମାଡ଼ି ଆସିଥିଲେ । ଫଳରେ ପୁଲିସର ଅକଲଗୁଡ଼ୁମ ହୋଇଯାଇଥିଲା । ଖାଲି ସେତିକିନୁହେଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାସଭବନ ଆଡ଼କୁ ମାଡ଼ିଯାଇଥିଲେ ନବନିର୍ମାଣ ସେନାର କର୍ମୀମାନେ । ରାଜଧାନୀରେ ଆଜି ଦିନ ତମାମ ବାଲେଶ୍ୱର ଏଫଏମ କଲେଜ ତାତି ଅନୁଭୂତ ହୋଇଥିଲା । ରାଜନୀତିକ ରୁଟି ସେକିବାରେ କେହି ବି ହେଳା କରିନଥିଲେ । ବିଜେଡ଼ି ଓ କଂଗ୍ରେସ ବିକ୍ଷୋଭ କରିଥିବାବେଳେ ଏବିଭିପିବି ପାଲଟା ଜବାବ ଦେଇଛି । ସେମାନେ ନ୍ୟାୟ ପାଇଁ ଲଢୁଥିବାବେଳେ ବାଲେଶ୍ୱର ଛାତ୍ର ଜନତା ଓ ଛାତ୍ର କଂଗ୍ରେସ ନେତାମାନେ କଲେଜ ଅଧ୍ୟକ୍ଷ ଓ ସଂପୃକ୍ତ ଏଚଓଡ଼ିଙ୍କ ପକ୍ଷ ନେଉଥିବା ଅଭିଯୋଗ କରିଛି । ଏନେଇ ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବି ବର୍ଷିଛନ୍ତି । ସେ କହିଛନ୍ତିଯେ, ପୀଡ଼ିତାଙ୍କୁ ନ୍ୟାୟରୁ ବଞ୍ଚôତ କରାଗଲା । ସେ କଲେଜ ଅଧ୍ୟକ୍ଷଙ୍କ ଠାରୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେବି ତାଙ୍କୁ ନ୍ୟାୟ ମିଳିଲା ନାହିଁ । ଏନେଇ ରାଜ୍ୟପାଳଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି ନବୀନ । ଅପରପକ୍ଷରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ଘଟଣାର ଅନୁଧ୍ୟାନ ପାଇଁ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ନାରୀ ନ୍ୟାୟ ବାହିନୀର ଆବାହକ ପ୍ରଫେସର ଗାୟତ୍ରୀ ବିଶ୍ୱାଳ, ବିଧାୟିକା ସୋଫିଆ ଫିଦେ୍ର୍ଦାଶ, ପିସିସି ସାଧାରଣ ସମ୍ପାଦିକା ମଧୁସ୍ମିତା ସେଠୀ, ମହିଳା କଂଗ୍ରେସ ଉପସଭାନେତ୍ରୀ ପ୍ରଣତୀ ମିଶ୍ର, ମୁଖପାତ୍ର ଜୟଶ୍ରୀ ପାତ୍ର, ସମ୍ପାଦିକା ଡାକ୍ତର ଦେବସ୍ମିତା ଶର୍ମା ଓ ସୁସ୍ମିତା ଘୋଷାଲ ସଭ୍ୟ ରହିଛନ୍ତି । ସେମାନେ ବାଲେଶ୍ୱର ଗସ୍ତକରି ପିସିସି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବେ ।