ଭେନେଜୁଏଲା ସଙ୍କଟ ଓ ଅନିଶ୍ଚିତ ବିଶ୍ୱଧ

ଡ.ଅମୂଲ୍ୟ କୁମାର ପଣ୍ଡା : ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ବିଶ୍ୱ ପାଇଁ ଏକ ବଡ ବାର୍ତ୍ତା ହେଉଛି ଯେ ଆମେରିକା କୌଣସି ଅନ୍ତର୍ଜାତୀୟ ଆଇନକୁ ଖାତିର୍‌ କରେନି କିମ୍ବା କୌଣସି ଦେଶର ସାର୍ବଭୌମତ୍ୱକୁ ସମ୍ମାନ କରେ ନାହିଁ । ଏହାର ଦାଦାଗିରିର ପ୍ରମାଣ ସ୍ୱରୁପ ଟ୍ରମ୍ପ ସେନା ଯେକୌଣସି ଦେଶରେ ପ୍ରବେଶ କରି ନିଜର ଶକ୍ତି ବ୍ୟବହାର କରି, ଏହାର ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀଙ୍କୁ ସେମାନଙ୍କ ଶୟନ କକ୍ଷରୁ ଟାଣି ଆଣି, ସେମାନଙ୍କୁ ହାତକଡ଼ି ପିନ୍ଧାଇ କାରାଦଣ୍ଡ ଦେଇପାରେ । କିନ୍ତୁ ଭେନେଜୁଏଲା ଉପରେ ଏପରି ବେଆଇନ ଆକ୍ରମଣ ମାଧ୍ୟମରେ ଆମେରିକା କେଉଁ ସ୍ୱାର୍ଥ ପୂରଣ କରୁଛି ? ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ଯାହାକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ଆବଶ୍ୟକ । ଦକ୍ଷିଣ ଆମେରିକାର ତେଲ ସମ୍ପନ୍ନ ଦେଶ ଭେନେଜୁଏଲାରେ ରାଜନୈତିକ ସଙ୍କଟ ଏବେ ଏକ ଅନ୍ତର୍ଜାତୀୟ ଯୁଦ୍ଧର ରୂପ ନେଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ ଏହି ସଙ୍କଟକୁ ଏକ ସୁଯୋଗ ଭାବରେ ଗ୍ରହଣ କରିଛି । କାରଣ ଆମେରିକା ନିଜ ସ୍ୱାର୍ଥ ପାଇଁ ସବୁ କିଛି କରିପାରେ । ଏବେ ଆମେରିକୀୟ ସୈନ୍ୟବାହିନୀ ଭେନେଜୁଏଲା ଉପରେ ଏକ ଶୃଙ୍ଖଳାବଦ୍ଧ ଆକ୍ରମଣ ଆରମ୍ଭ କରିଥିଲେ । ପ୍ରଥମେ ଅଭିଯୋଗ ସ୍ୱରୂପ ମାଦକ ଦ୍ରବ୍ୟ ଚୋରାଚାଲାଣ ଜାହାଜଗୁଡ଼ିକ ଉପରେ ଆକ୍ରମଣରେ ୮୦ରୁ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ତେଲ ଟ୍ୟାଙ୍କରଗୁଡ଼ିକ ଉପରେ ନୌସେନା ଓ ସୈନ୍ୟ ବେସ ଗୁଡ଼ିକ ଉପରେ ବଡ଼ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଆମେରିକୀୟ ସେନା, ଭେନେଜୁଏଲାର ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍‌ଲୋରେସଙ୍କୁ ଗିରଫ କରି ଆମେରିକା ନେଇଯାଇଛନ୍ତି । ଏହି ସଙ୍କଟ କେବଳ ଭେନେଜୁଏଲାର ନୁହେଁ, ବରଂ ଅନ୍ତର୍ଜାତୀୟ କାନୁନର ଭବିଷ୍ୟତକୁ ପ୍ରଭାବିତ କରିପାରେ । ଟ୍ରମ୍ପଙ୍କ ଏହି ପଦକ୍ଷେପ ଏକ ନୂଆ ଔପନିବେଶିକ ଯୁଗର ଆରମ୍ଭ ନା ଲୋକତନ୍ତ୍ରର ରକ୍ଷା ନା ନିଜର ପ୍ରଭୁତ୍ୱ ଜାହିର୍‌ର କୋଶଳ ? ବିଶ୍ୱ ଏହାର ଉତ୍ତର ଅପେକ୍ଷାରେ ରହିଛି ।


    ତେବେ କିପରି ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ କବଜାକୁ ନେଇଥିଲା ଓ କିପରି ଥିଲା ଅପରେସନ ଆସନ୍ତୁ ଜାଣିବା । ୩ ଜାନୁଆରୀ ୨୦୨୬ ରେ ନିକୋଲାସଙ୍କୁ ଧରିବା ପୂର୍ବରୁ ଗତ ୨୦୨୫ ଅଗଷ୍ଟରୁ ହୋଇଥିଲା ଯୋଜନା । ନିକୋଲାସଙ୍କୁ ଧରିବା ଲାଗି ଏକାଦିକ୍ରମେ ଆକାଶମାର୍ଗ, ଭୂଭାଗ ଓ ସମୁଦ୍ର ସ୍ତରରେ ଚାଲିଥିଲା ମିଶନ । ଭେନେଜୁଏଲା ମିଶନକୁ ଗ୍ରୀନ ସିଗନାଲ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ୨୦ଟି ସାମରିକ ଘାଟିରୁ କାରାକାସ ଅଭିମୁଖେ ଯାଇଥିଲେ ଯୁଦ୍ଧ ବିମାନ । ଭେନେଜୁଏଲାରେ ଗ୍ରାଉଣ୍ଡ ଆଟାକ ଲାଗି ଆମେରିକୀୟ ବିମାନ କରିଥିଲେ ଲକ୍ଷ୍ୟଭେଦୀ ଷ୍ଟ୍ରାଇକ । ମାଦୁରୋଙ୍କୁ ଧରିବା ଲାଗି ସିଆଇଏ କରିଥିଲା ନିର୍ଭୁଲ ଯୋଜନା । କିଛି ମାସ ତଳୁ ଆରମ୍ଭ ହୋଇଥିବା ମିଶନରେ ସାମିଲ ଥିଲେ ୧୫୦ ବିମାନ ଓ ଗୁଇନ୍ଦା ସଂସ୍ଥା । ମାଦୁରୋ ରହୁଥିବା ଫୋର୍ଟ ତିଉନାରେ ଲାଗିଥିବା ଧାତବ କବାଟକୁ କାଟିବା ଲାଗି ସେମାନେ ସାଥୀରେ ନେଇଥିଲେ ବ୍ଲୋଟର୍ଚ୍ଚ । କାରାକାସ ଉପରେ ଏୟାରଷ୍ଟ୍ରାଇକ ମାତ୍ରେ ମାଦୁରୋଙ୍କ ପ୍ରାସାଦରେ ପହଞ୍ଚିଥିଲେ ସୈନ୍ୟ । ସେତେବେଳକୁ ଆରାମରେ ନିଦ୍ରା ଯାଇଥିଲେ ମାଦୁରୋ ଓ ତାଙ୍କ ପତ୍ନୀ । ସୈନ୍ୟଙ୍କ ସମ୍ପର୍କରେ ସୂଚନା ପାଇ ମାଦୁରୋ ଆଉ ଏକ ରୁମକୁ ଚାଲିଯିବାକୁ ବସିଥିଲେ, ମାତ୍ର ତାହା ସମ୍ଭବ ହୋଇ ନଥିଲା । ଯଦି ସେ ଅନ୍ୟ ଏକ ରୁମକୁ ଚାଲିଯାଇଥାନ୍ତେ ତାହା ପୂର୍ବରୁ ତେବେ ସେହି ଘରର କବାଟକୁ ମାତ୍ର ୪୭ ସେକଣ୍ଡରେ ଉଡାଇ ଦେବାକୁ ଯୋଜନା ହୋଇଥିଲା  । ମାତ୍ର ତା ପୂର୍ବରୁ ଆମେରିକୀୟ ସୈନ୍ୟ ଗିରଫ କରି ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଆମେରିକା ନେଇଯାଇଥିଲେ । ଏହି କାର୍ଯ୍ୟାନୁଷ୍ଠାନ ସହ ଭେନେଜୁଏଲାର ଶାସନ ଗାଦିକୁ ମଧ୍ୟ ଆମେରିକା ନିଜ ଅକ୍ତିଆରକୁ ନେଇ ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ହେଲେ ଏହି ଘଟଣା ପରେ ବିଶ୍ୱରେ ଭୂ-ରାଜନୈତିକ ଏବଂ ଅର୍ଥନୈତିକ ଅନିଶ୍ଚିତତା ବଢ଼ିଛି । ଫଳରେ ସେଠାରେ ନିବେଶ ତଥା ବ୍ୟବସାୟ କରୁଥିବା ବିଶ୍ୱର ବିଭିନ୍ନ ଦେଶର କମ୍ପାନୀମାନେ ଏବେ ସତର୍କ ହୋଇଛନ୍ତି ଓ ଚିନ୍ତାରେ ଅଛନ୍ତି ।


   ଆମେରିକାର ପୂର୍ବ ଇତିହାସରୁ ଜଣାଯାଏ ଯେ ପୂର୍ବରୁ ଆଫଗାନିସ୍ତାନ, ସିରିଆ ଏବଂ ଇରାକରେ ଆମେରିକାରେ ଏପରି କାଣ୍ଡ ଘଟାଇଥିଲା  । ତେବେ ଭେନେଜୁଏଲାର ତେଲ ଭଣ୍ଡାର ଏହି ଆକ୍ରମଣର ଏକ ପ୍ରମୁଖ କାରଣ ହୋଇପାରେ, କାରଣ ଦେଶର ଅର୍ଥନୀତି ତେଲ ଉପରେ ନିର୍ଭରଶୀଳ । ଆମେରିକାର ଦାବି ଯେ ଏହା ମାଦକ ଆତଙ୍କବାଦ, ମାନବାଧିକାର ଉଲ୍ଲଙ୍ଘନ ଏବଂ ଲୋକତନ୍ତ୍ର ପୁନଃସ୍ଥାପନ ପାଇଁ, କିନ୍ତୁ ବିଶେଷଜ୍ଞମାନେ ଏହାକୁ ଦୁର୍ବଳ ତର୍କ ବୋଲି କହୁଛନ୍ତି । ବ୍ରାଜିଲ୍‌, ମେକ୍ସିକୋ, ଚୀନ୍‌, ରୁଷିଆ ଏବଂ ଫ୍ରାନ୍ସ ଭଳି ଦେଶଗୁଡ଼ିକ ଏହି ଆକ୍ରମଣର ନିନ୍ଦା କରିଛନ୍ତି । ବିଶେଷଜ୍ଞମାନେ କହୁଛନ୍ତି ଯେ ଏହି କାର୍ଯ୍ୟାନୁଷ୍ଠାନ ଅବୈଧ, କାରଣ ଏଠାରେ କୌଣସି ବଡ଼ ସୈନ୍ୟ ଆକ୍ରମଣ ବା ନରସଂହାର ଘଟି ନାହିଁ । ମାଦୁରୋଙ୍କ ଗିରଫଦାରୀ ରାଜନୈତିକ ପ୍ରତିରକ୍ଷାର ଉଲ୍ଲଙ୍ଘନ । ଆମେରିକା ସରକାରୀ ଭାବରେ ଦାବି କରୁଛି ଯେ ସେ ନାର୍କୋ-ଆତଙ୍କବାଦ - ଡ୍ରଗ୍ସ ଆତଙ୍କବାଦର ରପ୍ତାନିକୁ ବନ୍ଦ କରିବା ପାଇଁ ଏହି ଆକ୍ରମଣ କରିଥିଲା । ଆମେରିକା ଆକ୍ରମଣର ମାମଲା ବିଶ୍ୱ ବିଶେଷଜ୍ଞ ମତ ହେଉଛି ଅଲଗା  ।  ପ୍ରଶ୍ନ ଉଠୁଛି ଯେ ଆମେରିକା କ’ଣ ଭେନେଜୁଏଲାର ତୈଳ ସମ୍ପଦ ଉପରେ ନଜର ରଖିଛି, ଅବଶ୍ୟ କିଛି ପରିମାଣରେ ଏହା ମଧ୍ୟ ସତ୍ୟ । ଭେନେଜୁଏଲାରେ ଆନୁଷ୍ଠାନିକ ଭାବରେ ବିଶ୍ୱର ସର୍ବବୃହତ ତୈଳ ସଂରକ୍ଷଣ ଅଛି, ରିପୋର୍ଟ ଅନୁଯାୟୀ ସେଠାରେ ୩୦୩ ବିଲିୟନ ବ୍ୟାରେଲ ତେଲ ରହିଛି । ବିଶ୍ୱର ସର୍ବବୃହତ ତୈଳ ବିକ୍ରେତା ସାଉଦି ଆରବରେ ୨୯୮ ବିଲିୟନ ବ୍ୟାରେଲ ତୈଳ ଅଛି । ତଥାପି, ଭେନେଜୁଏଲାରେ ଏହାର ତୈଳ ସଂରକ୍ଷଣକୁ ପର୍ଯ୍ୟାପ୍ତ ଭାବରେ ବ୍ୟବହାର କରିବା ପାଇଁ ଭିତ୍ତିଭୂମିର ଅଭାବ ଅଛି - ଏହା ବି ଏକ କାରଣ ହୋଇପାରେ ଯାହାକି ତେଲ ଉତ୍ପାଦନ ଏବଂ ରପ୍ତାନି ପଛରେ ରହିଛି । ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭେନେଜୁଏଲ ବର୍ତ୍ତମାନ ପାଇଁ ଆମେରିକାର ଶାସନ ଅଧୀନରେ ରହିବ ଏବଂ ଆମେରିକୀୟ ତୈଳ କମ୍ପାନୀଗୁଡ଼ିକ ସେଠାରେ ତୈଳ ବାଣିଜ୍ୟ ପରିଚାଳନା କରିବେ । ଏକଥାକୁ ଗଭୀର ଭାବେ ଚିନ୍ତା କଲେ ଜଣାଯାଏ ଯେ ଆମେରିକାର ଏ ଆକ୍ରମଣ ଭେନେଜୁଏଲାକୁ ନିଜ ଅକ୍ତିଆରକୁ ଆଣିବା ଲାଗି ଏକ ନିୟୋଜିତ ଷଡଯନ୍ତ୍ର ହୋଇପାରେ । 

  ତେବେ ବିଶ୍ୱ ବିଶେଷଜ୍ଞଙ୍କ ମତ ହେଲା ଯେ ଭେନେଜୁଏଲା ପରେ ଆମେରିକା ଟାର୍ଗେଟରେ ଅଛନ୍ତି ବିଶ୍ୱର ଆଉ ୫ ଦେଶ । ଏକଥା ନିଜେ ଟ୍ରମ୍ପ ମଧ୍ୟ କହିଛନ୍ତି । ସ୍ମରଣ ଥାଉକି, ଆମେରିକା ଅତୀତରେ ଏପରି କାର୍ଯ୍ୟ ପାଇଁ ଅନ୍ୟ ଦେଶମାନଙ୍କୁ ଦଣ୍ଡ ଦେଇଛି । ଇରାକର ସଦ୍ଦାମ ହୁସେନ ମଧ୍ୟ ୧୯୯୦ ମସିହାରେ ଆମେରିକୀୟ ଡଲାରରୁ ଦୂରେଇ ବାଣିଜ୍ୟ କରିବାକୁ ଇଙ୍ଗିତ କରିଥିଲେ - ଯାହାର ଦଣ୍ଡ ତାଙ୍କୁ ଭୋଗିବାକୁ ପଡିଲା । କର୍ଣ୍ଣେଲ ଗଦ୍ଦାଫିଙ୍କୁ ମଧ୍ୟ ସମାନ ଚିନ୍ତାଧାରା ପାଇଁ ହତ୍ୟା କରାଯାଇଥିଲା । ସ୍ୱୀକାର କରିବାକୁ ପଡିବ ଯେ, ଉଭୟ ଏକଛତ୍ରବାଦୀ ଥିଲେ, କିନ୍ତୁ ଆମେରିକା ଏକଛତ୍ରବାଦୀଙ୍କ ସମର୍ଥନ ପାଇଁ ମଧ୍ୟ ଜଣାଶୁଣା । ସତ ହେଉଛି ଯଦି ଇରାକ ଏବଂ ଲିବିଆ, ଇରାନ କିମ୍ବା ଉତ୍ତର କୋରିଆ ପରି ସେମାନଙ୍କର ପରମାଣୁ କାର୍ଯ୍ୟକ୍ରମ ଜାରି ରଖିଥାନ୍ତେ ଏବଂ ପରମାଣୁ ଅସ୍ତ୍ର ନିର୍ମାଣ କରିଥାନ୍ତେ, ତେବେ ସେମାନେ ହୁଏତ ଏହି ପରିସ୍ଥିତିରେ ପଡ଼ି ନଥାନ୍ତେ । କିନ୍ତୁ ଆମେରିକାର ନିଜ ସ୍ୱାର୍ଥ ନାଁରେ ଅନ୍ୟ ଦେଶ ଉପରେ ଆକ୍ରମଣ କରିବାର ଏକ ଲମ୍ବା ଇତିହାସ ଅଛି ଯାହା ଗୋଟେ ପରେ ଗୋଟେ ଏପରି କାଣ୍ଡ ଘଟାଇ ନିଜକୁ ଏକଛତ୍ରବାଦ ବା ଏକଚାଟିଆ ଶକ୍ତିଶାଳୀ ବୋଲି ପ୍ରଦର୍ଶିତ କରୁଅଛି । ଅନ୍ତର୍ଜାତୀୟ ସ୍ତରରେ ସାରା ବିଶ୍ୱରେ ଏକ ବୈଧ ସହମତି ରହିଛି ଯେ, ଗୋଟିଏ ଦେଶ ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ପର୍ଯ୍ୟନ୍ତ ତାହା ସିଧାସଳଖ ପ୍ରଭାବିତ ହୁଏନାହିଁ । କିନ୍ତୁ ଟ୍ରମ୍ପ ଏପରି ସହମତିକୁ ଗୁରୁତ୍ୱ ଦେଉଥିବା ପରି ମନେହୁଏନା । ସେ ଏବେ ବି କ୍ୟୁବା ଏବଂ କଲମ୍ବିଆକୁ ଧମକ ଦେଉଛନ୍ତି ।

  ଆମେରିକା ସଦା ସର୍ବଦା ନିଜକୁ ଶକ୍ତିଶାଳୀ ଓ ଭଦ୍ରଲୋକୀ ବୋଲାଇଥାଏ, ଯେପରି ଇରାନ, ଗାଜା, ଭାରତ-ପାକ୍‌ ଯୁଦ୍ଧ ଉପରେ ମଧ୍ୟ ଆମେରିକା ନିଜର ମଧ୍ୟସ୍ଥତାକୁ ଦାବି କରୁଛି । ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ମଧ୍ୟ ଦାବି କରିଛନ୍ତି, କେବଳ ଥରେ କି ଦୁଇଥର ନୁହେଁ, ଅତି କମରେ କୋଡ଼ିଏ ଥର - ଯଦିଓ ଭାରତୀୟ ପ୍ରତିରକ୍ଷା ଏହାକୁ ଅଗ୍ରାହ୍ୟ କରିଛି । ପୂର୍ବରୁ, ସେ ଇରାନକୁ ଧମକ ଦେଇଥିଲେ ଯେ ତେହେରାନ ଏବଂ ଅନ୍ୟାନ୍ୟ ସହରରେ ଚାଲିଥିବା ପ୍ରତିବାଦ ବିରୋଧରେ ବଳ ପ୍ରୟୋଗ କରାଗଲେ ଆମେରିକୀୟ ସୈନ୍ୟ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି । ଗାଜାକୁ ସମ୍ପୂର୍ଣ୍ଣ ଧ୍ୱଂସ ନ କରିବା ପର୍ଯ୍ୟନ୍ତ ସେ ଇସ୍ରାଏଲକୁ ଅଟକାଇ ନଥିଲେ, ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେବା ସମୟରେ, ସେ ଭେନେଜୁଏଲାକୁ ଅଧିକାର କରିଥିଲେ । ଏଥିରୁ ଜଣାପଡେ଼ ଯେ ସବୁ କ୍ଷେତ୍ରରେ ସେ ମୁଣ୍ଡ ପୁରାଇବାକୁ ଚେଷ୍ଟା କରୁଛି ଆଉ ସବୁ ଯୁଦ୍ଧ ପଛରେ ଆମେରିକାର ସିଧାସଳଖ କିମ୍ବା ଅନ୍ତର୍ନିହିତ ହାତ ଅଛି । ଏହା ପ୍ରଥମେ ଗୁଣି ଲଗେଇବା ଓ ପରେ ଗୁଣିଆ ହୋଇ ଝାଡିବା ପରି । ତାକୁ କୋଉ ଦେଶ ଡାକୁ ଅବା ନ ଡାକୁ ସବୁଥିରେ ସେ ନିଜକୁ ମୁଣ୍ଡ ପୁରାଇ ସାବାସି ନେବାକୁ ଚାହେଁ ଓ ସେଥିରେ ତାର ସ୍ୱାର୍ଥ ମଧ୍ୟ ଜଡିତ ଥାଏ । କିନ୍ତୁ ଏହାକୁ ଭାରତ, ରୁଷ, ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନ୍‌, ଚିନ୍‌ ଓ ଜାପାନ ଗ୍ରହଣ କରନ୍ତି ନାହିଁ । ତଥାପି ନିର୍ଲଜ୍ଜ ଭଳି ସେ ଏସବୁରେ ପଶେ । ଆମେରିକାର ଏହି ଗୁଣ୍ଡାଗିରି ବିରୁଦ୍ଧରେ ସମଗ୍ର  ବିଶ୍ୱର ଦେଶ ଠିଆ ହେବା ନିତାନ୍ତ ଆବଶ୍ୟକ, କାରଣ ଅନ୍ୟ ଦେଶ ସହିତ ବାଣିଜ୍ୟ ଉପରେ ମନଇଚ୍ଛା ଶୁଳ୍କ, ଆମେରିକାର ଭିସା ନିୟମରେ ମନଇଚ୍ଛା ପରିବର୍ତ୍ତନ, ମନ ଇଚ୍ଛା ଛୋଟ ଛୋଟ ଦେଶ ଉପରେ ଆକ୍ରମଣ, ସେମାନଙ୍କୁ ବନ୍ଦୀ କରି ହତ୍ୟା କରିବା ଇତ୍ୟାଦି ଦାଦାଗିରି କରି ଚାଲିଥିବ ଓ ଏହା ଆଗକୁ ଆଗକୁ ଆହୁରି ବୃଦ୍ଧି ପାଇ ବଡ ଦେଶକୁ କବଜା କରିବାକୁ ଚେଷ୍ଟା ମଧ୍ୟ କରିପାରେ । ଏବେ ବି ସମୟ ଅଛି ବିଶ୍ୱ ଏ ପଦକ୍ଷେପ ଉପରେ ଗଭୀର ଚିନ୍ତା କରି ସତର୍କ ରହିବା ଉଚିତ୍‌ ।


ଅରଙ୍ଗାବାଦ, ବରୀ, ଯାଜପୁର
ମୋ:୮୨୪୯୫୦୨୭୭୬