ମୋଦି କହିଲେ ଧର୍ମେନ୍ଦ୍ରଙ୍କ କଥା

DHARMENDRA PRADHAN, ODISHA BJP

ମୋଦି କହିଲେ ଧର୍ମେନ୍ଦ୍ରଙ୍କ କଥା

ଭୁବନେଶ୍ୱର : ରାଜ୍ୟରେ ସବୁଠୁ ପାୱାରଫୁଲ୍‌ ବିଜେପି ନେତା କିଏ ? ଏହାକୁ ନେଇ ବିଜେପିର ନେତାମାନେ ନିଜ ନିଜ ଭିତରେ ପ୍ରତିଦ୍ୱନ୍ଦ୍ୱିତା କରିବାର ନଜିର ରହିଛି  । ହେଲେ ଆଜି ସବୁ ବଡ଼ନେତାଙ୍କ ଉପସ୍ଥିତିରେ ଧର୍ମେନ୍ଦ୍ର ହିଁ ସବୁଠାରୁ ପାୱାରଫୁଲ୍‌ ନେତା ବୋଲି ମୋଦି ଇଙ୍ଗିତ କରିଛନ୍ତି  । 

ବିମାନବନ୍ଦର ଠାରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀ ଦୁଇ ଥର ଧର୍ମେନ୍ଦ୍ରଙ୍କ କଥା ଉଲ୍ଳେଖ କରିଛନ୍ତି  । ଆଉ ସେଇ ଦି ପଦ କଥା ବିଜେପିରେ ଧର୍ମେନ୍ଦ୍ରଙ୍କର ପତିଆରା ପ୍ରତିପାଦିତ କରୁଛି  । ପ୍ରଧାନମନ୍ତ୍ରୀ କହିଥିଲେଯେ, ମୁଁ ନିକଟରେ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ଯୋଗଦେଇଥିଲି  । ବଢ଼ିଆ କାର୍ଯ୍ୟକ୍ରମ ଥିଲା  । ବଢ଼ିଆ ମସଲା ଚା’ ମଧ୍ୟ ପିଇଲି  । ମୁଁ ଧର୍ମେନ୍ଦ୍ରକୁ ଟିକେ ଗାଳି କଲି, ଏତେ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିଛ, ମୋ ପାଖରେ ଅଧିକ ସମୟ ଥିଲେ ମୁଁ ଆଉ ଟିକେ ବୁଲିପାରିଥା’ନ୍ତି  । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସେ ଆଦରରେ ଧର୍ମେନ୍ଦ୍ରକୁ ବୋଲି କହିଥିଲେ  । ଖାଲି ସେତିକିନୁହେଁ ଭାଷଣ ଶେଷବେଳକୁ ସେ କହିଲେ, ମୁଁ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡ଼ିଶା ଆସିଛି  । ସଭାର କିଛି କାର୍ଯ୍ୟକ୍ରମ ହିଁ ନଥିଲା  । କିନ୍ତୁ ଧର୍ମେନ୍ଦ୍ର କହିଲେ, ଆପଣମାନଙ୍କୁ ଲୋକେ ଚାହୁଁଛନ୍ତି  । ତେଣୁ ସେ ସଭା ପାଇଁ ରାଜି ହୋଇଥିଲେ  । ଅତଏବ ଧର୍ମେନ୍ଦ୍ରଙ୍କ ପାଇଁ ହିଁ ମୋଦିଙ୍କର ଜନସଭା ହୋଇଥିଲା  । 

ସୂଚନାଯୋଗ୍ୟଯେ, ଧର୍ମେନ୍ଦ୍ରଙ୍କ ପତିଆରା ଓ ପ୍ରଭାବ କମାଇବା ପାଇଁ ୨୦୧୪ରୁ ବିଜେପିର କେତେକ ନେତା ଉଦ୍ୟମ କରି ଆସୁଛନ୍ତି  । ଧର୍ମେନ୍ଦ୍ରଙ୍କ ଠାରୁ ଅଧିକ ପ୍ରଭାବୀ ଦେଖାଇବା ପାଇଁ ଉଦ୍ୟମ କରି ଆସୁଥିବା ନେତାମାନେ ବାରବାର ବିଫଳ ହେଉଛନ୍ତି  । ସବୁଠାରୁ ବଡ଼ କଥା ହେଉଛି, ଗତ ନିର୍ବାଚନ ବେଳେ ଏକ ବଡ଼ ଗଣମାଧ୍ୟମରେ ଧର୍ମେନ୍ଦ୍ରଙ୍କ ପ୍ରଚାର ଓ ରାଲିକୁ ଆଦୌ ଗୁରୁତ୍ୱ ଦିଆଯାଇନଥିଲା  । କିଛି ନେତା ତ ସମ୍ବଲପୁରରୁ ଧର୍ମେନ୍ଦ୍ର ହାରିଯାଆନ୍ତୁ ବୋଲି ମାନସିକ କରିବାକୁ ପଛାଇନଥିଲେ  । କାହିଁକିନା ଧର୍ମେନ୍ଦ୍ର ହାରି ଯାଇଥିଲେ ତାଙ୍କର ପତିଆରା କମିଯାଇଥା’ନ୍ତା  । ତେବେ ସମ୍ବଲପୁରରେ ସେ ବଡ଼ ବ୍ୟବଧାନରେ ବିଜେଡ଼ିର ଟାଣୁଆ ନେତାଙ୍କୁ ହରାଇବାରେ ସଫଳ ହୋଇଥିଲେ  । ସେହିପରି ନୂଆ ସରକାରର ମନ୍ତ୍ରୀମଣ୍ଡଳ ଗଠନରେ ଧର୍ମେନ୍ଦ୍ର ହିଁ ବଡ଼ ଭୂମିକା ନିର୍ବାହ କରିଥିଲେ  ।