ମକୁନ୍ଦପୁର-୨ ଘାଟରେ ଚଢ଼ଉ, ଜେସିବି ଜବତ
ଯାଜପୁର : ରବିବାର ଖଣି ବିଭାଗ ପକ୍ଷରୁ କୋରେଇ ପୁଲିସ ସହଯୋଗରେ ବ୍ୟାସନଗର ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ମକୁନ୍ଦପୁର-୨ବାଲି ଘାଟରେ ଚଢ଼ଉ କରାଯାଇ ଗୋଟିଏ ଜେସିବି ଜବତ କରାଯାଇଛି । ଖଣି ବିଭାଗର ଜେଏମଓ ଦିପ୍ତୀରଂଜନ ସେଠୀ, ବିଶ୍ୱଜିତ ସ୍ୱାଇଁ ସଦଳବଳେ ଉକ୍ତ ଘାଟରେ ଚଢାଉ କରିଥିଲେ । କୋରେଇ ବ୍ଲକ ବନେ୍ଦାଳୋ ପଞ୍ଚାୟତ ବାଲିଆପାଳ ଅଞ୍ଚଳର ଖାତା ନଂ ୩୧୮ ଓ ପ୍ଲଟ ନଂ୧ ରେ ଥିବା ନଦୀର ଆବାଦ ଅଯୋଗ୍ୟ ଅନାବାଦିରୁ ଘଡ଼ାଇ ନାମକ ମାଫିଆ ବେଆଇନ ଭାବେ ବାଲି ଲୁଟି ଚାଲିଥିଲେ । ଦୈନିକ ଶହଶହ ଟ୍ରିପ ବାଲି ଚୋରା ଚାଲାଣ କରିଚାଲିଥିବା ବେଳେ ଆଜି ଖଣି ଉପନିଦେ୍ର୍ଦଶକ ଜୟପ୍ରକାଶ ନାୟକଙ୍କ ନିଦେ୍ର୍ଦଶ କ୍ରମେ ଜେଏମଓ ଚଢ଼ଉ କରିଥିଲେ । ତେବେ ଚଢାଉ ହେବାର ଖବର ପୂର୍ବରୁ ମିଳିଯାଇଥିବାରୁ ମାଫିଆ ଘାଟରୁ ହାଇବା, ଡମ୍ଫର, ୪୦୭ ଟ୍ରକକୁ ହଟାଇବାକୁ ସମର୍ଥ ହୋଇଥିଲେ ହେଁ ବାଲି ତାଢୁୁଥିବା ଜେସିବିଟି ଧରାପଡ଼ିଯାଇଥିଲା । ବେଆଇନ ବାଲି ଉତ୍ତୋଳନକୁ ନେଇ ବିଭାଗ ପକ୍ଷରୁ ବେଆଇନ ଘାଟ ମାଲିକଙ୍କ ଉପରେ ଜରୀମାନା କରାଯିବ ବୋଲି କୁହାଯାଇଛି । ତେବେ ମକୁନ୍ଦପୁର ଘାଟରେ ହୋଇଥିବା ଚଢାଉ ଧର୍ମକୁ ଆଖିଠାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବେଆଇନ ଘାଟ ମାଲିକ ତଳୁ ଉପରଯାଏ ସମସ୍ତଙ୍କୁ ଡିଲ୍ କରିବାରେ ସମର୍ଥ ହୋଇଥିବା ଏବଂ ଲୋକ ନିନ୍ଦାକୁ ଦେଖି ବିଭାଗ ଚଢ଼ଉ କରାଯାଇଥିଲା । ବାଟେ-ଘାଟେ ଜଗିଛନ୍ତି ଘଡ଼ାଇ ଗୁଣ୍ଡା ।
ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରିବାରେ ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଥିବା ଘଡ଼ାଇକୁ ନେଇ ସବୁଠି ଚର୍ଚ୍ଚା । ସରକାରୀ କଳ କୁହ କି ରାଜନେତାଙ୍କୁ ମ୍ୟାନେଜ କରିବାରେ ସିଦ୍ଧହସ୍ତ ଘଡ଼ାଇ କାଳେ ବାଟରୁ ଘାଟ ଯାଏ ଗୁଣ୍ଡା ଜଗାଇଛନ୍ତି । ଯେଉଁଥିପାଇଁ ଘାଟରୁ ରଗଡ଼ି ହେଉ କି ବରୁଣ୍ଡାଇ ଦେଇ ଯାଉଥିବା ବାଲି ବୋଝେଇ ଗାଡ଼ି ଗୁଡ଼ିକ ଅନାସୟରେ ନିର୍ଦ୍ଧାରିତ ସ୍ଥାନରେ ପହଁଚିବାରେ କୈାଣସି ଅସୁବିଧାର ସମ୍ମୁଖିନ ହୁଅନ୍ତିନି । ଚାଳକ ଘାଟରୁ ବାହାରି ବୋଝେଇ କରି ଆସିବା ବେଳେ ଯଦି କେଉଁଠି କିଏ ଅଟକାଇଲା, ତେବେ ଖବର ପାଇ ପହଁଚିଯାଆନ୍ତି ଗୁଣ୍ଡା । କାହାକୁ ନାଲି ଆଖି ତ କାହାକୁ କିଛି ଦେଇ ଗାଡ଼ିକୁ ଛଡ଼ାଇବାକୁ ସଫଳ ହୋଇଥାନ୍ତି । ଘଡ଼ାଇ ଗୁଣ୍ଡା ଦି’ ଭାଗରେ ବିଭକ୍ତ ହୋଇ ଦୁୁଇଟି ରୁଟ୍ରେ ଜଗିଛନ୍ତି । ବେଆଇନ ଭାବେ ମକୁନ୍ଦପୁର ଘାଟରୁ ଆସୁଥିବା ବାଲି ଗାଡ଼ିକୁ ସୁରକ୍ଷା ଦେବାକୁ ଗୁଣ୍ଡା କଡ଼ମିଆ, ଖଜୁରନାଲୁଆ, ବରୁଣ୍ଡାଇ ଭଳି ସ୍ଥାନ ମାନଙ୍କରେ ଜଗି ରହିଥିବା ବେଳେ ରଣପୁରର ବେଆଇନ ଘାଟରୁ ବାହାରୁ ଥିବା ବୋଝେଇ ଗାଡ଼ିକୁ ସୁରକ୍ଷା ଦେବା ପାଇଁ ଜିତେନ୍ଦ୍ରପୁର, ସିତେନ୍ଦ୍ରପୁର, କୟାଁ, ଅସନଝର, କନ୍ତୋର, କାଚରାସାହି, ପଛିକୋଟ ଓ ରଗଡି ଛକ ପର୍ଯ୍ୟନ୍ତ ପଡ଼ିଥିବା ରାସ୍ତାର ବିଭିନ୍ନ ଛକ ମାନଙ୍କରେ ଜଗି ରହୁଛନ୍ତି ।
ଏହି ରାସ୍ତା ଦେଇ ବାଲି ବୋଝେଇ ଗାଡ଼ି ଗୁଡ଼ିକ ଯିବା ଆସିବା ବେଳେ ସାଧାରଣ ଲୋକେ ନାନାଦି ହନ୍ତସନ୍ତ ହୋଇଥାନ୍ତି । ଗୋଟେ ପଟେ ବୋଝେଇ ଗାଡ଼ି ପାଇଁ ରାସ୍ତା ଗୁଡ଼ିକ ବିପର୍ଯ୍ୟସ୍ତ ହୋଇପଡ଼ୁଥିବା ବେଳେ ଅନ୍ୟପଟେ ଗୁଣ୍ଡାଙ୍କ ଭୟରେ କେହି ପାଟି ଫିଟାଇବାକୁ ସାହସ କରିନଥାନ୍ତି । ଏକଥା ସ୍ଥାନୀୟ ପୁଲିସ ବାବୁ ମାନଙ୍କୁ ଜଣାଥିଲେ ବି ସେମାନେ ଘଡ଼ାଇଙ୍କ ଦ୍ୱାରା ଲାଭବାନ ହେଉଥିବାରୁ ବେଆଇନ କାର୍ଯ୍ୟ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମନବଳାନ୍ତିନି । ବାବୁ ଘଡ଼ାଇ ରାଜନେତାଙ୍କ ଘର ବାହାରେ ଅଧିକାଂଶ ଟହଲ ମାରି ନିଜକୁ ଅତି ପାଖ ଲୋକ ବୋଲି ଚିହ୍ନେଇ ହୋଇଥାନ୍ତି । ସେଥିପାଇଁ ବାବୁ ଘଡ଼ାଇ ଚଲାଉଥିବା ଘାଟ ଉପରେ ଅନ୍ଧାରୁଆ ଚଢାଉଖଣି ବିଭାଗ କରିବାକୁ ରାଜି ହେଉନି । ଧର୍ମକୁ ଆଖିଠାର ମାରିବା ପରି ଚଢାଉ କରୁଥିବା ଖଣି ବିଭାଗରୁ ଆଗୁଆ ସୂଚନା ପାଇ ବେଆଇନ ଘାଟ ମାଲିକ ସାଜିଥିବା ଘଡ଼ାଇ ଗାଡ଼ି ଗୁଡ଼ିକୁ ଘାଟରୁ ପାର କରିବାରେ ବାରମ୍ବାର ସମର୍ଥ ହେଉଛନ୍ତି । ରାଜନୈତିକ ଓ ପ୍ରଶାସନିକ ଛତ୍ରଛାୟାତଳେ ରହି କାରବାରକୁ ଚଳାଇବାର କଳା ଘଡ଼ାଇଙ୍କୁ ବେଶ ଭଲ ଭାବରେ ଜଣା । ଲଘୁ ଖଣିଜ ସମ୍ପଦର ବେଆଇନ କାରବାରକୁ ରୋକିବା ପାଇଁ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ଘଡ଼ାଇଙ୍କ କ୍ଷେତ୍ରରେ କିନ୍ତୁ ଓଲଟା ଘଟୁଛି । ଯଦି କହିବା ପୂର୍ବ ସରକାର ସମୟରେ ଯେମିତି ଲଘୁ ଖଣିଜ ସଂପଦ ଲୁଟପାଟ ଚାଲିଥିଲା ଏବର ସରକାର ବେଳେ ଆହୁରି ଅଧିକ ଲୁଟପାଟ ଚାଲିଛି । ଯାହାଦ୍ୱାରା ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଇବାକୁ ପଡୁଛି । ଘଡ଼ାଇ ସାମ୍ରାଜ୍ୟ ଉପରେ ଖଣି ବିଭାଗର ଅଙ୍କୁଶ କେବେ ଲାଗିବ ତାହା କେବଳ ଦେଖିବାର ଅଛି ।