ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ବୈଠକ
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ରହିଯାଇଥିବା କେତେକ ଅସଂପୂର୍ଣ୍ଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ମତ ରଖିଛି । ଏ ସଂକ୍ରାନ୍ତରେ ଉପଦେଷ୍ଟା କମିଟିର ଏକ ବୈଠକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକ ପୂର୍ବରୁ ଗଜପତିଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ, କମିଟି ସଦସ୍ୟ ଡ. ନରେଶ ଚନ୍ଦ୍ର ଦାଶ, ଡ. ହରେକୃଷ୍ଣ ଶତପଥୀ, ଏଏସ୍ଆଇ କର୍ମକତତ୍ତାମାନେ ଓବିସିସି ଦ୍ୱାରା ନିର୍ମାଣାଧୀନ କାର୍ଯ୍ୟଗୁଡ଼ିକୁ ବୁଲି ଦେଖିଥିଲେ । କ୍ଷେତ୍ର ପରିଦର୍ଶନ କରିବା ପରେ ଏକ ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା । ବୈଠକରେ ଅଭ୍ୟର୍ଥନା କକ୍ଷ ସମେତ ପ୍ରଶାସନୀକ ନୂତନ କାର୍ଯ୍ୟାଳୟ, ରଘୁନନ୍ଦନ ଲାଇବ୍ରେରୀ, ସାଂସ୍କୃତିକ କେନ୍ଦ୍ର ନିର୍ମାଣ, ଜେବିଟିପିସିରେ ଧ୍ୟାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷଷ କରିବା ନେଇ ଓବିସିସିକୁ ଅନୁରୋଧ କରାଯାଇଛି । ସେହିଭଳି ଉତ୍ତର ଦ୍ୱାର ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁ ସିବିଧାରେ ମହାପ୍ରସାଦ ସେବନ ପାଇଁ ସ୍ୱତନ୍ତ୍ର ଅନ୍ନକ୍ଷେତ୍ର ପ୍ରତିଷ୍ଠା ସହ ଗୁଣ୍ଡିଚା ମନ୍ଦିରର ନିର୍ମାଣ କାର୍ଯ୍ୟ ୨୦୨୬ ରଥଯାତ୍ରା ସୁଦ୍ଧା କିଭଳି ଶେଷ ହେବ ସେ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ଯେଉଁ ସ୍ଥାନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଚାଲିଛି ତାହାକୁ ଭଙ୍ଗାଯାଇ ସେ ସ୍ଥାନରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ । ପୂର୍ବରୁ ନରେନ୍ଦ୍ର ମହଲା ରହିଥିବା ସ୍ଥାନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ କରାଯିବ । ସେହିଭଳି ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର, ରଘୁନନ୍ଦନ ଲାଇବ୍ରେରୀ ଏମାର ମଠ ନିକଟରେ ଥିବା ଖାଲି ଜମିରେ ନିର୍ମାଣ ହେବ । ଭକତ ଓ ଶ୍ରଦ୍ଧାଳୁଙ୍କ ମହାପ୍ରସାଦ ସେବନ ସୁବିଧା ପାଇଁ ଉତ୍ତର ଦ୍ୱାର ବାହାରେ ଅନ୍ନକ୍ଷେତ୍ର ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ବେଳେ ଜଗନ୍ନାଥ ବଲ୍ଲଭ ପାର୍କିଂ ଉପର ମହଲାରେ ଧ୍ୟାନକେନ୍ଦ୍ର ନିର୍ମାଣ କରାଯାଉଛି ବୋଲି ବୈଠକରୁ ସୂଚନା ମିଳିଛି । ଅସମ୍ପୁର୍ଣ୍ଣ କାର୍ଯକୁ ସଂସ୍କୃତି ଓ ଧାର୍ମିକ ବିଚାର ବିମର୍ଶ ଅନୁଯାୟୀ ଶେଷ କରାଯିବବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।