ମଙ୍ଗଲ ଭୱନ ଅମଙ୍ଗଲ ହାରୀ

 ରାମ ଚରିତ ମାନସର ଏକ ପ୍ରସିଦ୍ଧ ଚୌପାଇ ହେଉଛି - “ମଂଗଲ ଭୱନ ଅମଙ୍ଗଲ ହାରୀ । ଦ୍ରୱଉ ସୋ ଦଶରଥ ଅଜିର ବିହାରୀ । ।’ ଏହି ଚୌପାଇଟି ବାଳକାଣ୍ଡରେ ରହିଛି । ମଙ୍ଗଳ ଭୱନ ଅର୍ଥାତ୍ ଯିଏ ସମସ୍ତ ମଙ୍ଗଳର ଭବନ ବା ଧାମ ଅଟନ୍ତି । ଅମଙ୍ଗଳହାରୀ ମାନେ ଯିଏ ଅମଙ୍ଗଳକୁ ହରଣ କରିନିଅନ୍ତି । ସୁତରାଂ ସେହି ମଙ୍ଗଳ ଧାମ ଏବଂ ଅମଙ୍ଗଳହାରୀ ତଥା ଦଶରଥଙ୍କର ପ୍ରାଙ୍ଗଣବିହାରୀ ସେହି ବାଳକରୂପ ଶ୍ରୀରାମ ମୋ ପ୍ରତି କୃପା କରନ୍ତୁ । ଏହି ଚୌପାଇଟିକୁ ମଧ୍ୟ ଉତ୍ତର ଭାରତରେ ବହୁଳ ଭାବରେ ପାଠ କରାଯାଇଥାଏ । ପାଠକ ଓ ଭକ୍ତମାନେ ଭଗବାନଙ୍କ ନିକଟରେ ମନକୁ ଲଗାଇବା ପାଇଁ ଅବସର ସମୟରେ ଏହି ନାମ ଉଚ୍ଚାରଣ କରି ଭଗବାନଙ୍କୁ ସ୍ମରଣ କରିପାରିବେ । 
‘ରଘୁପତି ରାଘବ ରାଜାରାମ । ପତିତପାବନ ସୀତାରାମ ।’ : ରାମଙ୍କର ଏହି ନାମକୁ ବିଶେଷ ଭାବରେ ଲୋକପ୍ରିୟ କରାଇଥିଲେ ମହାତ୍ମା ଗାନ୍ଧୀ । ଏଥିସହ ସେ ତାଙ୍କର ପ୍ରାର୍ଥନାରେ ଆଉ ଦୁଇପଦ ଯୋଡ଼ିଥିଲେ ଈଶ୍ୱର ଆଲ୍ଲା ତେରେ ନାମ୍ । ସବକୋ ସନମତି ଦେ ଭଗବାନ । ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ସେହି ସମୟରେ ଦେଖା ଦେଇଥିବା ବିଦ୍ୱେଷ ଓ ବିବାଦକୁ ନେଇ ମହାତ୍ମା ଗାନ୍ଧୀ ସମସ୍ତଙ୍କ ମଧ୍ୟରେ ସଂପ୍ରୀତି ଓ ସଦଭାବ ସ୍ଥାପନ ଉଦେ୍ଦଶ୍ୟରେ ଭଗବାନ ଯେ ଏକ ଏହି ପ୍ରସିଦ୍ଧ ଭଜନ ଜରିଆରେ ସମସ୍ତଙ୍କୁ ଉଦବୁଦ୍ଧ କରିଥିଲେ । ଗାନ୍ଧିଜୀ ଥିଲେ ପରମ ଭାଗବତ । ଚୈତନ୍ୟ ପ୍ରାପ୍ତି ହେବା ପରଠାରୁ ଜୀବନରେ ସେ କେବେ ଭଗବାନଙ୍କୁ ବିସ୍ମରଣ ହେବାକୁ ଦେଇନାହାନ୍ତି । ଅନ୍ଧାର ରାତିରେ, ପାଣି ଭିତରେ, ଯାତ୍ରା ସମୟରେ, ଅତ୍ୟନ୍ତ ବ୍ୟସ୍ତତା ଭିତରେ ବି ସେ ଭଗବାନଙ୍କୁ ଭୁଲି ନାହାନ୍ତି । ସେ ସର୍ବଦା ନିଜକୁ ନିିମିତ୍ତ ମନେ କରୁଥିଲେ ଏବଂ କହୁଥିଲେ ଯେ ସେ ଯାହା କିଛି କରୁଛନ୍ତି, ସେ ସବୁ ପ୍ରଭୁ ରାମଙ୍କର କୃପା । “ରାମ’ ଯାହା ଚାହୁଁଛନ୍ତି ତାଙ୍କ ଦ୍ୱାରା ତାହା କରାଇ ନେଉଛନ୍ତି । ତେଣୁ ତାଙ୍କ ନିଜର କର୍ତ୍ତୃତ୍ୱ କିଛି ନାହିଁ । ଗାନ୍ଧୀଙ୍କର ଏ ପ୍ରକାର ବିଚାର ଦେଖି ତାଙ୍କ ସହ କାର୍ଯ୍ୟ କରୁଥିବା ଅନେକ ବୁଦ୍ଧିଜୀବୀ, ସହଯୋଗୀ ଆଶ୍ଚର୍ଯ୍ୟ ହେଉଥିଲେ । କିନ୍ତୁ ଅନୁଭବରୁ ଗାନ୍ଧୀଙ୍କର ଏପରି ନିଷ୍ଠା ହୋଇଥିଲା ଯେ ପରବର୍ତ୍ତୀ ଜୀବନରେ ସେ ଅନ୍ୟସବୁ ଅବଲମ୍ବନ ଛାଡ଼ି ଦେଇଥିଳେ । ଶିଶୁଟିଏ ମାଆର ପଣତକାନିକୁ ଭିଡ଼ିଧରି ଯେପରି ସବୁକିଛି ଭୁଲି ଯାଇଥାଏ, ତାଙ୍କର ମନର ଅବସ୍ଥା ସେପରି ହୋଇଥିଲା । ସଂସାର, ଯୁଗ ଯୁଗ ଧରି ସାଙ୍ଗରେ କାମ କରୁଥିବା ସାଥୀମାନେ ଗୋଟିଏ ସମୟରେ ସିଦ୍ଧାନ୍ତ ଓ ବିଚାର ଦୃଷ୍ଟିରୁ ତାଙ୍କ ଠାରୁ ଦୂରେଇ ଯାଇଥିଲେ କିନ୍ତୁ ଏହି ସବୁ ଅବଲମ୍ବନର ଯାହା ମୂଳ ତାକୁ ସେ ଛାଡ଼ିନଥିଲେ । 
ରାମରକ୍ଷା ସ୍ତ୍ରୋତ୍ର ବୁଧକୌଶିକ ଋଷିଙ୍କ ଦ୍ୱାରା ରଚିତ । ଭଗବାନ ଶଙ୍କର ରାତିରେ ସ୍ୱପ୍ନରେ ଯେପରି ଭାବରେ କହିଥିଲେ, ପ୍ରାତଃକାଳରେ ଜାଗ୍ରତ ହେବା ପରେ ବୁଧକୌଶିକ ଋଷି ଠିକ ସେହିପରି ଭାବରେ ଏହା ଲେଖିଥିଲେ । ଏହି ମନ୍ତ୍ରଟି ମଧ୍ୟ ରାମରକ୍ଷା ସ୍ତ୍ରୋତ୍ରରୁ ଉର୍ଦ୍ଧୃତ ହୋଇଛି । ପାଠକମାନଙ୍କର ସୁବିଧା ନିମନ୍ତେ ଏହାର ଭାବାର୍ଥ ମଧ୍ୟ ପ୍ରଦାନ କରାଯାଇଛି । ରାମନବମୀରେ ଏବଂ ନିତ୍ୟ ପୂଜା ସମୟରେ ମଧ୍ୟ ପାଠକମାନେ ଏହାକୁ ପାଠ କରି ଏହାର ଫଳ ପ୍ରାପ୍ତି କରିପାରିବେ । “ଆପଦାମପହର୍ତ୍ତାରଂ ଦାତାରଂ ସର୍ବସମ୍ପଦାମ୍ । ଲୋକଭିରାମଂ ଶ୍ରୀରାମଂ ଭୂୟୋ ଭୂୟୋ ନମାମ୍ୟହମ୍ ।’ ଅର୍ଥାତ୍ ଯେ ବିପତ୍ତି ହରଣ କରନ୍ତି ଏବଂ ସକଳ ସମ୍ପଦ ପ୍ରଦାନ କରନ୍ତି, ସହି ଲୋକାଭିରାମ ଭଗବାନ ରାମଙ୍କୁ ମୁଁ ବାରମ୍ବାର ନମସ୍କାର କରୁଛି । 
ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଦିବସ ସାରା ଦେଶରେ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରାଯାଇଥାଏ । ଭଗବାନଙ୍କର ସପ୍ତମ ଅବତାର ଶ୍ରୀରାମଚନ୍ଦ୍ର ଧରାପୃଷ୍ଠରେ ମାନବ ଶରୀର ଧାରଣ କରି ଆସୁରିକ ଶକ୍ତିର ବିନାଶ କରିବା ସହିତ ଆଦର୍ଶ ମାନବ, ଆଦର୍ଶ ଗୃହସ୍ଥ ଏବଂ ଆଦର୍ଶ ରାଜାର ଦୃଷ୍ଟାନ୍ତ ଉପସ୍ଥାପନ କରିଯାଇଛନ୍ତି । ତାଙ୍କର ଜୀବନୀକୁ ନେଇ ରଚିତ ପବିତ୍ର କାବ୍ୟଗ୍ରନ୍ଥ ରାମାୟଣରୁ ଆଦର୍ଶ ଜୀବନ ନିମନ୍ତେ ଉପାଦେୟ ଶିକ୍ଷା ମିଳିଥାଏ । ମହର୍ଷି ବାଲ୍ମିକୀ ସଂସ୍କୃତ ଭାଷାରେ କାବ୍ୟରୂପରେ ରାମାୟଣ ରଚନା କରିଥିଲେ । ରାମନାମ ଜପି ଜପି ଦସୁ୍ୟ ରତ୍ନାକର କିପରି ମହର୍ଷି ବାଲ୍ମିକୀରେ ପରିଣତ ହେଲେ ତାହା ପାଠକମାନେ ଜାଣିଛନ୍ତି । ରାମନାମର ପ୍ରଭାବ ଓ ମହିମା ଏଥିରୁ ଅନୁମେୟ । ସଂସ୍କୃତ ଭାଷାରେ ରଚିତ ବାଲ୍ମିକୀ ରାମାୟଣ ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରାନ୍ତୀୟ ଭାଷାରେ ଅନୁବାଦିତ ହୋଇଛି । ତେବେ ପଞ୍ଚଦଶ ଶତାବ୍ଦୀରେ ଏହାକୁ ଲୌକିକ (ଅୱଧି ଭାଷାରେ) ଭାଷାରେ ରଚନା କରି ଅଧିକ ଲୋକ ପ୍ରିୟ କରାଇଥିଲେ ତୁଳସୀ ଦାସ । ସଂଗୀତ ବାଦନ ସହିତ ସୁମଧୁର ସ୍ୱରରେ ରାମ ଚରିତ ମାନସ ଗାୟନ ଉତ୍ତର ଭାରତରେ ଅତ୍ୟନ୍ତ ଲୋକପ୍ରିୟ । 
ସ୍ୱୟଂ ଭଗବାନ ଶଙ୍କର ଦେବୀ ପାର୍ବତୀଙ୍କୁ ଏକ ମହାର୍ଘ ମନ୍ତ୍ର ପ୍ରଦାନ କରିଥିଲେ ଯେଉଁ ମନ୍ତ୍ରର ଫଳ ବିଷ୍ଣୁ ସହସ୍ରନାମ ସମାନ । ଏହି ଗୋପନୀୟ ମନ୍ତ୍ରକୁ ବୁଦ୍ଧକୌଶିକ ଋଷି ତାଙ୍କର ପ୍ରଘଟ କରିଦେଇଥିଲେ ଜନସାଧାରଣଙ୍କ କଲ୍ୟାଣ ଉଦେ୍ଦଶ୍ୟରେ । ସେହି ମନ୍ତ୍ରଟି ହେଉଛି “ରାମ ରାମେତି ରାମେତି ରମେ ରାମେ ମନୋରମେ । ସହସ୍ରନାମ ତତ୍ତୁଲ୍ୟଂ ରାମନାମ ବରାନନେ ।’ ଅର୍ଥାତ ରାମ ରାମ ରଟି ମୁଁ ସର୍ବଦା ମନୋରମ ରାମନାମରେ ହିଁ ରମଣ କରୁଛି । ରାମନାମ ହେଉଛି ବିଷ୍ଣୁ ସହସ୍ର ନାମ ସମାନ । ଶ୍ରୀମହାଦେବ ପାର୍ବତୀଙ୍କୁ ଏକଥା କହୁଛନ୍ତି । ଏହି ମନ୍ତ୍ରଟି ରାମରକ୍ଷା ସ୍ତ୍ରୋତ୍ରର ଶେଷ ଶ୍ଲୋକରେ ଉଲ୍ଲେଖ ରହିଛି । ପାଠକ ଓ ଭକ୍ତମାନେ ରାମନବମୀ ସମୟରେ ତ ଏହାକୁ ପାଠ କରିବେ । ପ୍ରତିଦିନ ଏହାକୁ ପାଠ କଲେ ଏହାର ଫଳ ସ୍ୱୟଂ ଅନୁଭବ କରିପାରିବେ । 
ମୋ : ୯୪୩୭୨୨୫୬୮୯