ମହାନ ସ୍ୱାଧୀନତା ସଂଗ୍ରାମୀ ଶୈଫୁଦ୍ଦିନ୍‌ କିଚଲୁ

ମହାନ ସ୍ୱାଧୀନତା ସଂଗ୍ରାମୀ ଶୈଫୁଦ୍ଦିନ୍‌ କିଚଲୁ

ଇତିହାସ ପୃଷ୍ଠାକୁ ଅବଲୋକନ କଲେ ଆମର ଏମିତି ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଅବଧାରଣା ହୁଏ, ଯେଉଁମାନେ ଆମ ଦେଶର ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ସେହି ବରପୁତ୍ରମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଶୈଫୁଦ୍ଦିନ କିଚ୍‌ଲୁ । ଶୈଫୁଦ୍ଦିନ କିଚ୍‌ଲୁଙ୍କ ଜନ୍ମ ୧୮୮୮ ମସିହା ଜାନୁଆରୀ ୧୫ ତାରିଖରେ ପଞ୍ଜାବର ଅମୃତସର ଠାରେ ଏକ କାଶ୍ମୀରୀ ମୁସଲିମ୍‌ ପରିବାରରେ ହୋଇଥିଲା । ସେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଅମୃତସରର ଇସଲାମିଆ ଉଚ୍ଚ ବିଦ୍ୟାଳୟରୁ ଆରମ୍ଭ କରିଥିଲେ । ପରେ ସେ କେମ୍ରିଜ୍‌ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ଜର୍ମାନ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ । ୧୯୧୫ ମସିହା ବେଳକୁ ସେ ଭାରତ ପ୍ରତ୍ୟାବର୍ତ୍ତନ କରିବା ପରେ ଅମୃତସର ମ୍ୟୁନିସିପାଲିଟି କମିଶନର ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ଏହି ସମୟରେ ଦେଶର ସ୍ଥିତି ତାଙ୍କୁ ବ୍ୟଥିତ କରିଥିଲା ଏବଂ ସେ ଗାନ୍ଧିଜୀଙ୍କ ସଂସ୍ପର୍ଶରେ ଆସି ରାଓଲଟ୍‌ ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇ ନିଜର ଦେଶଭକ୍ତି ଓ ରାଷ୍ଟ୍ରବାଦର ପରିଚୟ ଦେଇଥିଲେ । ରାଓଲଟ୍‌ ଆକ୍ଟକୁ ବିରୋଧ କରିବାରୁ ତାଙ୍କୁ ଓ ଡ.ସତ୍ୟପାଲଙ୍କୁ ଗିରଫ କରାଯାଇଥିଲା । 

   ଏହାର ପ୍ରତିବାଦରେ ୧୯୧୯ ଏପ୍ରିଲ ୧୩ ତାରିଖ ଦିନ ଶତାଧିକ ଲୋକ ଜାଲିଅାଁନାୱାଲାବାଗ୍‌ ଠାରେ ଏକତ୍ରିତ ହୋଇଥିଲେ । କିନ୍ତୁ ଏହି ଶାନ୍ତିପୂର୍ଣ୍ଣ ଭିଡ ଉପରେ ଜେନରାଲ ଡାୟାରଙ୍କ ନିର୍ଦ୍ଦେଶରେ ଆଖିବୁଜା ଗୁଳିଚାଳନା କରାଯାଇଥିଲା ଯାହାଦ୍ୱାରା ଶତାଧିକ ନିରୀହ ଜନତାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଇଂରେଜମାନଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମ ତୀବ୍ରତର ହୋଇଥିଲା । ଶୈଫୁଦ୍ଦିନ କିଚ୍‌ଲୁ ପରବର୍ତ୍ତୀ ସମୟରେ ‘ନୌଯବାନ ଭାରତ ସଭା’ର ସ୍ଥାପନା କରି ଯୁବବର୍ଗକୁ ଭାରତର ରାଷ୍ଟ୍ରବାଦ ତଥା ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ । ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଶୈଫୁଦ୍ଦିନ କିଚ୍‌ଲୁ ୧୯୨୦ ମସିହାରେ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ସହସମ୍ପାଦକ ଭାବରେ ଏହାର ମୂଳଦୁଆ ପକାଇଥିଲେ । ତାହା ସହିତ ୧୯୨୧ ମସିହାରେ ଅମୃତସର ଠାରେ ସ୍ୱରାଜ ଆଶ୍ରମ ସ୍ଥାପନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏହି ସବୁ ଅନୁଷ୍ଠାନ ମାଧ୍ୟମରେ ସେ ଯୁବପିଢିଙ୍କ ମଧ୍ୟରେ ଶିକ୍ଷାର ମହତ୍ତ୍ୱ ସହିତ ଦେଶାତ୍ମବୋଧ ଓ ଧାର୍ମିକ ଭେଦଭାବରୁ ଊଦ୍ଧ୍ୱର୍ରେ ହିନ୍ଦୁ-ମୁସଲମାନ ମଧ୍ୟରେ ଭାଇଚାରାକୁ ସୁଦୃଢ କରିବାର ଅଭିନବ ପ୍ରୟାସ କରିଥିଲେ । ଭାରତ ସ୍ୱାଧୀନତା ସମୟରେ ସେ ଦେଶର ବିଭାଜନକୁ ତୀବ୍ର ବିରୋଧ କରିଥିଲେ ଓ ଏହାପାଇଁ ଅନେକ ଜନସଭାର ଆୟୋଜନ କରିଥିଲେ । କିନ୍ତୁ ତାଙ୍କର ଏହି ପ୍ରଚେଷ୍ଟା ସତ୍ତେ୍ୱ ଦେଶର ବିଭାଜନକୁ ସେ ରୋକିପାରିନଥିଲେ ।

   ସେ ଏହାକୁ ସାମ୍ପ୍ରଦାୟିକତା ସମ୍ମୁଖରେ ରାଷ୍ଟ୍ରବାଦର ଆତ୍ମସମର୍ପଣ ବୋଲି ଆଖ୍ୟା ଦେଇଥିଲେ । ପରେ ସେ କଂଗ୍ରେସ ପାର୍ଟି ଛାଡି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନିକଟବର୍ତ୍ତୀ ହୋଇଥିଲେ । ସେ ଅଖିଳ ଭାରତୀୟ ଶାନ୍ତି ପରିଷଦ (All India Peace Council) ର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ହେବା ସହିତ ତକ୍ରାଳୀନ ବିଶ୍ୱ ଶାନ୍ତି ପରିଷଦ (World Peace Council)ର ଉପାଧ୍ୟକ୍ଷ ମଧ୍ୟ ଥିଲେ । ୧୯୫୧ ମସିହାରେ ଏକ ସରକାରୀ ଅଧିନିୟମ ଅନୁଯାୟୀ ଜୱାହାରଲାଲ୍‌ ନେହେରୁ ଏବଂ ମୌଲାନା ଅବୁଲ କାଲାମ ଆଜାଦଙ୍କ ସହିତ ତାଙ୍କୁ ଜାଲିଆନାୱାଲାବାଗ ଜାତୀୟ ମେମୋରିଆଲ୍‌ର ଆଜୀବନ ଟ୍ରଷ୍ଟି କରାଯାଇଥିଲା । ୧୯୫୨ ମସିହାରେ ତାଙ୍କୁ ଷ୍ଟାଲିନ୍‌ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ଦେଶ ପାଇଁ ନିଜ ଜୀବନର ଶେଷ ସମୟ ପର୍ଯ୍ୟନ୍ତ କାର୍ଯ୍ୟରତ ରହି ସେ ୧୯୬୩ ମସିହା ଅକ୍ଟୋବର ୦୯ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହି ମହାନ୍‌ ନେତା ନିଜ କାର୍ଯ୍ୟ ମାଧ୍ୟମରେ ବର୍ତ୍ତମାନର ଯୁବପିଢିଙ୍କୁ ଦେଶ ମଧ୍ୟରେ ଯେ କୌଣସି ପରିସ୍ଥିତିରେ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖି ସାମାଜିକ ସୌହାର୍ଦ୍ଦ୍ୟକୁ ଦୃଢ କରିବାକୁ ଶିକ୍ଷା ଦେଇଯାଇଛନ୍ତି, ଯାହା ପ୍ରତି ଆମେ ସମସ୍ତ ଭାରତୀୟ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ।