ଚାରୋଟି ରାଜପଥକୁ ସଂଯୋଗ କରିବ ଗ୍ରେଟର ସମ୍ବଲପୁର ରିଂରୋଡ଼

sambalpur Highway

ଚାରୋଟି ରାଜପଥକୁ ସଂଯୋଗ କରିବ ଗ୍ରେଟର ସମ୍ବଲପୁର ରିଂରୋଡ଼

ସମ୍ବଲପୁର  – କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନାରେ ସାମିଲ ସମ୍ବଲପୁରର ଗ୍ରେଟର ବା ନେକ୍‌ଲେସ୍‌ ରିଂ ରୋଡ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କିଛି ମାସ ମଧ୍ୟରେ ଆରମ୍ଭ ହେବ । ଗତମାସ ଏହି ବହୁ ପ୍ରତିକ୍ଷୀତ ଓ ବିଳମ୍ବିତ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେଲା ପରେ ରିଂରୋଡର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । କ୍ରମବର୍ଦ୍ଧିଷ୍ଣୁ ସମ୍ବଲପୁର ସହର ଏବଂ ଉପକଣ୍ଠରେ ଯାନବାହନ ଭିଡ଼କୁ ହ୍ରାସ କରିବା, ସ୍ୱାଭାବିକ ପରିବହନ ସୁବିଧା ଓ ଟ୍ରାଫିକ୍‌ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ୨୦୧୬ ମସିହାରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନାର କିଛି ବର୍ଷ ପୂର୍ବରୁ ଅନୁମୋଦିତ ରାସ୍ତା ପ୍ରକଳ୍ପମାନଙ୍କ ମଧ୍ୟରେ ଚାରି ଲେନ୍‌ ବିଶିଷ୍ଟ ୩୫.୩୮ କିଲୋମିଟର ଦୈର୍ଘ୍ୟର ସମ୍ବଲପୁର ରିଂରୋଡ ପ୍ରକଳ୍ପ ସ୍ଥାନ ପାଇଛି । ଏଥିପାଇଁ ୧୩୩୩ କୋଟି ଟଙ୍କା ଖଚ୍ଚ ହେବ  । ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ସକାଶେ ମୂଲ୍ୟ ନିର୍ଦ୍ଧାରିତ ହୋଇଥିବା ବେଳେ ଜମିର ମାଲିକାନା ଜାତୀୟ ରାଜପଥ ପ୍ରାଧିକରଣ ଏନ୍‌ଏଚ୍‌ଏଆଇକୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ମୂଳ ସମନ୍ୱିତ ପ୍ରକଳ୍ପ ରିପୋର୍ଟ-ଡିପିଆର୍‌ ଏବଂ ସର୍ଭେ ଅନୁଯାୟୀ ଆସନ୍ତା ଡିସେମ୍ବର ମାସ କିମ୍ବା ନୂଆଁ ବର୍ଷରୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସମ୍ବଲପୁର ସହର ଉପକଣ୍ଠ ବୁର୍ଲା ନିକଟସ୍ଥ କଳାମାଟି ଗ୍ରାମରୁ ଗୁଣ୍ଡେରପୁର, ମାନେଶ୍ୱର, ଜୟନ୍ତପୁର ପ୍ରଭୃତି ୨୭ଟି ଗ୍ରାମ ଦେଇ ପ୍ରକଳ୍ପିତ ରାସ୍ତା ୧୦ ନମ୍ବର ରାଜ୍ୟ ରାଜପଥର ଶାସନକୁ ସଂଯୋଗ କରିବ । ଏହା ଦୁଇଟି କରି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ସଂଯୋଗ କରିବ । କିଛି ବର୍ଷ ପୂର୍ବରୁ ଏହି ପ୍ରକଳ୍ପ ପାଇଁ ଉପଗ୍ରହ ଚିତ୍ର ଜରିଆରେ ଜମି ଚିହ୍ନଟ କରାଯାଇଥିଲା । ସମ୍ବଲପୁର-ସୋନପୁର, ସମ୍ବଲପୁର-ରାଉରକେଲା ରାଜ୍ୟ ରାଜପଥ, ସମ୍ବଲପୁର-ଅନୁଗୁଳ, ସମ୍ବଲପୁର-ମୁମ୍ବାଇ ଓ ସମ୍ବଲପୁର-କୋଲକାତା ଜାତୀୟ ରାଜପଥ ଦେଇ ଆସୁଥିବା ଭାରିଯାନକୁ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଆଉ ସହର ଭିତରକୁ ଆସିବାକୁ ପଡ଼ିବ ନାହିଁ  । ସୂଚନାଯୋଗ୍ୟ ଯେ, ୨୪ଟି ଗ୍ରାମର ୩୭୦ ଏକଡ଼ ଘରୋଇ, ୭୫ ଏକଡ଼ ସରକାରୀ ଓ ୩୩ ଏକଡ଼ ଜଙ୍ଗଲ ଜମିକୁ ମିଶାଇ ୫୮୦ ଏକଡ଼ ଜମି ପ୍ରକଳ୍ପ ପାଇଁ ଅଧିଗ୍ରହଣ ହେବ ବୋଲି ଅନୁମାନ କରାଯାଉଛି । ଏହି ସଡ଼କ ୪ ଥାକିଆ ହେବ । ପ୍ରକଳ୍ପ ପାଇଁ ୧ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟ୍ଟକଳ ଅନୁମାନ କରାଯାଉଛି । ଏହା ବୈଜାମୁଣ୍ଡା ମୌଜାର ଗୋଶାଳା ଛକ ବାବୁବନ୍ଧ ଠାରୁ ବାହାରି ସାନସିଂହାରୀ, ଜାମପାଲି, ବରମପୁରା, ମାନେଶ୍ୱର, ଜୟନ୍ତପୁର, ତବଲା, ସଡ଼ାସିଂହା, ଦେଦର ନୂଆପାଲି ହୋଇ ୧୦ ନମ୍ବର ରାଜ୍ୟ ରାଜପଥର ଅଜିତପୁର ଶାସନକୁ ସଂଯୋଗ କରିବ । ଏଥିପାଇଁ ବ୍ରହ୍ମପୁରା ଠାରେ ଆଉ ଏକ ମହାନଦୀ ସେତୁ ସହିତ ୨ଟି ରେଲୱେ ଓଭରବ୍ରିଜ, ହରଡ଼ ସହିତ ବିଭିନ୍ନ ଜୋର ଓ କେନାଲ ଉପରେ ମଧ୍ୟ ବିଭିନ୍ନ ଉଚ୍ଚତାର ସେତୁ ନିର୍ମାଣ କରାଯିବ । ଏଥିସହିତ ଜାତୀୟ ରାଜପଥ ଉପରେ ଫ୍ଲାଏଓଭର ଯୋଜନା କରାଯାଇଛି ।