କାମାକ୍ଷା ଏକ୍ସପ୍ରେସ ଲାଇନ୍ଚୁ୍ୟତ: ୧ ମୃତ, ୧୫ ଆହତ


ଲାଇନଚୁ୍ୟତ ହେଲା ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ । ମଙ୍ଗୁଳି ସ୍ଥିତ ନିର୍ଗୁଣ୍ଡି ନିକଟରେ ଆଜି ପୂର୍ବାହ୍ନ ୧୧.୫୪ରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏକ୍ସପ୍ରେସର ୧୧ଟି ବଗି ଧାରଣାରୁ ଖସି ପଡ଼ିଥିଲା । ଫଳରେ ଏଥିରେ ଜଣେ ଯାତ୍ରୀଙ୍କ ମୃତୁ୍ୟ ହୋଇଥିବା ବେଳେ ୧୫ଜଣ ଆହତ ହୋଇ ଏସ୍ସିବିରେ ଭର୍ତ୍ତି ହୋଇଥିବା ସୂଚନା ଦେଇଛନ୍ତି ରେଳ କର୍ତ୍ତୃପକ୍ଷ । ମୃତଯାତ୍ରୀଙ୍କ ପକେଟ୍ରୁ ମିଳିଥିବା  ଆଧାରକାର୍ଡ ଓ ଡ୍ରାଇଭିଂ ଲାଇସେନ୍ସରୁ ସେ ପଶ୍ଚିମବଙ୍ଗର ଶୁଭଙ୍କର ରାୟ (୪୨) ବୋଲି ଜଣାପଡ଼ିଛି । ସେହିପରି ୧୫ ଆହତ ଯାତ୍ରୀଙ୍କ ମଧ୍ୟରୁ ୧୨ଜଣଙ୍କ ଆଶୁ ଚିକିତ୍ସା କରି ଛାଡ଼ି ଦିଆଯାଇଥିବା ଅନ୍ୟ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଚିକିତ୍ସା ଜାରି ରହିଥିବା କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ପୂର୍ବତଟ ରେଳବାଇ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚô ସ୍ଥିତି ଅନୁଧ୍ୟାନ କରିବା ସହ ରେଳ ବିଭାଗ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରିଥିଲେ । ସେହିପରି ଫଲକନାମା, ସିକନ୍ଦରାବାଦ, ଧଉଳି, ନିଳାଚଳ ଓ ପୁରୁଲିଆ ସୁପରଫାଷ୍ଟ ଟ୍ରେନର ଗତିପଥ ବଦଳାଯାଇଥିବା ବେଳେ ଡାଉନ ଲାଇନରେ ୧୨ଟି ଟ୍ରେନରେ ଗତିପଥ ପରିବର୍ତ୍ତନ କରାଯାଇଥିଲା ।
ଦୁର୍ଘଟଣା ପରେ କାମାକ୍ଷା ଏକ୍ସପ୍ରେସ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଥିଲା । ଏହି ସ୍ୱତନ୍ତ୍ର ଟ୍ରେନ୍ ଚୌଦ୍ୱାରରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ନେଇ ଗନ୍ତବ୍ୟ ଅଭିମୁଖେ ଯାଇଥିଲା । ଏହି ସ୍ୱତନ୍ତ୍ର ଟ୍ରେନରେ ଯାତ୍ରୀଙ୍କ ପାଇଁ ଖାଦ୍ୟ, ପାନୀୟ ବ୍ୟବସ୍ଥା ସମେତ ଡାକ୍ତରୀ ସୁବିଧା ଏବଂ ଏନ୍ଡିଆରଏଫ୍ ଟିମ୍କୁ ନିୟୋଜିତ କରାଯାଇଥିଲା । ଅପରାହ୍ନ ୫ଟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା ବୋଲି ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅପରପକ୍ଷେ ଦୁର୍ଘଟଣାର ତଦନ୍ତ ପାଇଁ ରେଲୱେ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ।