ମଣ୍ଡି ପଞ୍ଜୀକରଣରେ ଅନିୟମିତତା

 ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ସାରୁ ସମବାୟ ସମିତିରେ ଜଣେ ଚାଷୀ ମଣ୍ଡିରେ ଧାନ ବିକିବା ଲାଗି ପଞ୍ଜୀକରଣ କରିଥିବା ଜମି ଟାର୍ଗେଟ ଆସିବା ପରେ ସମବାୟ ସମ୍ପାଦକଙ୍କ ନାଁରେ ଅନିୟମିତତା ଅଭିଯୋଗ କରିଛନ୍ତିି । ସାରୁ ସେବା ସମବାୟ ସମିତିର ସମ୍ପାଦକ ଏକଚାଟିଆ ନୀତିରେ ଚାଲିଛନ୍ତି ବୋଲି କୃଷକମାନେ ଅଭିଯୋଗ କରିଛନ୍ତିି । ଏହି ସମ୍ପାଦକଙ୍କ ଏକଚାଟିଆ ନୀତି ଯୋଗୁଁ  କୃଷକମାନେ କୌଣସି ସୁବିଧା ପାଇ ପାରୁନାହାନ୍ତି । ବିହନ ଠାରୁ ଆରମ୍ଭ କରି ସାର, ଋଣ ପ୍ରଦାନ, ଋଣ ଛାଡ, ବୀମା ପ୍ରଦାନରେ ସମ୍ପାଦକ ହେରଫେର କରି ନିଜ ପକେଟ ଗରମ କରୁଛନ୍ତି । ସେହିପରି ଚାଷୀମାନଙ୍କୁ ଧାନମଣ୍ଡି ସକାଶେ ପଞ୍ଜିକରଣ କରିପାରୁନଥିବା ବେଳେ ସମ୍ପାଦକ ଓ ମିଲରଙ୍କ ଅସାଧୁତା ଗୋଲକ ଧନ୍ଦାଯୋଗୁଁ ବ୍ୟବସାୟୀଙ୍କ ନାମ ପଞ୍ଜିକୃତ ହୋଇଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ସାରୁ ଗ୍ରାମର ଚାଷୀ ରମେଶ ଚନ୍ଦ୍ର ସାହୁ ୫ ଏକର ଜମି ପଞ୍ଜିକରଣ ନିମନ୍ତେ ସମ୍ପାଦକଙ୍କୁ ଆବଶ୍ୟକ ନଥିପତ୍ର ଦାଖଲ କରିଥିଲେ । ଧାନ ବିକିବା ବେଳକୁ ମାତ୍ର ୧୮ ଡେସିମିଲି  ହୋଇଥିବା ମେସେଜ ଆସିବା ପରେ  କମ ପଞ୍ଜିକୃତ ହୋଇଥିବା ନେଇ ଚାଷୀ ଜଣକ ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି । ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି, ମୁଖ୍ୟମନ୍ତ୍ରୀ, କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ପ୍ରେରିତ କରିଛନ୍ତି  । ଫଳରେ ସରକାରଙ୍କୁ ମଣ୍ଡିରେ ଧାନ ବିକ୍ରି କରିବାରୁ ସେ ବଞ୍ଚିତ ହୋଇୁଛନ୍ତି । ସାରୁ ସମବାୟ ସମିତି ଅଧିନରେ ସମ୍ପାଦକ ନିଜ ସମ୍ପର୍କୀୟ ଓ ମିଲରଙ୍କ ବେପାରୀ ଚାଷୀ ନିଜ ଧାନ ବିକ୍ରି କରି ଟଙ୍କା ପାଇସାରିଥିବା ବେଳେ ବହୁ ଚାଷୀଙ୍କ ଟୋକନ ଆସିନଥିବା ଜଣାପଡିଛି । ସମବାୟ ସମ୍ପାଦକ ତଞ୍ଚକତା କରିଥିବା ଅଭିଯୋଗ କରିଛନ୍ତି ରମେଶ ଓ ଗ୍ରାମବାସୀ । ସେଠାକାର ସମବାୟ ସମ୍ପାଦକ ଜାଣି ଶୁଣି ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ଦାଖଲ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି  । ସମ୍ପାଦକ ମିଲର ଓ ଯୋଗାଣ ଅଧିକାରୀଙ୍କ ଗୋଲକ ଧନ୍ଦାଯୋଗୁଁ  ଚାଷୀ ଲୁଟର ଶିକାର ହେଉଛନ୍ତି । ସମ୍ପାଦକ ଯାହାକୁ ଚାହିଁବେ ତାଙ୍କର ଧାନ ଉଠିବ । ଫଳରେ ଚାଷୀ ହାତରୁ ଅଖା କିଣି ଟ୍ରାକ୍ଟରରେ ଧାନ ନେଇ ମିଲ ଆଗରେ ଜଗି ରହୁଛନ୍ତି । କଟଣୀ ଛଟଣି ପରେ ସରକାରୀ ଇନପୁଟ ସବସିଡି ୮୦୦ ଟଙ୍କାରୁ ୪୦୦ ଟଙ୍କା ମିଲର ମାଗୁଛନ୍ତି । ଚାଷୀ ମନାକଲେ ନିମ୍ନମାନର ଦର୍ଶାଇ ଏଣ୍ଟ୍ରି କରୁନଥିବା ଅଭିଯୋଗ କରିଛନ୍ତିି ଚାଷୀ । ଏହାର ବିଧିବଦ୍ଧ ତଦନ୍ତ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କଲେ ଚାଷୀ କୂଳ ଉପକୃତ ହୋଇପାରିବେ ବୋଲି ଦାବି କରିଛନ୍ତି  ।