ଭୂତକୋଠି ପାଲଟିଛି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ
ବୁଗୁଡ଼ା: ବୁଗୁଡ଼ା ବ୍ଲକ କଲୋନୀ ପରିସରରେ ଥିବା ବୁଗୁଡ଼ା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏବେ ଭୂତ କୋଠି ପାଲଟିଛି । ୧୯୮୨ ମସିହାରେ ସ୍ଥାପିତ ହୋଇଥିବା ଏହି କାର୍ଯ୍ୟାଳୟ ଉପରେ ବୁଗୁଡ଼ା ସହର ସମେତ ଗୋଳାବନ୍ଧ, ଭାମଶ୍ୟାଳି, ଗୋଲିଆ ପଞ୍ଚାୟତର ଜନସାଧାରଣ ନିର୍ଭର କରୁଥିବାବେଳେ ଦୀର୍ଘ ୧୨ବର୍ଷ ହେଲା ଏହି କାର୍ଯ୍ୟାଳୟ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି । ୨୦୧୩ ମସିହାରେ ହୋଇଥିବା ମହାବାତ୍ୟା ଫାଇଲିନ ପରେ ଏହି କାର୍ଯ୍ୟାଳୟ କୋଠାକୁ ବିପଦସଂକୁଳ ଘୋଷଣା କରାଯାଇ ଏହାକୁ ବ୍ଲକ ଅଫିସ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ଘୁଞ୍ଚାଇ ଦିଆଯାଇଥିଲା ଏବଂ ଏବେ ପ୍ରାୟ ୫ବର୍ଷ ହେଲା ଷୋଳମଇଲି ସ୍ଥାନାନ୍ତରିତ ହୋଇଯିବା ଫଳରେ ବିଭିନ୍ନ କାର୍ଯ୍ୟରେ ଆରଆଇ ଅଫିସକୁ ଆସୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ଲକ ପରିସରରେ ଥିବା ପୁରୁଣା ଆଇଆଇ ଅଫିସ କୋଠା ବର୍ତ୍ତମାନ ସୁଦ୍ଧା ମରାମତି କରାଯାଇ ନ ଥିବାରୁ ସେଠାରେ ଗଛ ଓ ଲତା ସହ ଅନାବନା ଗଛ ଉଠି ଜଙ୍ଗଲ ହୋଇ ଗଲାଣି । ପରିତ୍ୟକ୍ତ ହୋଇ ପଡି ରହିବା ଫଳରେ ଉକ୍ତ କୋଠା ସାପ ଆଦି ସରୀସୃପଙ୍କ ବାସସ୍ଥଳୀ ପାଲଟିଗଲାଣି । ସାହି ଭିତରେ ଏହିପରି ପରିତ୍ୟକ୍ତ କୋଠା ଯୋଗୁଁ ସାହି ବାସିନ୍ଦାଙ୍କ ସମେତ ତାକୁ ଲାଗି ବ୍ଲକ କ୍ୱାଟରରେ ରହୁଥିବା କର୍ମଚାରୀ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏହି କୋଠାର ପୁନରୁଦ୍ଧାର କରିବା ସହ ଏଠାରେ ରାଜସ୍ୱ କାର୍ଯ୍ୟାଳୟ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବି ହେଉଛି ।