ମଦପି କାର ଭଙ୍ଗାରୁଜା ସହ ଆକ୍ରମଣ ; ୩ ଗିରଫ

ଭୁବନେଶ୍ୱର, ୩ା୯ : ଏକ ଦୃର୍ଘଟଣାର ସମାଧାନ ପରେ ଅଭିଯୋଗକାରୀ କାରରେ ଘରକୁ ଯିବା ସମୟରେ ତାଙ୍କୁ ୩ ଜଣ ମଦ୍ୟପ ଯୁବକ ଅଟକାଇ ଯୋରଜବରଜସ୍ତ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ତାଙ୍କ କାରକୁ ଭାଙ୍ଗି ଚୁରମାର କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୩ ଅଭିଯୁକ୍ତ ହେଲେ, ସହିଦନଗର ଅଞ୍ଚଳର ରାଜେଶ କର, ୟୁନିଟ୍-୩ର ଶିବ ପାତ୍ର ଓ ଲୋକନାଥ ପାଢ଼ୀ ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ଅନୁଭବ ପଟ୍ଟନାୟକ ୟୁନିଟ୍-୩ ଅଞ୍ଚଳରେ ରୁହନ୍ତି । ଗତ ୧ ତାରିଖ ଦ୍ୱିପହରେ ନିଜ କାର ଯୋଗେ ଅଭିଯୋଗକାରୀ ନିଜ ଘରକୁ ଫେରୁଥିଲେ । ସେହି ସମୟରେ ଘର ନିକଟରେ ଥିବା ହୋଟେଲ ସମ୍ମୁଖରେ ଏକ ଜୋମାଟୋ ଡେଲିଭରି ବଏଙ୍କ ସହିତ ତାଙ୍କର ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାର କିଛି ସମୟ ପରେ ଡେଲିଭରି ବଏ ସୁସ୍ଥତା ଅନୁଭବ କରିବା ପରେ ସେଠାରୁ ଚାଲିଯାଇଥିଲେ । ଏହାପରେ ନିଶାସକ୍ତ ଅବସ୍ଥାରେ ୩ ଜଣ ଅଭିଯୁକ୍ତ ସେଠାକୁ ଆସି ଅଭିଯୋଗକାରୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ କାର କାଚ ଭାଙ୍ଗି ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ କିଛି ସ୍ଥାନୀୟ ଲୋକେ ପହଞ୍ଚି ଅଭିଯୋଗକାରୀଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ପଠାଇଥିଲେ । ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୩ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।