ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ୧୪ତମ ପ୍ରତିଷ୍ଠା ଦିବସ ଶିଶୁଙ୍କୁ ଶୋଷଣ ଓ ଯୌନ ଉତ୍ପୀଡନ ସୁରକ୍ଷାକୁ ନେଇ ସରକାର ସମ୍ବେଦନଶୀଳ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କିଟ୍ କ୍ୟାମ୍ପସ-୫ ଠାରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ୧୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଶିଶୁମାନଙ୍କୁ ଶୋଷଣ, ନିର୍ଯାତନା ଓ ଯୌନ ଉତ୍ପୀଡନରୁ ସୁରକ୍ଷା ଦେବା ପାଇଁ ସରକାର ସମ୍ବେଦନଶୀଳ ଅଛନ୍ତି । ଆୟୋଗକୁ ଶକ୍ତିଶାଳୀ କରିବାକୁ ସମସ୍ତ ପ୍ରଚେଷ୍ଟା କରାଯିବ ସହ ହେଲଞ୍ଜଲାଇନ ନମ୍ବରକୁ ଗାଁ ଗାଁରେ ବ୍ୟାପକ କରାଯିବ ବୋଲି ଶ୍ରୀମତୀ ପରିଡା ମତବ୍ୟକ୍ତ କରିଥିଲେ । ଯୌନ ଉତ୍ପୀଡନର ପ୍ରଥମ ପ୍ରୟାସକୁ ହିଁ ବିରୋଧ କରିବ ବୋଲି ଶ୍ରୀମତୀ ପରିଡା ଛୋଟ ଛୋଟ ଶିଶୁମାନଙ୍କୁ ପରାମର୍ଶ ଦେଇଥିଲେ । ବାଲ୍ୟବିବାହ, ଶିଶୁ ଶ୍ରମିକ ଓ ଶିଶୁ ଚାଲାଣ ଭଳି ଆହ୍ୱାନକୁ ସାମ୍ନା କରିବା ପାଇଁ ସରକାରଙ୍କ ସହ ସମାଜସେବୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ପ୍ରୟାସ ଅତ୍ୟନ୍ତ ଜରୁରୀ ବୋଲି ସେ ମତପ୍ରକାଶ କରିଥିଲେ । ପରସ୍ପର ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବା ଦ୍ୱାରା ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା କହିଥିଲେ । ମହିଳା ଓ ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସମସ୍ତ ପ୍ରଚେଷ୍ଟା କରାଯାଉଛି । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ପୁଲିସ ଆଇଜି ଶ୍ରୀମତୀ ସାଇନି ଏସ ଶିଶୁ ସୁରକ୍ଷା ପ୍ରତି ପୁଲିସର ଆଭିମୁଖ୍ୟ ବାବଦରେ ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର ନିଜ ଅଭିଭାଷଣରେ ଶିଶୁମାନଙ୍କ ସୁରକ୍ଷା ପ୍ରତି ଆୟୋଗର ଆଭିମୁଖ୍ୟକୁ ଉପସ୍ଥାପନା କରିଥିଲେ । ରାଜ୍ୟର କୌଣସି ବି ସ୍ଥାନରେ ପିଲାମାନେ ଯଦି କୌଣସି ଅସୁବିଧାର ସମ୍ମୁଖୀନ ହେଉଥାନ୍ତି ତେବେ ଏହି ଦେୟମୁକ୍ତ ନମ୍ବର(୧୮୦୦-୩୪୫-୪୪୯୪)ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀମତୀ କର । ଏହି କାର୍ଯ୍ୟକ୍ରମରେ ୟୁନିସେଫ ରାଜ୍ୟ ମୁଖ୍ୟ ମିଷ୍ଟର ୱିଲିୟମ ହାନଲୋନ ଜୁନିଅର ମଧ୍ୟ ଉପସ୍ଥିତ ଥିଲେ ।
ବହୁ ବାଲ୍ୟବିବାହକୁ ସଫଳ ଭାବେ ରୋକିଥିବା ଦୁଇ କିଶୋରୀ ଯୋଦ୍ଧା ସମ୍ବଲପୁର ଜିଲ୍ଲାର ଅନାମିକା ଓରାମ ଓ ଗଞ୍ଜାମ ଜିଲ୍ଲାର ଆଶା ସାହୁ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ଅବସରରେ ଏହି ଦୁଇ କିଶୋରୀ ଯୋଦ୍ଧାଙ୍କ ସହ ବଲାଙ୍ଗିର ଜିଲ୍ଲାର ବୈଷ୍ଣବୀ ଧାରୁଆ ଜଗତସିଂହପୁରର ନନ୍ଦିନୀ ପ୍ରମୁଖକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ସାମଗ୍ରିକ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଶ୍ରେଷ୍ଠ ଜିଲ୍ଲା ଭାବେ ମୟୂରଭଞ୍ଜକୁ ଓ ଶ୍ରେଷ୍ଠ ଲିଗାଲ ସର୍ଭିସ ପାଇଁ ଯାଜପୁର ଜିଲ୍ଲାକୁ ସମ୍ମାନିତ କରାଯାଇଥିଲା । ନିଖୋଜ ପିଲାମାନଙ୍କର ଉଦ୍ଧାର ଓ ଥଇଥାନ ପାଇଁ ସନ୍ତୋଷ ପାତ୍ର, ଡିସିପି ଓ ବନିତା ମହାରଣା, ଇନ୍ସପେକଫରଙ୍କ ସହ ଶିଶୁ ସୁରକ୍ଷା ପାଇଁ କର୍ମରତ ବହୁ ସରକାରୀ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।