ପୁଣି ଆପାର୍ଟମେଣ୍ଟରେ ବୁଲାଇଲେ କଳାକନା
କଲେଜ ଅଧ୍ୟକ୍ଷଙ୍କ ଘରୁ ନେଇଗଲେ ୧୦୦ ଗ୍ରାମର ସୁନା ଓ ଟଙ୍କା
ଭୁବନେଶ୍ୱର, ୧୦ା୧୨: ପୁଣି ଧଉଳି ଥାନା ଅଞ୍ଚଳରେ ଆତଙ୍କ ଖେଳାଇଲେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ । କଲେଜ ଅଧ୍ୟକ୍ଷଙ୍କ ଘରୁ ନେଇଗଲେ ୧୦୦ ଗ୍ରାମ ସୁନା ଓ ନଗଦ ୪୦ ହଜାର ଟଙ୍କା । ପୂର୍ବରୁ ବାଲିଅନ୍ତ. ପାହାଳ, ପିପିଲି ଥାନା କେଇସି କଲେଜ ସମ୍ମୁଖରେ ଥିବା ଏକ ବହୁତଳ କୋଠାରେ ରହୁଥିବା ୪ ଜଣଙ୍କ ଘରୁ ମଧ୍ୟ ଚୋରୀ ହୋଇଥିଲା । ଘଟଣା ଘଟିବା ପରେ ପୁଲିସ ଛାନଭିନ କରିବା ସହ ବିଭିନ୍ନ ଅଞ୍ଚଳରେ ଘନ ଘନ ପଇଁତରା ମାରିଥିଲା । ପିପିଲି ପରେ ବାଲିଅନ୍ତା ଏବେ ଧଉଳି ଥାନାରେ ବହୁତଳ କୋଠାରୁ ଲୁଟ କରିଛନ୍ତି ଲୁଟେରା ଗ୍ୟାଙ୍ଗ୍ । ପାଖାପାଖି ୧୦୦ଗ୍ରାମର ସୁନା (ଯାହାର ମୂଲ୍ୟ ୭ରୁ ୮ ଲକ୍ଷ ଟଙ୍କା ହେବ )ଓ ନଗଦ ୪୦ ହଜାର ଟଙ୍କା ଲୁଟ କରିଛନ୍ତି । ଘଟଣାଟି ଘଟିଛି ଧଉଳି ଥାନା ଅଞ୍ଚଳରେ ।
ସୂଚନା ଯୋଗ୍ୟଯେ, ବାଳକୃଷ୍ଣ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ଏହି ଥାନା ଅଧିନ ଧଉଳି ଟ୍ରାଫିକ ଛକ ନିକଟରେ ଥିବା ବାପୁଜୀ ହାଇଟର ତୃତୀୟ ମହଲା ୩୦୪ ନମ୍ବର ଫ୍ଲାଟରେ ଦୀର୍ଘ ୭ ବର୍ଷ ଭଡା ସୂତ୍ରରେ ରୁହନ୍ତି । ସେ ସ୍ଥାନୀୟ ଏକ ଘରୋଇ କଲେଜର ଅଧ୍ୟକ୍ଷ ଭାବେ କର୍ଯ୍ୟରତ ଅଛନ୍ତି । ସେ ଗତ ୪ ତାରିଖରେ ବ୍ୟକ୍ତିଗତ କାମରେ ଭବାନୀପାଟଣା ଯାଇଥିଲେ । ସୋମବାର ସକାଳେ ତାଙ୍କ ଘରର ମୁଖ୍ୟ କବାଟ ତାଲା ଭାଙ୍ଗିଥିବା ପଡୋଶୀଙ୍କ ଠାରୁ ଶ୍ରୀ ପାଣିଗ୍ରାହୀ ଖବର ପାଇଥିଲେ । ହେଲେ ସେ ଭବାନୀପାଟଣାରେ ଥିବାରୁ ସଙ୍ଗେ ସଙ୍ଗେ ଆସିବା ସମ୍ଭବ ନ ହେବାରୁ ସେ କଲେଜର କିଛି କର୍ମଚାରୀଙ୍କୁ ସେଠାକୁ ପଠାଇଥିଲେ । ସେମାନେ ବହୁତଳ କୋଠାର ମାଲିକ ଉପସ୍ଥିତିରେ ଘର ଖୋଲିବା ପରେ ଆଲମିରାର ଲକର ଭାଙ୍ଗିଥିବା ସହ ଜିନିଷ ଗୁଡିକ ପଡିଥିବା ଦେଖିଥିଲେ । ପରେ ସେମାନେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ଦେଖିଥିଲେ । ସେଥିରେ ୪ ଜଣ ଦୁର୍ବୁତ୍ତ ମୁହଁରେ କଳା କପଡା ବାନ୍ଧି ଉକ୍ତ ଘରେ ପଶୁଛନ୍ତି । ଏହାର କିଛି ସମୟ ପରେ ଅର୍ଥାତ ଦୁର୍ବୁତ୍ତ ମାନେ ଯିବାପରେ ଏଠାରେ ନିୟୋଜିତ ସୁରକ୍ଷା କର୍ମୀ ଆସିଥିଲେ । ଅନ୍ୟପଟେ ପୂର୍ବାହ୍ନ ୧୧ ଟାରେ ଶ୍ରୀ ପାଣିଗ୍ରାହୀ ପହଞ୍ଚି ଘରର ଯାଞ୍ଚ କରିବା ସହ ଧଉଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗପରେ ପୁଲିସ ସିସିଟିଭି କ୍ୟାମେରାକୁ ନେଇ ତଦନ୍ତ ଆରମ୍ଭ କରିଛି । ହେଲେ ସେଥିରେ ଚୋରୀର ଦୃଶ୍ୟ କଟିଯାଇଥିବା ଜଣିବାକୁ ପାଇଲେ । କିଛି ସମୟ ପୂର୍ବରୁ ଚୋରୀର ଦୃଶ୍ୟ ଦେଖିଥିବା ବେଳେ ଏହାପରେ ସେସବୁ କଟିଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବାସହ ସୁରକ୍ଷା କର୍ମୀଙ୍କ ଉପରେ ସନେ୍ଦହ ଯାତ ହେଉଥିବା ସନେ୍ଦହ କରାଯାଉଛି । ସେହିପରି ଦୁର୍ବୁତ୍ତ ଚୋରୀ କରିବା ପରେ ସୁରକ୍ଷାକର୍ମୀ ସେଠାକୁ ଯିବା ଓ ସିସିଟିଭି କ୍ୟାମେରାରୁ ଚୋରୀର ଦୃଶ୍ୟ କଟିଯିବା ଘଟଣା ସୁରକ୍ଷାକର୍ମୀଙ୍କ ପ୍ରତି ସନେ୍ଦହକୁ ଦୃଢ଼ୀଭୂତ କରିଛି । ୧୦୦ ଗ୍ରାମର ସୁନା ଓ ନଗଦ ୪୦ ହଜାର ଟଙ୍କା ଚୋରୀ ହୋଇଥିବା ବେଳେ ଏହି ଚୋରୀରେ ସୁରକ୍ଷା କର୍ମୀଙ୍କ ହାତ ଥିବା ଶ୍ରୀ ପାଣିଗ୍ରାହୀ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।