ନାବାଳିକା କୁକର୍ମକାରୀକୁ ୨୦ ବର୍ଷ ସଜା

ନାବାଳିକା କୁକର୍ମକାରୀକୁ ୨୦ ବର୍ଷ ସଜା


 ଭୁବନେଶ୍ୱର, ୩୦ା୪ : ମଙ୍ଗଳବାର ଭୁବନେଶ୍ୱର ଆଡହକ ଆଡସନାଲ  ସେସନ୍ସ ଜଜ, ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ (ପୋକସ)ର ବିଚାରପତି ଏସ୍ କେ ସାହୁ, ଗତ ୨୦୧୮ ମସିହାରେ ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଯାଇଥିବା ଏକ ନାବାଳିକା କୁକର୍ମ ମାମଲାର ବିଚାର କରି ଅଭିଯୁକ୍ତ ରମଜାନ ଖାନକୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୨୦ ବର୍ଷ ଲାଗି ସଶ୍ରମ କରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ କ୍ଷେତ୍ରରେ ଅଧିକ ୨ ମାସ କାରାଦଣ୍ଡ ଲାଗି ମଧ୍ୟ ଆଦେଶ ଦେଇଛନ୍ତି ।
 ସୂଚନାଯୋଗ୍ୟଯେ, ଅଭିଯୋଗକାରିଣୀ ଜଣକ ଡୁମୁଡୁମା ହାଉସିଂ ବୋର୍ଡ କଲୋନୀ ଅଞ୍ଚଳରେ ରୁହନ୍ତି । ଗତ ତା ୨୬.୧୦.୨୦୧୮ ରିଖ ସକାଳ ୬.୪୫ ସମୟରେ ତାଙ୍କର ଏକ ନାବାଳିକା କନ୍ୟା ସ୍କୁଲକୁ ଯିବା ଲାଗି ଘର ସମ୍ମୁଖସ୍ଥ ମୁଖ୍ୟ ଗେଟ୍ ନିକଟରେ ଅଟୋକୁ ଅପେକ୍ଷା କରିଥିଲେ । ଏହି ସମୟରେ ବୁଲି ବୁଲି ଖେଳନା ବିକ୍ରି କରୁଥିବା ଅଭିଯୁକ୍ତ ରମଜାନ ସେଠାରେ ପହଞ୍ଚି ପିଡ଼ିତାଙ୍କୁ ଖେଳନା କିଣିବା ଲାଗି କହିଥିଲେ । ହେଲେ ପୀଡ଼ିତା ଜଣକ ଖେଳନା କିଣିବାକୁ ମନା କରିବା ପରେ, ନିକଟରେ କେହିନଥିବାର ସୁଯୋଗ ନେଇ ଅଭିଯୁକ୍ତ ରମଜାନ ପୀଡ଼ିତାଙ୍କ ପାଟିକୁ ଚାପି ଧରି ଘର ଭିତରକୁ ନେଇ କୁକର୍ମ କରିଥିଲା । ଏହି ସମୟରେ ନିକଟରେ ଉପସ୍ଥିତ ଜଣେ ଭଦ୍ର ବ୍ୟକ୍ତି ଏହା ଦେଖି ତୁରନ୍ତ ଘଟଣଶ ସ୍ଥଳକୁ ଦୌଡ଼ିଯାଇ ଅଭିଯୁକ୍ତ କବଳରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ । ଏହି ସମୟରେ ଅଭିଯୁକ୍ତ ମାଡ ଭୟରେ ସେଠାରୁ ଖସି ପଳାଇଥିଲା । ଫଳରେ ଏନେଇ ଭଦ୍ର ଲୋକ ଜଣଙ୍କ ପୀଡ଼ିତାଙ୍କ ମାଆଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଏନେଇ ଅଭିଯୋଗକାରିଣୀ ଖଣ୍ଡଗିରି ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଥାନା କେସ ନମ୍ବର ୪୯୬/୨୦୧୮, ଦଫା ୩୪୧, ୩୫୪-ବି/୩୭୬-ଏବି, ସେକ୍ସନ-୬, ପୋକସୋ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ଏହାର ପ୍ରାଥମିକ ତଦନ୍ତ ଦାଇତ୍ୱ ଏସଆଇ ସୁଜାତା ବେହେରା ନେଇଥିଲେ । ପରେ ଏହି ମାମଲାର ସଠିକ ତଦନ୍ତ ଚଳାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାର ବିଚାର କରି ଅଦାଲତ ବିଭିନ୍ନ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜକୁ ଆଧାର କରି ମଙ୍ଗଳବାର ଦିନ ଅଭିଯୁକ୍ତ ରମଜାନ ଖାନକୁ ଉପରୋକ୍ତ ସଜା ଶୁଣାଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସ୍ପେସିଆଲ ପବ୍ଲିକ୍ ପ୍ରୋସିକୁ୍ୟଟର ରାଜୀବ ସାମଲ ଏବଂ ଅତିରିକ୍ତ ପବ୍ଲିକ୍ ପ୍ରୋସିକୁ୍ୟଟର ବଳରାମ ଦେଓ ପରିଚାଳନା କରିଥିଲେ ।