ଲୋକାର୍ପଣ ହେଲା ଅଙ୍ଗନୱାଡି ଭିତ୍ତିଭୂମି ବିକାଶ ଇନଫ୍ରା ଆପ ‘ୱସମ’ : ସିଡିପିଓମାନଙ୍କ ଦକ୍ଷତା ଆମର ଶକ୍ତି : ପ୍ରଭାତୀ

  ଭୁବନେଶ୍ୱର : ତୃଣମୂଳସ୍ତରରେ ସିଡିପିଓମାନଙ୍କ ଦକ୍ଷତା ହିଁ ଆମର ଶକ୍ତି । ବିକଶିତ ଓଡିଶା ୨୦୩୬ରେ ଓଡିଶାକୁ ଏକ ଅପପୁଷ୍ଟି ମୁକ୍ତ ରାଜ୍ୟରେ ପରିଣିତ କରିବା ହେଉଛି ଆମର ଲକ୍ଷ୍ୟ । ଏହି ଲକ୍ଷ୍ୟ ପୂରଣ ଦିଗରେ ଶିଶୁ ପ୍ରକଳ୍ପ ଅଧିକାରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତବ୍ୟକ୍ତ କରିଛନ୍ତି  । ଆଜି ଲୋକସେବା ଭବନ ସମ୍ମେଳନ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ)ମାନଙ୍କ ନିମନ୍ତେ ଏକଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମର ଉଦଘାଟନ  ଅବସରରେ  ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନଙ୍କୁ ସୁଭଦ୍ରା ସଫଳତାର ଶ୍ରେୟ ଦେବା ସହ ରାଜ୍ୟରେ ମହିଳା ନେତୃତ୍ୱାଧୀନ ବିକାଶକୁ ତ୍ୱରାନିତ କରିବାକୁ ସେମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି  । ଅଙ୍ଗନବାଡିର ଭିତ୍ତିଭୂମିକୁ ସୁଦୃଢ କରିବା ସହ ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଇନଫ୍ରା ଆପ- ‘ୱସମ’ (ଅଙ୍ଗନବାଡି ୱେଲଫେୟର ଆଣ୍ଡ ସର୍ଭିସ ଓଭରସାଇଟ ମନିଟରିଙ୍ଗ ଏଭରିହୋୟାର) କୁ ଲୋକର୍ପଣ କରିଛନ୍ତି  । ଅଙ୍ଗନବାଡି ପରିସରରେ ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି  । ଆସନ୍ତା ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ ରୁ ୭ ତାରିଖରୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା  ‘ଆସ ଯିବା ଅଙ୍ଗନବାଡି’ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ରାଜ୍ୟବାସୀମାନେ ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନ କରି ଅଙ୍ଗନବାଡିର ଭିତ୍ତିଭୂମି, ସ୍ୱଚ୍ଛତା ଓ କାର୍ଯ୍ୟଶୈଳୀ ଉପରେ ନିଜର ମତାମତ ରଖିବେ । ସେହି ମତାମତକୁ ଦୃଷ୍ଟିରେ ରଖି ଅଙ୍ଗନବାଡିର କାର୍ଯ୍ୟାନ୍ୱୟନ ନିର୍ଦ୍ଧାରିତ କରାଯିବ ବୋଲି ଶ୍ରୀମତୀ ପରିଡା ଦୃଢ ମତ ରଖିଛନ୍ତି  ।  
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିଦେ୍ର୍ଦଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।  ସମସ୍ତ ଜିଲ୍ଲାରୁ ଆସିଥିବା ୪୦୦ରୁ ଅଧିକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶ୍ରୀ ଆହୁଜା  ସିଡିପିଓମାନଙ୍କୁ ଜନକେନ୍ଦ୍ରିକ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।  ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟକର୍ତ୍ତାଙ୍କ ତାଲିମ ବ୍ୟବସ୍ଥାକୁ ସୁଦୃଢ କରିବା ଉଦେ୍ଦଶ୍ୟରେ ମହିଳା ଓ  ଶିଶୁ ବିକାଶ ବିଭାଗ, ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ ପବ୍ଲିକ କୋଅପରେସନ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ(ଏନଆଇପିସିସିଡି) ମଧ୍ୟରେ ଏକ ବୁଝାମଣା ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଯାଇଛି । ଏହି ବୁଝାମଣାପତ୍ର ଓଡିଶାରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ କର୍ମଚାରୀଙ୍କ ନିୟମିତ ତାଲିମ, ଦକ୍ଷତା ଓ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେବ ବୋଲି  ଏନଆଇପିସିସିଡିର ଅତିରିକ୍ତ ନିଦେ୍ର୍ଦଶିକା  ସଂଘମିତ୍ରା ବାରିକ ମତ ପ୍ରକାଶ କରିଛନ୍ତି ।