ଉଦବେଗଜନକ ସ୍ଥିତିରେ ସାପକାମୁଡ଼ା ମୃତୁ୍ୟ


ବର୍ଷାଦିନ ହେଲେ ଓଡ଼ିଶାରେ ସାପକାମୁଡ଼ା ମୃତୁ୍ୟ ବହୁ ସଂଖ୍ୟାରେ ବଢ଼ି ଯାଉଥିବା ଲକ୍ଷ୍ୟ କରାଯାଉଛି । ସାପକାମୁଡ଼ାକୁ ନେଇ ବିଭିନ୍ନ ପ୍ରକାରର ଅନ୍ଧବିଶ୍ୱାସ ରହିଥିବା ବେଳେ ପ୍ରତିବର୍ଷ ୪୦୦ରୁ ୯୦୦ ପର୍ଯ୍ୟନ୍ତ ବ୍ୟକ୍ତିଙ୍କର ସାପକାମୁଡ଼ାରେ ମୃତୁ୍ୟ ହେଉଥିବା ରେକର୍ଡ୍ କରାଯାଇଛି । ଏମିତି ବି ଅଢ଼େଇ ହଜାରରୁ ଛ' ହଜାର ପର୍ଯ୍ୟନ୍ତ ସାପକାମୁଚ୍ଛା ଘଟଣା ସରକାରୀ ଚ୍ଛାକ୍ତରଖାନାକୁ ଆସୁଥିବା ଜଣାପଡ଼ିଛି । ବେସରକାରୀ ଡ଼ାକ୍ତରଖାନା କିମ୍ବା ବ୍ୟକ୍ତିବିଶେଷଙ୍କ ଠାରେ ସାପକାମୁଡ଼ା ଚିକିତ୍ସା ପାଇଁ ଆଣ୍ଟି ଭେନମ୍ ମିଳେ ନାହିଁ । ଆହୁରି ମଧ୍ୟ ସାପକାମୁଡ଼ା ଚିକିତ୍ସା କ୍ଷେତ୍ରରେ ସରକାରୀ ଡ଼ାକ୍ତରଖାନାରେ ସରକାରୀ ଖର୍ଚ୍ଚରେ ଏହାର ଚିକିତ୍ସା କରାଯାଏ । 
ସାପକାମୁଡ଼ା ମୃତୁ୍ୟ କ୍ଷେତ୍ରରେ ଜଙ୍ଗଲ ବିଭାଗ ପକ୍ଷରୁ ପୂର୍ବରୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଥିଲା ଏବଂ ବର୍ତ୍ତମାନ ଏହାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଲୋକମାନେ ଏ ପ୍ରକାରର ଏକ ଆର୍ଥôକ ସହାୟତା ସମ୍ପର୍କରେ ଅଜ୍ଞ ରହିଥିବାରୁ ସାପକାମୁଡ଼ା ଘଟଣାଗୁଡ଼ିକୁ ଗୁରୁତ୍ୱ ନଦେଇ ସ୍ଥାନୀୟ ଗୁଣିଆ, ଚେରମୂଳି ଚିକିତ୍ସା ଏବଂ ଅବୈଜ୍ଞାନିକ ପଦ୍ଧତିର ଚିକିତ୍ସାରେ ମନ ଦିଅନ୍ତି । ଏହା ଫଳରେ ସାପ ବିଷ ଯଦି ପ୍ରକୃତରେ ମନୁଷ୍ୟ ଶରୀରକୁ ଯାଇଥାଏ, ତେବେ ରୋଗୀର ଜୀବନ ସଙ୍କଟାପନ୍ନ ହୋଇଯାଏ । ଅନେକ କ୍ଷେତ୍ରରେ ଦେଶୀ ଚିକିତ୍ସା କରି ଲୋକେ ବିଫଳ ହେବା ପରେ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ରୋଗୀକୁ ଆଣନ୍ତି । ଏହା ଦ୍ୱାରା ରୋଗୀକୁ ଚିକିତ୍ସା କରିବା ପାଇଁ ଯେଉଁ ଗୋଲ୍ଡେନ୍ ଆୱାର୍ ସମୟଟି ଥାଏ ତାହା ହାତଛଡ଼ା ହୋଇଯାଏ । କେବଳ ସେତିକି ନୁହେଁ, ଏହା ଫଳରେ ରୋଗୀର ବଞ୍ଚିବା ମଧ୍ୟ ପ୍ରଶ୍ନବାଚୀ ଘେରକୁ ଆସିଯାଏ । ଲୋକମାନେ ରୋଗୀର ଜୀବନକୁ ଗୁରୁତ୍ୱ ଦେବାର ଆବଶ୍ୟକତା ଥିବା ବେଳେ ପାରମ୍ପରିକ ବିଶ୍ୱାସକୁ ନେଇ ଗୁଣିଆ ନିକଟରେ ଚିକିତ୍ସା କରାଉଥିବାରୁ ରୋଗୀର ଜୀବନ ଅକାଳରେ ଝରି ପଡୁଥିବା ଲକ୍ଷ୍ୟ କରାଯାଉଛି ।
ନିକଟରେ କଟକ ଜିଲ୍ଲା ନରସିଂହପୁର ବ୍ଲକ୍ରେ ଗୋଟିଏ ଦିନରେ ୧୨ ଜଣ ବ୍ୟକ୍ତି ସାପକାମୁଡ଼ାର ଶିକାର ହୋଇଥିବା ଜଣାପଡ଼ିଛି । ଏହା ଏକ ଉଦ୍ବେଗଜନକ ଘଟଣା । ଗୋଟିଏ ଦିନରେ ଏତେ ଲୋକ ସାପକାମୁଡ଼ାର ଶିକାର ହେବା ଯେତିକି ଉଦ୍ବେଗଜନକ, ସେମାନଙ୍କର ଚିକିତ୍ସା କରାଯିବା ମଧ୍ୟ ସେତିକି ଜଟିଳ । 
ସାପକାମୁଡ଼ା କ୍ଷେତ୍ରରେ ବର୍ଷାଦିନରେ କେତେଗୁଡ଼ିଏ ସାଧାରଣ ସତର୍କତା ଅବଲମ୍ବନ କରାଯିବାର ଆବଶ୍ୟକତା ରହିଛି । ଏହି ସତର୍କତା ଗୁଡିକୁ ନମାନିଲେ ବର୍ଷାଦିନେ ସାପକାମୁଡ଼ା ଘଟଣା ବୃଦ୍ଧି ପାଇବା ଭଳି ସମ୍ଭାବନା ଉପୁଜେ । ପ୍ରଥମେ ତ ମନେରଖିବା ଉଚିତ୍ ଯେ ସାପକାମୁଡ଼ା ଭଳି କ୍ଷେତ୍ରରେ କୌଣସି ପ୍ରକାରର ଗୁଣିଗାରେଡ଼ୀ କିମ୍ବା ଗଦ ଭଳି ପାରମ୍ପରିକ ବିଶ୍ୱାସର ଚିକିତ୍ସାରେ କୌଣସି ଲାଭ ମିଳେ ନାହିଁ । ଏ କଥାକୁ କିନ୍ତୁ ଅନେକ ବ୍ୟକ୍ତି ଗ୍ରହଣ କରିପାରନ୍ତି ନାହିଁ ଏବଂ ସାପ କାମୁଡିବା ମାତ୍ରକେ ସ୍ଥାନୀୟ ଗୁଣିଆମାନଙ୍କର ଚିକିତ୍ସାକୁ ଭରସା କରି ରୋଗୀଙ୍କ ଜୀବନକୁ ସଙ୍କଟାପନ୍ନ କରନ୍ତି । 
ରାଜ୍ୟରେ ସ୍ନେକ୍ ହେଲ୍ପଲାଇନ୍ ନାମରେ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ରହିଛି ଏବଂ ଏହି ସଙ୍ଗଠନ ସାପକାମୁଡ଼ା ସମ୍ପର୍କିତ ବିଭିନ୍ନ ଜନଚେତନା ସୃଷ୍ଟି କରିଥାଏ । ସାପମାନଙ୍କୁ ଦେଖିବା ମାତ୍ରକେ ଅନେକ ଲୋକ ମାରିଦେବା ପାଇଁ ଉଦ୍ୟତ ହୁଅନ୍ତି । ମାତ୍ର ଏ ପ୍ରକାରର ଉଦ୍ୟମରୁ ବିରତ ରହିବା ପାଇଁ ସବୁବେଳେ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । କାରଣ ସାପ ପରୋକ୍ଷ ଭାବରେ ମନୁଷ୍ୟରେ ଉପକାର କରୁଥିବା ଏକ ପ୍ରାଣୀ । ମନୁଷ୍ୟର କୃଷିଜାତ ପଦାର୍ଥକୁ ସର୍ବାଧିକ ନଷ୍ଟ କରୁଥିବା ମୂଷାମାନଙ୍କର ସଂଖ୍ୟା ନିୟନ୍ତ୍ରଣରେ ସାପଙ୍କର ଉପସ୍ଥିତି ସବୁଠାରୁ ଅଧିକ ଫଳପ୍ରଦ ହୋଇଥାଏ । ତେଣୁ ସାପ କାମୁଡ଼ିବା ମାତ୍ରକେ ରୋଗୀଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ପ୍ରଥମ ୧ ଘଣ୍ଟା ମଧ୍ୟରେ ପହଞ୍ଚାଇବା ପାଇଁ ତୁରନ୍ତ ଚେଷ୍ଟା କରାଗଲେ ଅନେକ ଜୀବନ ବଞ୍ଚାଇ ହେବ ।