ମନ୍ତ୍ରୀଙ୍କ ଦ୍ୱାରା ଏନ୍ଏଚ୍ ବିକାଶର ଅଗ୍ରଗତି ସମୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ରାଜପଥ ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ନିର୍ମାଣ ସୌଧସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ବିଭିନ୍ନ ଜାତୀୟ ରାଜପଥର ପ୍ରଶସ୍ତିକରଣ, ଜମି ଅଧିଗ୍ରହଣ ସମସ୍ୟାର ସମାଧାନ, ଫରେଷ୍ଟ କ୍ଲିୟରାନ୍ସ, ନିରନ୍ତର ଫ୍ଲାଏ ଆସ୍ ଯୋଗାଣ, ହାଇଲେବଲ ବି୍ରଜ୍ ଓ ରେଲେୱ ଓଭର ବି୍ରଜ୍ ନିର୍ମାଣ ଏବଂ ଡିସ୍କମ ଜନିତ ସମସ୍ୟା ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ପୂର୍ତ୍ତ ବିଭାଗ ସଚିବ ସଂଜୟ କୁମାର ସିଂହ ଯୋଗଦେଇ ଖୋର୍ଦ୍ଧା ସହର ବାଇପାସ୍ ରାସ୍ତା, କଳିଙ୍ଗାଘାଟି ରାସ୍ତାର ପ୍ରଶସ୍ତିକରଣ, ଖରିଆର ରୋଡ ୪ ଲେନ୍ ବିଶିଷ୍ଟ ରେଲ୍ୱେ ଓଭର ବି୍ରଜ୍, କେରାପୁଟ ଜିଲ୍ଲା ପାତ୍ରପୁଟଠାରେ କୋଲାବ ନଦୀ ଉପରେ ହାଇଲେବୁଲ ସେତୁ ନିର୍ମାଣ ସମେତ ରାଜ୍ୟରେ ଜାରି ରହିଥିବା ଅନ୍ୟ ୭ ଏନ୍ଏଚ୍ ପ୍ରକଳ୍ପ ଉପରେ ବିସ୍ତୃତ ତଥ୍ୟ ଦେଇଥିଲେ । ବିଭିନ୍ନ ନିର୍ମାଣ କାର୍ଯ୍ୟକୁ କିଭଳି ତ୍ୱରାନ୍ୱିତ କରିହେବ ସେଥିନେଇ ଶ୍ରୀ ସିଂହ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଏନ୍ଏଚ୍ଏଆଇ ଆଞ୍ଚଳିକ ଅଧିକାରୀ ସୁନିଲ ମିଶ୍ର, ଇଆଇସି ସିଭିଲ ଦୁର୍ଗାଚରଣ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।