ଉଚ୍ଚଶିକ୍ଷା ବିଭାଗ ଓ ଏନ୍ଏସ୍ଇ ମଧ୍ୟରେ ଚୁକ୍ତି : ବଢ଼ିବ ବିତ୍ତୀୟ ସାକ୍ଷରତା

 ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଭାଗୀୟ କମିଶନର ଅରବିନ୍ଦ ଅଗ୍ରୱାଲ, ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆର ଅଧିକାରୀ, ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କର ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସମୟରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।
ଏହି ଚୁକ୍ତି ମାଧ୍ୟମରେ ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ହେବା ସହିତ ବିତ୍ତୀୟ ସାକ୍ଷାରତାରେ ମଧ୍ୟ ଅଭିବୃଦ୍ଧି ହେବ । ଏଥିସହିତ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ବିଭିନ୍ନ ନିଯୁକ୍ତି ସୁଯୋଗ ମଧ୍ୟ ପାଇପାରିବେ । ମନ୍ତ୍ରୀ କହିଛନ୍ତି ଯେ, ଏହି ଚୁକ୍ତି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ୨ ପ୍ରକାର କୋର୍ସ ପ୍ରଦାନ କରାଯିବ । ଯାହାକି ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ କରିବା ସହିତ ବିତ୍ତୀୟ ସାକ୍ଷାରତାକୁ ମଧ୍ୟ ବୃଦ୍ଧି କରିବ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ବିତ୍ତୀୟ କ୍ଷେତ୍ରରେ ବିଭିନ୍ନ ନିଯୁକ୍ତି ସୁଯୋଗ ମଧ୍ୟ ପାଇପାରିବେ । କଳା, ବିଜ୍ଞାନ, ବାଣିଜ୍ୟ ଓ ବିଭିନ୍ନ ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଏହି କୋର୍ସ କରିପାରିବେ ।