ପିଆଇବି ପକ୍ଷରୁ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିଙ୍କ ମହାକୁମ୍ଭ ଗସ୍ତ

ଭୁବନେଶ୍ୱର  : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ପ୍ରୟାଗରାଜ ମହାକୁମ୍ଭ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣମାଧ୍ୟମ ପ୍ରତିନିଧିମାନେ ଦିବ୍ୟ ଓ ଭବ୍ୟ ମହାକୁମ୍ଭ କ୍ଷେତ୍ର ବୁଲି ଦେଖିବା ସହିତ ସେଠାକାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଛନ୍ତି । ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ମହାକୁମ୍ଭ ନଗର ପରିସରରେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ସ୍ଥାପିତ ମହାକୁମ୍ଭ ସମନ୍ୱିତ ନିଦେ୍ର୍ଦଶ ଓ ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି କେନ୍ଦ୍ରରେ ସେମାନେ କୁମ୍ଭ ମେଳା ପରିସରରେ ଭିଡ ପରିଚାଳନା, ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ । ଓଡ଼ିଶାର ପ୍ରତିନିଧି ଦଳ ମହାକୁମ୍ଭ ପରିସରରେ ଶ୍ରଦ୍ଧାଳୁଙ୍କ ପାଇଁ ନିର୍ମିତ ଅସ୍ଥାୟୀ କେନ୍ଦ୍ରୀୟ ଚିକିସôାଳୟ ମଧ୍ୟ ବୁଲି ଦେଖିଥିଲେ । ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ମହାକୁମ୍ଭ ପରିସରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଆୟୋଜିତ କଳାଗ୍ରାମ ବୁଲି ଦେଖିଛନ୍ତି । ଅନ୍ୟପକ୍ଷରେ ମହାକୁମ୍ଭ ପରିସରସ୍ଥିତ ତ୍ରିବେଣୀ ମାର୍ଗରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ତରଫରୁ ଆୟୋଜିତ ପ୍ରଦର୍ଶନୀକୁ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ବୁଲି ଦେଖିଛନ୍ତି । ଏହି ପ୍ରଦର୍ଶନୀ କ୍ଷେତ୍ରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବୁ୍ୟରୋ ପକ୍ଷରୁ ଏକ ଡିଜିଟାଲ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଛି ।  ଓଡିଶାର ଗଣମାଧ୍ୟମ ପ୍ରତିନିଧିମାନେ ମହାକୁମ୍ଭ ପରିଦର୍ଶନ କରିବା ସହିତ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଂଗମ ସ୍ଥଳରେ ବୁଡ ପକାଇବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ପିଆଇବି ଭୁବନେଶ୍ୱରର ଗଣମାଧ୍ୟମ ଓ ସଂଚାର ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦଙ୍କ ତତ୍ତ୍ୱାବଧାନରେ ଏହି ମହାକୁମ୍ଭ ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ସମରେନ୍ଦୁ ଦାସ, ଅନୁପମ ପ୍ରହରାଜ, ସରୋଜ କୁମାର ସାହୁ, କ୍ଷୀତିଶ ରାୟ ଏବଂ ସ୍ଥିତପ୍ରଜ୍ଞ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।