ବନ୍ଧାହେଲେ କୁବେର ଡେପୁଟି ରେଞ୍ଜର : ନେପାକ୍ ଟ୍ରେଜେରୀରେ ଟଙ୍କା ପ୍ୟାକ୍

 ଭୁବନେଶ୍ୱର : ଗ୍ରାମ୍ୟ ବନରକ୍ଷୀରୁ ପଦୋନ୍ନତି ପାଇ ସେ ଡେପୁଟି ରେଞ୍ଜର ହୋଇଥିଲେ  । ଏବେ ମାସିକ ଦରମା ହେଉଛି ୭୬୮୮୦ ଟଙ୍କା  । ଆଉ ୫ ମାସ ପରେ ସେ ଅବସର ନେଇଥା’ନ୍ତେ  । ହେଲେ ଆଜି ଭିଜିଲାନ୍ସ ହଠାତ୍ ତାଙ୍କ ଘର ଉପରେ ଚଢ଼ାଉ କରିଥିଲା  । ଛାନଭିନ ପରେ ଭିଜିଲାନ୍ସ ବାବୁଙ୍କର ସମ୍ପତ୍ତି ଦେଖି ଟେରା ହୋଇଯାଇଥିଲେ  । ଗୁପ୍ତ ଟ୍ରେଜେରୀରୁ ବାହାରିଥିଲା ପ୍ରାୟ ଦେଢ଼ କୋଟିର ବିଡ଼ାବିଡ଼ା ଖଡ଼ଖଡ଼ିଆ ନୋଟ୍  । ଆମେ କହୁଛୁ ଜଙ୍ଗଲ ବିଭାଗର ଲାଞ୍ଚୁଆ ଅଧିକାରୀ ରାମଚନ୍ଦ୍ର ନେପାକଙ୍କ କଥା  । ଯାହାଙ୍କ ଟଙ୍କା ଓ ସମ୍ପତ୍ତିକୁ ନେଇ ଆଜି ଦିନତମାମ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ହୋଇଥିଲା  ।
୫ ମାସ ପରେ ଅବସର ନେବାକୁ ଯାଉଥିବା ରାମଚନ୍ଦ୍ରଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା  । ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଛାନଭିନ ହୋଇଥିଲା  । ୬ ଡିଏସପି, ୫ ଇନ୍ସପେକ୍ଟର, ୯ ଏଏସଆଇ ଚଢ଼ାଉରେ ସାମିଲ୍ ହୋଇଥିଲେ  । ଚଢ଼ାଉ ବେଳେ ତାଙ୍କର ସିକ୍ରେଟ୍ ଟ୍ରେଜେରୀରେ ବିଡ଼ା ବିଡ଼ା ଟଙ୍କା ଥାକ ଥାକ ହୋଇ ରହିଥିବା ଦେଖିବାକୁ ମିଳିଥିଲା  । ତାଙ୍କ ପାଖରୁ ୧ କୋଟି ୪୦ ଲକ୍ଷ ଟଙ୍କାର କ୍ୟାସ୍ ମିଳିଥିବାବେଳେ ୪ଟି ସୁନା ବିସ୍କୁଟ ଓ ୧୬ ସୁନା ମୁଦ୍ରା ବି ମିଳିଛି  । ଖାଲି ସେତିକିନୁହେଁ, ଜୟପୁରର ଏନଟିକେ ରୋଡ଼ରେ ତାଙ୍କର ବିଲଡ଼ିଂ ଥିବାବେଳେ ପିଆର ପେଟାର ଗୋଲଡ଼େନ ହାଇଟ୍ ରେସିଡେନ୍ସିଆଲ୍ ଆପାର୍ଟମେଣ୍ଟରେ ଦୁଇଟି ଫ୍ଲାଟ୍ ଠାବ କରାଯାଇଛି  । ଏହାଛଡ଼ା ତାଙ୍କର ସମ୍ପର୍କୀୟଙ୍କ ଘର ଓ ଅଫିସରେ ବି ଚଢ଼ାଉ କରାଯାଇଥିଲା  । ତାଙ୍କ ପାଖରେ ଦେଢ଼ କେଜି ସୁନା ଓ ୪ କେଜିରୁ ଉଦ୍ଧ୍ୱର୍ ରୂପା ଥିବାବେଳେ ତାହାକୁ ଜବତ କରାଯାଇଛି  ।