ମନ୍ଥର ଗତିରେ ଡ୍ରେନ୍ଜେ ନିର୍ମାଣ
କୋକସରା : କେସିଙ୍ଗା ଏନ୍ଏଚ୍ ଡିଭିଜନ ଅଧିନରେ ଥିବା ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ମୋଟେର ଠାରୁ କୋକସରା ପର୍ଯ୍ୟନ୍ତ ବାଇପାସ୍ ରୋଡ଼ ସହ ଡ୍ରେନ୍ଜେ କାମ ଜାରି ରଖିଛି । ଏହି କାର୍ଯ୍ୟ ମନ୍ଥରଗତିରେ ଚାଲୁଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ମୋଟେର ଠାରେ ଡ୍ରେନ୍ଜେ ନିର୍ମାଣ ପାଇଁ ଅନେକ ଦିନ ହେଲା ମାଟି ଖୋଲାଯାଇଛି, କେତେକ ସ୍ଥାନରେ ରଡ଼ ପକେଇ ଛାଡି ଦିଆଯାଇଛି । ମୋଟେର ଏକ ଯାତ୍ରୀ ବହୁଳ ଛକ, ଏଠାରେ ଶହ ଶହ ଲୋକଙ୍କ ଭିଡ଼ ସହିତ ଯାନବାହାନର ଭିଡ଼ ରହିଥାଏ ।
ମୋଟେର ଛକ, ସ୍କୁଲ ଗେଟ୍ ଆଗରେ ଅସମ୍ପୂର୍ଣ୍ଣ ଡ୍ରେନ୍ଜେ କାମ ଯୋଗୁଁ ପାର୍ଶ୍ୱ ପରିବର୍ତ୍ତନ ପାଇଁ ବିପଦର ସମ୍ମୁଖୀନ ହେବାକୁ ପଡୁଛି । ଏଥିଯୋଗୁଁ ଅନେକ ସମୟରେ ଛୋଟ ଛୋଟ ଦୁର୍ଘଟଣା ହେଉଥିବା ନଜିର ଆସୁଛି । ଏପଟେ ଅଳ୍ପ ଦିନ ମଧ୍ୟରେ ସ୍କୁଲ ଖୋଲା ହେବାକୁ ଯାଉଛି । ତେଣୁ ସ୍କୁଲ ଗେଟ ସାମ୍ନାରେ ଅସମ୍ପୂର୍ଣ୍ଣ କାମ ଯୋଗୁଁ ସ୍ଥାନୀୟ ଲୋକଙ୍କ ସହ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପଟେ ପ୍ଲେଟ ସେଟରିଙ୍ଗର ସମତୁଲ ନଥିବା, ନିମ୍ନମାନର କାର୍ଯ୍ୟକୁ ଲୋକେ ବିରୋଧ କରୁଥିଲେ ହେଁ ଠିକାଦାର କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହେଉଛି । ଏମିତି କି କାର୍ଯ୍ୟ ସ୍ଥଳରେ ବିଭାଗୀୟ କୌଣସି ଅଧିକାରୀ କିମ୍ବା କର୍ମଚାରୀ ମଧ୍ୟ ଉପସ୍ଥିତ ରହୁନାହାନ୍ତି । ଯାହାଫଳରେ ଠିକା ସଂସ୍ଥା ନିଜର ମନମର୍ଜିରେ କାର୍ଯ୍ୟ ଚଳାଇ ଆସୁଥିବାରୁ ଜନ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏ ବିଷୟରେ କେସିଙ୍ଗା ଏନ୍ଏଚ୍ ଡିଭିଜନର ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ନ ହେବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।