ମହାତ୍ମା ବଦଳରେ ରାମ
ସୌଭାଗ୍ୟ ରଂଜନ ମହାନ୍ତି : ୨୦୦୫ ମସିହାରେ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ମହାତ୍ମଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଗ୍ୟାରେଂଟି ଆଇନ (ମନେରଗା) ଯୋଜନା, ଯାହାକି ଦେଶରେ କର୍ମନିଯୁକ୍ତି କ୍ଷେତ୍ରରେ ଏକ ନିର୍ଣ୍ଣାୟକ ଯୋଜନା ଭାବେ ପରିଚିତ, ଏବେ ଉଚ୍ଛେଦ ହେବାକୁ ଯାଉଛି । ମନେରଗା ଯୋଜନା ବଦଳରେ କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାର ପାର୍ଲିଆମେଂଟରେ ବିକଶିତ ଭାରତ ଗ୍ୟାରେଂଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) ବିଲ୍ (ଭବି-ଜି ରାମଜି) ବିଲ୍ ଉପସ୍ଥାପିତ କରିବାକୁ ପାଉଛନ୍ତି । ଗତ ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଏହି ନଷ୍ପତ୍ତି ଗ୍ରହଣ କରିଛନ୍ତି । କିନ୍ତୁ ଗତ ୧୨ ତାରିଖ ଦିନ କେନ୍ଦ୍ର ସରକାର ମନେରଗା ନାମ ପରିବର୍ତ୍ତନ କରି ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଗ୍ୟାରେଂଟି ଯୋଜନା (ପିବିଜିଆରୱାଇ) ଭାବେ ନାମିତ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । କିନ୍ତୁ କେନ୍ଦ୍ର ସରକାର ପୁନଶ୍ଚ ଯୋଜନାର ନାମ ପରିବର୍ତ୍ତନ କରିବାକୁ ଯାଉଛନ୍ତି, ଯେଉଁଥିରେ ମହାତ୍ମା ଗାନ୍ଧୀଙ୍କ ନାମର ସ୍ଥାନ ନାହିଁ । ତେବେ ଯୋଜନାର ନୂତନ ସଂକ୍ଷିପ୍ତ ନାମକରଣରେ ରାମ (ଆରଏଏମ) ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇବାକୁ ଯାଉଛି ।
ଉଲ୍ଲେଖଯୋଗ୍ୟ ଯେ, ୨୦୦୫ ମସିହାରେ କଂଗ୍ରେସ ନେତୃତ୍ୱଧୀନ ୟୁପିଏ ସରକାର ଗ୍ରାମାଂଚଳର ଲୋକଙ୍କୁ ବାର୍ଷିକ ୧୦୦ଦିନ କର୍ମ ନିଯୁକ୍ତି ଯେଗ।।ଇ ଦେବାପାଇଁ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ନରେଗା) ଯୋଜନା ପ୍ରଣୟନ କରିଥିଲେ । କିନ୍ତୁ ୨୦୦୯ରେ ୟୁପିଏ ସରକାର ଏହି ଯୋଜନାର ନାମ ଆଗରେ ମହାତ୍ମାଗାନ୍ଧୀ ନାମ ଯୋଡିଥିଲେ । ଯାହାକି ଦେଶରେ ମନେରଗା ନାମରେ ବେଶ୍ ପ୍ରସିଦ୍ଧ ଲାଭ କରିଥିଲା । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ପ୍ରଥମେ ୧୧,୩୦୦ କୋଟି ଟଙ୍କା ବ୍ୟୟବରାଦ କରିଥିଲେ । ଯୋଜନା ବେଶ ଆଦୃତ ହେବା ଯୋଗୁଁ ୨୦୨୫-୨୬ ବଜେଟରେ କେନ୍ଦ୍ର ସରକାର ୭୬,୭୬୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ମନେରଗା ଗ୍ରାମାଂଚଳରେ ଯେ, କେତେ ଲୋକପ୍ରିୟତା ହାସଲ କରିଥିଲା, ତାହା ବଜେଟ ବ୍ୟୟ ବରାଦ ସ୍ପଷ୍ଟ ସଂକେତ ପ୍ରଦାନ କରେ । ମହାମାରୀ କୋରୋନା କାଳରେ ଦୀର୍ଘକାଳୀନ ଲକଡାଉନ ସମୟରେ ଗ୍ରାମାଂଚଳରେ ପ୍ରବାସୀ ଶ୍ରମିକଙ୍କ ପାଇଁ ମନେରଗା ବରଦାନ ସଦୃଶ ଥିଲା, ଏହା ବୋଧହୁଏ କେହି ଭୁଲି ନଥିବେ । ୨୦୨୦-୨୧ ଏବଂ ୨୦୨୧-୨୨ ରେ କୋରୋନା ସମୟରେ ମନେରଗା ଯଥାକ୍ରମେ ୩୮୯ କୋଟି ଏବଂ ୩୬୪ କୋଟି ବ୍ୟକ୍ତି କର୍ମନିଯୁକ୍ତି ପାଇଥିଲେ । ଏଥିପାଇଁ ବଜେଟରେ କେନ୍ଦ୍ର ସରକାର ଅତିରିକ୍ତ ବ୍ୟୟ ବରାଦ ମଧ୍ୟ କରିଥିଲେ । ଏଥିପାଇଁ ମୋଦୀ ସରକାର କେବଳ ପ୍ରଶଂସାର ପାତ୍ର ବୋଲି କହିଲେ ହୁଏତ ଅତିରଂଜିତ ହେବ ନାହିଁ । ଉଲ୍ଲେଖ କରାଯାଇପାରେ ମନେରଗାରେ ବାର୍ଷିକ ୧୦୦ ଦିନର ନିଶ୍ଚିତ କର୍ମନିଯୁକ୍ତି ମିଳୁଥିବା ବେଳେ ପ୍ରସ୍ତାବିତ ନୂତନ ଆଇନରେ ୧୨୫ ଦିନର କାମ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।
ସେହିପରି କାମ ଯୋଗାଇ ଦେଇନପାରିଲେ ବେରୋଜଗାରୀ ଭତ୍ତା ଦେବା ଲାଗି ପ୍ରସ୍ତାବ ରହିଛି । ଆହୁରି ମଧ୍ୟ କୃଷି କ୍ଷେତ୍ରରେ ବୁଣା ଓ ଅମଳ ସମୟରେ ଶ୍ରମିକ ଅଭାବ ଦୂର କରିବା ପାଇଁ ଏହି ସମୟରେ ୬୦ଦିନ କାମ ବନ୍ଦ ବାଧ୍ୟତାମୂକଳ ରହିଛି । ଏ ନେଇ ସରକାର ବିଜ୍ଞପ୍ତି ପ୍ରକାଶ କରିବେ । ଶ୍ରମିକ ବଦଳରେ ମେସିନରେ କାମ ହେଉଥିବା ରିପୋର୍ଟ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ପ୍ରସ୍ତାବିତ ଆଇନରେ ଠକେଇ, ଜାଲିଆତି ରୋକିବା ପାଇଁ ଶ୍ରମିକଙ୍କ ବାୟୋମେଟ୍ରିକଠାରୁ ଆରମ୍ଭ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସହାୟତାରେ ମୋବାଇଲ ଦ୍ୱାରା କାର୍ଯ୍ୟସ୍ଥଳ ତଦାରଖ, ଶ୍ରମିକଙ୍କୁ ବ୍ୟାଙ୍କ ଖାତାକୁ ସିଧାସଳଖ ମଜୁରି ହସ୍ତାନ୍ତର ବ୍ୟବସ୍ଥା ରହିଛି । ମନେରଗା’ର ବ୍ୟୟଭାର କେନ୍ଦ୍ର ସରକାର ବହନ କରିଥିବାବେଳେ ନୂତନ ଭିବି-ଜି ରାମ ଜି ଆଇନରେ ରାଜ୍ୟ ଉପରେ ଆର୍ôଥକ ବୋଝ ପଡିବ । କେନ୍ଦ୍ର ସରକାର ୬୦ଭାଗ ଓ ରାଜ୍ୟ ସରକାର ୪୦ଭାଗ ବ୍ୟୟ ଭାର ବହନ କରିବା ଆଇନରେ ଥିବା ବେଳେ କେବଳ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର, ମିଜୋରାମ ଆଦି ରାଜ୍ୟ ପାଇଁ କେନ୍ଦ୍ର ରାଜ୍ୟ ବ୍ୟୟ ଅନୁପାତ ୯୦:୧୦ ରହିଛି । କାର୍ଯ୍ୟ ଦିବସ ବୃଦ୍ଧି ଓ ଅସଂଗଠିତ ଶ୍ରମିକଙ୍କୁ କର୍ମନିଯୁକ୍ତି, ଠକେଇ, ଜାଲିଆତି ରୋକିବା ନିଶ୍ଚିତ ଭାବେ ଗ୍ରାମାଂଚଳର ଅର୍ଥନୀତି ଓ ରାଜନୀତି ଉପରେ ପ୍ରଭାବ ପକାଇବାରେ କ୍ଷମତା ରଖେ । ତେବେ ଯୋଜନାର ସଂକ୍ଷିପ୍ତ ଶିରୋନାମାରେ ମହାତ୍ମା ବଦଳରେ ରାମ ନାମ ରଖିବାର ଅର୍ଥ ବୁଝାପଡେ ନାହିଁ ।
ମୋ-୭୯୭୮୬୬୬୪୦୩
Samir Kumar Rout