ଉପରାଷ୍ଟ୍ରପତି ନିର୍ବାଚନର ହିସାବ
ଦେଶର ୧୫ତମ ଉପରାଷ୍ଟ୍ରପତି ଭାବରେ ସି.ପି. ରାଧାକ୍ରିଷ୍ଣନ୍ ମଙ୍ଗଳବାର ଦିନ ନିର୍ବାଚିତ ହୋଇଛନ୍ତି । ଜଗଦୀପ୍ ଧନକଡ଼ଙ୍କର ଇସ୍ତଫା ପରେ ଉପରାଷ୍ଟ୍ରପତି ପଦକୁ ତୁରନ୍ତ ପୂରଣ କରିବାର ଆବଶ୍ୟକତା ଉପୁଜିଥିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନକଡ଼ ଇସ୍ତଫା ଦେବା ପରେ ଶାସକ ବିଜେପି ଦଳ ଏବଂ ଏନ୍ଡ଼ିଏ ମେଣ୍ଟ ମହାରାଷ୍ଟ୍ରର ରାଜ୍ୟପାଳ ଥିବା ସି.ପି. ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ସୁପ୍ରିମକୋର୍ଟ୍ର ପୂର୍ବତନ ବିଚାରପତି ଜଷ୍ଟିସ୍ ବି.ସୁଦର୍ଶନ ରେଡ୍ଡୀ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ମଧ୍ୟ ଇଣ୍ଡିମେଣ୍ଟ ଓ ବିରୋଧୀ ଦଳ ତାଙ୍କୁ ସମର୍ଥନ କରିଥିଲା ।
ଏହି ନିର୍ବାଚନରେ ସି.ପି.ରାଧାକ୍ରିଷ୍ଣନ ୪୫୨ ଖଣ୍ଡ ଭୋଟ ପାଇଥିଲେ ଏବଂ ରେଡ୍ଡୀ ୩୦୦ ଭୋଟ ପାଇଥିଲେ । ଶାସକ ଏନ୍ଡିଏ ଦଳରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ଜିତିବା ଭଳି ସଂଖ୍ୟା ରହିଥିଲା । ତେଣୁ ଶାସକ ଦଳ ଏବଂ ଏନ୍ଡ଼ିଏ ମେଣ୍ଟର ପ୍ରାର୍ଥୀ ଜିତିବାଟା ନିଶ୍ଚିତ ଥିଲେ ମଧ୍ୟ ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀ ଏକ ଗଣତାନ୍ତ୍ରିକ ମୂଲ୍ୟବୋଧ ଦୃଷ୍ଟିରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରିଥିଲେ । ମତଦାନ ଗୋପନୀୟ ରହିଥିଲେ ମଧ୍ୟ କିଏ କାହାକୁ ଦେଲେ ତାହା ସ୍ପଷ୍ଟ ହୋଇଯାଇଛି । ଜଷ୍ଟିସ୍ ରେଡ୍ଡୀ ୩୦୦ ଭୋଟ ପାଇଛନ୍ତି । ୧୫ ଜଣ ସାଂସଦଙ୍କର ଭୋଟ୍ ନାକଚ ହୋଇଛି । ୧୩ ଜଣ ସାଂସଦ ଭୋଟଦାନରୁ ବିରତ ରହିଲେ ଏବଂ ଉଭୟ ଗୃହର ସଦସ୍ୟଙ୍କ ସଂଖ୍ୟା ୭୮୮ ରହିଥିବା ବେଳେ ବର୍ତ୍ତମାନ ୭ଟି ଆସନ ଖାଲି ପଡ଼ିଛି । ଭୋଟ୍ ଦେଇନଥିବା ସଦସ୍ୟଙ୍କ ମଧ୍ୟରେ ବିଆରଏସ୍ର ୪ ଜଣ, ବିଜେଡ଼ିର ୭ ଜଣ, ଅକାଳୀ ଦଳର ଜଣେ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ଥିଲେ । ଏହି ୧୩ ଜଣ ଭୋଟ୍ ନଦେବା ଫଳରେ ସି.ପି. ରାଧାକ୍ରିଷ୍ଣନ୍ଙ୍କ ବିଜୟୀ ହେବା ନେଇ କୌଣସି ଅସୁବିଧା ହୋଇନଥିଲା କିମ୍ବା ଏହି ୧୩ ଜଣେ ଜଷ୍ଟିସ୍ ରେଡ୍ଡୀଙ୍କୁ ଦେଇଥିଲେ ମଧ୍ୟ ସେ ଜିତି ପାରିନଥାନ୍ତେ । ୭୬୭ ଜଣ ସାଂସଦଙ୍କର ଭୋଟ୍ ମଧ୍ୟରୁ ୧୫ଟି ନାକଚ ଭୋଟ୍କୁ ବାଦ୍ ଦେଲେ ୭୫୨ଟି ବୈଧ ଭୋଟ୍ ରହିବ । ବିରୋଧୀ ମେଣ୍ଟରେ ମୋଟ୍ ୩୧୫ ଜଣ ସାଂସଦ ଅଛନ୍ତି । ହେଲେ ତାଙ୍କୁ ମିଳିଛି ମୋଟ୍ ୩୦୦ ଭୋଟ୍ । ତେଣୁ ବାକି ୧୫ ଖଣ୍ଡ ଭୋଟ୍ ମଧ୍ୟରୁ ନାକଚ ହୋଇଥିବା ୧୩ ଖଣ୍ଡ ଭୋଟ ହୁଏତ ବିରୋଧୀ ଦଳ ସାଂସଦମାନଙ୍କର ।
ତେବେ ଆଉ ଦୁଇ ଖଣ୍ଡ ଭୋଟ୍ ବର୍ତ୍ତମାନ ସନେ୍ଦହ ସୃଷ୍ଟି କରୁଛି । ତେବେ ପୂର୍ବରୁ ଏନ୍ଡ଼ିଏ ପ୍ରାର୍ଥୀଙ୍କ ପାଇଁ ଯାହା ହିସାବ କରାଯାଉଥିଲା ସେ ତାହା ଠାରୁ ଅଧିକ ଭୋଟ୍ ପାଇଛନ୍ତି । ଉଭୟ ସଦନରେ ଏନ୍ଡିଏର ୪୨୭ ଜଣ ସାଂସଦ ଥିବା ବେଳେ ସି.ପି. ରାଧାକ୍ରିଷ୍ଣନ୍ଙ୍କୁ ୪୫୨ ଖଣ୍ଡ ଭୋଟ ମିଳିଛି । ଆଶା ଠାରୁ ସେ ଅଧିକ ୨୫ ଖଣ୍ଡ ଭୋଟ୍ ପାଇଛନ୍ତି । ଏଣେ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟରୁ କିଛି ଭୋଟ୍ ନିଶ୍ଚିତ ରୂପେ ବିଜେପି ପ୍ରାର୍ଥୀଙ୍କ ପକ୍ଷକୁ ଯାଇଛି । ଆନ୍ଧ୍ର ପ୍ରଦେଶର ୱାଇଏସ୍ଆର କଂଗ୍ରେସର ସଦସ୍ୟମାନଙ୍କ ମଧ୍ୟରୁ କିଛି ଏନ୍ଡ଼ିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି । ରାଜ୍ୟସଭାରେ ଦଳର ୭ ଜଣ ଏବଂ ଲୋକସଭାରେ ଦଳର ୪ ଜଣ ସଦସ୍ୟ ସି.ପି. ରାଧାକ୍ରିଷ୍ଣନ୍ଙ୍କୁ ସମର୍ଥନ କରିଥିବା ସନେ୍ଦହ କରାଯାଉଛି । ଆହୁରି ମଧ୍ୟ ଆପ୍ ଦଳର ବିଦ୍ରୋହୀ ସାଂସଦ ସ୍ୱାତୀ ମାଲିୱାଲ୍ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବା କୁହାଯାଉଛି । ଲୋକସଭାର ୭ ଜଣ ସ୍ୱାଧୀନ ସାଂସଦଙ୍କ ମଧ୍ୟରୁ ଜଣେ ଭୋଟ୍ ଦେଇନାହାନ୍ତି । ତେବେ ଯାହା ବି ହେଉ ଶାସକ ଦଳ ତ ନିଶ୍ଚିତ ଜିତିବା କଥା ଏବଂ ଜିତିଲେ । ମାତ୍ର ବିରୋଧୀ ଦଳ ପ୍ରାର୍ଥୀଙ୍କୁ ୩୦୦ ଭୋଟ୍ ମିଳିବା ନିଶ୍ଚିତ ରୂପେ ଗୁରୁତ୍ୱପୂର୍ଣ୍ଣ ଘଟଣା ।