ମହାଭିଯୋଗ ପ୍ରସ୍ତାବ ବିରୋଧରେ ଜଷ୍ଟିସ୍‌ ବର୍ମା ସୁପ୍ରିମକୋର୍ଟ ଗଲେ

 ସରକାରୀ ବାସଭବନରୁ ବିପୁଳ ନଗଦ ଟଙ୍କା ଜବତ ମାମଲାରେ ବିବାଦୀୟ ହୋଇପଡ଼ିଥିବା ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା  ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।  ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ବିଚାରଣ ଆରମ୍ଭ କରିବା ପାଇଁ ସୁପାରିସ କରିଥିବା ସୁପ୍ରିମକୋର୍ଟଙ୍କ ଇନ୍‌ ହାଉସ୍‌ ତଦନ୍ତ କମିଟି ରିପୋର୍ଟକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।  ଆଗକୁ ସଂସଦର ମୌସୁମୀ ଅଧିବେଶନ ଥିବାବେଳେ ଏହି ଅଧିବେଶନରେ କେନ୍ଦ୍ର ସରକାର ହାଇକୋର୍ଟ ବିଚାରପତିଙ୍କ ବି‌ରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିପାରନ୍ତି । ଏହା ପୂର୍ବରୁ ଜଷ୍ଟିସ ବର୍ମା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।  ଅନ୍ୟପକ୍ଷରେ ବର୍ମାଙ୍କ ବିରୋଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣିବା ସମ୍ପୂର୍ଣ୍ଣ ଭାବେ ସାଂସଦମାନଙ୍କ ବିଷୟ ଏବଂ ସରକାର ଏଥିରେ ସମ୍ପୃକ୍ତ ନୁହଁନ୍ତି ବୋଲି କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି  ।  ଏକ ସାକ୍ଷାତକାରରେ ମେଘୱାଲ କହିଛନ୍ତି ଯେ ଜଷ୍ଟିସ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ତତ୍କାଳୀନ ପ୍ରଧାନ ବିଚାରପତି  ଖାନ୍ନାଙ୍କ ଦ୍ୱାରା ଗଠିତ ଆଭ୍ୟନ୍ତରୀଣ କମିଟି ଏହାର ରିପୋର୍ଟ ଦାଖଲ କରିଛି ।  ସୁପ୍ରିମ୍ କୋର୍ଟ କିମ୍ବା ହାଇକୋର୍ଟର ବିଚାରପତିଙ୍କୁ ହଟାଇବାର ଅଧିକାର ସଂସଦର ରହିଛି ବୋଲି ସେ କହିଛନ୍ତି ।