ମହିଳାମାନଙ୍କ ପାଇଁ ଆଦର୍ଶ ବିଷ୍ଣୁପ୍ରିୟା

ପୁରୀ : ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ ଦ୍ୱାରା ଭୁବନେଶ୍ୱରରେ ଆୟୋଜିତ ଏକ ସର୍ବଭାରତୀୟ ସମ୍ମିଳନୀରେ ସମଗ୍ର ଦେଶର ବଛାବଛା ମହିଳା ସ୍ୱେଚ୍ଛାସେବୀଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯାଇଛି । ନ୍ୟାସନାଲ ଓ ମେନ୍‌ ଏଣ୍ଟ୍ରାପ୍ରେନିଓରସିପ୍‌ ଅୱାଡର଼୍ରେ ସମ୍ମାନିତ ହୋଇଛନ୍ତି ପୁରୀ ଜିଲ୍ଳା ଗଡ଼ରୋଡ଼ଙ୍ଗ ଗ୍ରାମର ବିଷ୍ଣୁପ୍ରିୟା ସ୍ୱାଇଁ । ଚୟନ ପ୍ରକ୍ରିୟାରେ ଓଡ଼ିଶାରୁ ସବୁଠାରୁ ଆଗରେ ଥିଲେ ବିଷ୍ଣୁପ୍ରିୟା । ୩୫ବର୍ଷ ତଳେ ଚିଲିକା ଅଞ୍ଚଳରେ ମହିଳାମାନଙ୍କ ବିକାଶ ପାଇଁ ଅଣ୍ଟା ଭିଡ଼ିଥିବା ବିଷ୍ଣୁପ୍ରିୟା ମାତ୍ର ୩୦ଜଣ ମହିଳାଙ୍କୁ ନେଇ ମହିଳା ସମିତି ଗଠନ କରି ମୁଠି ଚାଉଳ ସଂଗ୍ରହ ମାଧ୍ୟମରେ ସଞ୍ଚୟର ମୂଳଦୁଆ ପକାଇଥିଲେ । ୩୦ଜଣ ମାଆଙ୍କୁ ନେଇ ଆରମ୍ଭ ହୋଇଥିବା ଉକ୍ତ ମହିଳା ସମିତି ଆଜି ଏକ ମହାଦ୍ରୁମରେ ପରିଣତ ହୋଇଛି ଓ ୧୦ହଜାର ମହିଳାଙ୍କ ବିକାଶ ଆନ୍ଦୋଳନ ‘ଆଲୋକ ମହିଳା ସଂଗଠନ’ ରୂପ ନେଇ ଛିଡ଼ା ହୋଇଛି । ୯୭ଟି ଗ୍ରାମର ମାଆମାନେ ବିଷ୍ଣୁପ୍ରିୟାଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଏବେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ପୂର୍ବରୁ ସେ ଶ୍ରୀ ଶିବରମଣ ଆୱାଡର଼୍, କେୟାର ଇଣ୍ଡିଆ ଆୱାଡର଼୍ ଏବଂ ସିଆଇଆଇର ମହିଳା ମାର୍ଗଦର୍ଶକ ଆୱାଡର଼୍ ପାଇ ସାରିଛନ୍ତି ।