ପୁଣି ଶ୍ରୀମନ୍ଦିରୁ ଜବତ ହେଲା ହିଡେ଼ନ୍ କ୍ୟାମେରା
ପୁରୀ : ପୁଣି ଶ୍ରୀମନ୍ଦିର ଭିତରୁ ପର୍ଯ୍ୟଟକଙ୍କ ଠାରୁ ଜବତ ହୋଇଛି ହିଡେ଼ନ୍ କ୍ୟାମେରା । ଆଜି ଶ୍ରୀମନ୍ଦିର ଭିତରେ ଜଣେ ଯୁବକ ଚଷମା ସଂଯୁକ୍ତ ହିଡେ଼ନ୍ କ୍ୟାମେରା ନେଇ ଭିଜୁଆଲ ସୁଟିଂ କରୁଥିବା ସମୟରେ ସୁରକ୍ଷା କର୍ମୀଙ୍କ ହାତରେ ଧରାପଡ଼ିଛନ୍ତି । ସଂପୃକ୍ତ ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ଚବିଶପ୍ରଗଣା ଅଞ୍ଚଳର ଅରୁପ ରାୟ ବୋଲି ଜଣାପଡ଼ିଛି । ଆଜି ସକାଳେ ଅରୁପ ତାଙ୍କ ପରିବାରଙ୍କ ସହିତ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିଥିଲେ । ଦର୍ଶନ ପାଇଁ ଯିବାବେଳେ ଚଷମା ସଂଯୁକ୍ତ ହିଡେ଼ନ୍ କ୍ୟାମେରା ଶ୍ରୀମନ୍ଦିରକୁ ନେଇ ପ୍ରବେଶ କରିଥିଲେ । ହିଡେ଼ନ୍ କ୍ୟାମେରାରେ ଶ୍ରୀମନ୍ଦିର ଭିତରେ ଚତୁର୍ଦିଗକୁ ଚାହିଁ ସୁଟିଂ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଦୃଷ୍ଟିରେ ପଡ଼ିଥିଲା । ସନ୍ଦେହରେ ସୁରକ୍ଷାକର୍ମୀମାନେ ଶ୍ରୀ ରାୟଙ୍କୁ ସିଂହଦ୍ୱାର ଗାରଦକୁ ନେଇଥିଲେ । ପରେ ସିଂହଦ୍ୱାର ଥାନାକୁ ନିଆଯାଇ ତାଙ୍କୁ ଅଟକ ରଖାଯାଇଥିଲା । ଏ ସଂକ୍ରାନ୍ତରେ ଏସ୍.ପି ପ୍ରତୀକ ସିଂ ପ୍ରକାଶ କରିଛନ୍ତି ଯେ, ଶ୍ରୀମନ୍ଦିର ଭିତରକୁ ହିଡେ଼ନ୍ କ୍ୟାମେରା ନେଇ ପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । କେଉଁ ପରିସ୍ଥିତିରେ ଓ କେଉଁ ଉଦ୍ଦେଶ୍ୟରେ ମନ୍ଦିର ଭିତରକୁ ହିଡେ଼ନ୍ କ୍ୟାମେରା ନେଇ ଯାଇଥିଲେ ତାର ତଦନ୍ତ କରାଯାଉଛି । ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ପୁଲିସ ମୋବାଇଲ ଫୋନ୍ ଜବତ କରିବା ସହ ହିଡେ଼ନ୍ କ୍ୟାମେରା ସଂଯୁକ୍ତ ଚଷମା ମଧ୍ୟ ଜବତ କରିଛି । ଶ୍ରୀମନ୍ଦିର ଆଇନ ଅନୁଯାୟୀ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି ।