ଆଇନର ଧୋଜ୍ଜା ଉଡାଇଲେ ଆଇଆଇସି : ଶାନ୍ତି କମିଟି ବୈଠକରେ କହିଦେଲେ ସତ

ରାଜନଗର, ୨୨ା୯ : ରାଜନଗର ଥାନାରେ ଆଇଆଇସି କିପରି ମିଛ ତଥ୍ୟ ଦେଖାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରୁଛନ୍ତି ତାହାର ପୋଲ ଖୋଲିଛନ୍ତି ନିଜେ ରାଜନଗର ଥାନା ଆଇଆଇସି ନରେଶ କୁମାର ସାହୁ । ଖୋଲା ବୈଠକରେ ସମସ୍ତଙ୍କ ସାମନାରେ ନିଜର ବଡିମା ଦେଖାଇବାକୁ ଯାଇ କିପରି ମିଛ ତଥ୍ୟର ସାହାରା ନିଆଯାଇ ଲୋକଙ୍କୁ କୋର୍ଟ ଚାଲାଣ କରାଯାଏ ତାହା ନିଜେ କହିଛନ୍ତି ଆଇଆଇସି । ୩ ଦିନ ଭିତରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ ପାଇଁ ଆଇନରେ ବ୍ୟବସ୍ଥା ନଥିଲେ ମଧ୍ୟ ମିଛ ତଥ୍ୟ ଦେଇ କୋର୍ଟ ଚାଲାଣ କରିଥିବା ନିଜେ ଆଇଆଇସି ଖୋଲା ସଭାରେ କହିଛନ୍ତି । କମ ମଦ ଧରିଥିଲେ ମଧ୍ୟ ଅଧିକ ମଦ ଜବତ କରିଥିବା ଦର୍ଶାଇ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରାଜନଗର ଥାନାର ଆଇଆଇସି ନରେଶ କୁମାର ସାହୁ ବୈଠକରେ କହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଆଜି ରାଜନଗର ଥାନାରେ ପୁଲିସ ପକ୍ଷରୁ ଶାରଦୀୟ ଦୂର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସାରିବା ପାଇଁ ବୈଠକ ଡକାଯାଇଥିଲା । ବୈଠକରେ ତହସିଲଦାର ଯୀଶୁକୃଷ୍ଣ ଦାସ ମଧ୍ୟ ଉପଷ୍ଟିତ ଥିଲେ । ଚୋରା ମଦ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କରୁଥିବା ନେଇ ବ୍ୟବସାୟୀ ମାନେ ଅଭିଯୋଗ କରିଥିଲେ । ଦଶହରା ୩ ଦିନ ଚୋରା ମଦ ବେପାର ବନ୍ଦ କରିବାକୁ ବ୍ୟବସାୟୀମାନେ ଦାବି କରିଥିଲେ । ଆଇଆଇସି ନରେଶ କୁମାର ସାହୁ ଉତ୍ତରରେ କହିଥିଲେ ଯେ, ଆମେ ପୂର୍ବରୁ ପଦକ୍ଷେପ ନେଇଛୁ । ମଦ ନବାହାରିଲେ ମଧ୍ୟ ଅଧିକ ମଦ ଜବତ କରିଥିବା ଦର୍ଶାଇ ଲୋକଙ୍କୁ ଜେଲ ପଠାଉଛୁ । ଗତ ଦୁଇ ଦିନ ଭିତରେ ଦୁଇ ଜଣଙ୍କୁ ମିଛ ତଥ୍ୟରେ ଜେଲ ପଠାଇଛୁ । ୧୦ ଲିଟରରୁ କମ ମଦ ଜବତ କରି କୋର୍ଟ ଚାଲାଣ କଲେ ମାଜିଷ୍ଟ୍ରେଟ ଆମ ଉପରେ ବିଗୁଡୁଛନ୍ତି । ସେଥିପାଇଁ ମଦ ନବାହାରିଲେ ମଧ୍ୟ ଅଧିକ ମଦ ଦେଖାଇ କୋର୍ଟ ଚାଲାଣ କରୁଛୁ ବୋଲି ଆଇଆଇସି ଖୋଲା ବୈଠକରେ କହିବା ଓ ଏହାର ଭିଡିଓ ଭାଇରାଲ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।