କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ 'ପରବ' ୨୦୨୪'ର ଶୁଭାରମ୍ଭ
ପ୍ରତିବର୍ଷ ଜିଲ୍ଲା ସସ୍କୃତି ପରିଷଦ ତରଫରୁ ଜିଲ୍ଲା ସଦର ମହକୁମା କୋରାପୁଟ ଠାରେ ଆୟୋଜିତ ଅଦିବାସୀ ଉତ୍ସବ ପରବ ନାମରେ ପରିଚିତ । ଏହା କୋରାପୁଟ ଜିଲ୍ଲାରେ ପାଳିତ ହେଉଥିଲେ ମଧ୍ୟ ରାଜ୍ୟ ସ୍ତରୀୟ ଉତ୍ସବର ମାନ୍ୟତା ପାଇଛି । ମାସ ବ୍ୟାପି ପାଳିତ ହେଉଥିବା ଏହି ଉତ୍ସବରେ ଖେଳ, ନାଚ, ଗୀତ, ନୌକା ଚାଳନା, ତୀର ଚାଳନା, କବି ସମ୍ମୀଳନି ଆଦି ଅନୁଷ୍ଠିତ ହୋଇଥାଏ । ଜିଲ୍ଲାର ବିଭିନ୍ନ ବ୍ଳକ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ମାନେ ଏହି ଉତ୍ସବରେ ଭାଗ ନେଇଥାନ୍ତି । ଜିଲ୍ଲା ସ୍ତରରେ ମୁଖ୍ୟ ଉତ୍ସବ ୩ ଦିନ ପାଳିତ ହେଉଥିଲେ ମଧ୍ୟ ପଲ୍ଲୀଶ୍ରୀ ମେଳା ୫ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଏହି ଉତ୍ସବକୁ ଉପଭୋଗ କରିବାପାଇଁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ଚଳିତ ବର୍ଷ କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀର ମଉଳୀ ମାଁ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ‘ପରବ-୨୦୨୪ । ସେମିଳିଗୁଡା ବ୍ଲକର ଅଧିଷ୍ଠାତ୍ରୀ ଦେବୀ ମାଁ ମଉଳୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଏହି ଲୋକ ମହୋତ୍ସବ ପାଇଁ ବିଗୁଲ ବାଜିଛି । ଉତ୍ସବରେ ସାମିଲ ହୋଇଥିଲେ ୧୪ ଟି ବ୍ଲକର ଲୋକପ୍ରତିନିଧି, ସରକାରୀ କର୍ମଚାରୀ ଏବଂ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ କଳାକାର ଓ ଜନସାଧାରଣ । ପ୍ରାୟ ୧୦ ହଜାର ଲୋକ ସମାଗମ ସାଙ୍ଗକୁ ନାଚଗୀତରେ ଦୁଲୁକି ଥିଲା ସେମିଳିଗୁଡା ବ୍ଲକ । ମଉଳୀ ମାଁ ଙ୍କ ମନ୍ଦିରରୁ ଆରମ୍ଭ ହୋଇଛି କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ ‘ପରବ’ । ଆଦିବାସୀଙ୍କ ପାରମ୍ପାରିକ ନୃତ୍ୟ ଗୀତରେ ପ୍ରକମ୍ପିତ ହୋଇଥିଲା ସେମିଳିଗୁଡା । ଆଜି ସକାଳ ୮ ଟା ସମୟରେ କୋରାପୁଟ ନିଶାଣୀମୁଣ୍ଡା ଠାରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ।ପରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ସ୍ଥିତ ମାଁ ମଉଳୀ ମନ୍ଦିର ପ୍ରାଙ୍ଗଣରୁ ପୂଜାର୍ଚ୍ଚନା ସହ ମଶାଲ ପ୍ରଜ୍ୱଳନ କରି ବିରାଟ ଶୋଭାଯାତ୍ରାରେ ମଶାଲ ବାହାରି ଗ୍ରାଉଣ୍ଡରେ ପହଂଚିଥିଲା । ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଉଦଘାଟନ ଉତ୍ସବ ପରେ ବିଭିନ୍ନ ବ୍ଲକ ଓ ସହରାଚଂଳ ସ୍ତରରେ ‘ପରବ’ ପାଳନ କରାଯିବ । ଏହା ପରେ ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ କୋରାପୁଟରେ ଆୟୋଜନ କରାଯିବ । ଗାଁ ଗହଳିର ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ‘ପରବ’ ଏକ ଉକôୃଷ୍ଟ ମାଧ୍ୟମ ବୋଲି କହିଛନ୍ତି ସ୍ଥାନୀୟ ଲୋକ ଓ କଳାକାର । ଏହି ଲୋକ ମହୋତ୍ସବକୁ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ଭରପୁର ଚେଷ୍ଟା କରାଯାଇଥିବା କହିଛନ୍ତି କୋରାପୁଟ ଜିଲ୍ଲାପାଳ । ଏଥିରେ ସାମିଲ ହୋଇ ଖୁସି ବ୍ୟକ୍ତ କରିଥିଲେ ସ୍ଥାନୀୟ କଳାକାର ଓ ଅଧିବାସୀ । ଏହି ଉତ୍ସବରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସମେତ କୋଟପାଡ଼ ବିଧାୟକ ରୂପ ଭତ୍ରା, କୋରାପୁଟ ବିଧାୟକ ରଘୁରାମ ମାଛ,ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, କୋରାପୁଟ ଡ଼ିଆଇଜି , କୋରାପୁଟ ଆରକ୍ଷୀ ଅଧିକ୍ଷକ,ଡି. ଏମ୍ କୋରାପୁଟ, ପଂଚାୟତ ସମିତି ସେମିଳିଗୁଡା ସଭାପତି,ଦୁଧାରୀ ପଂଚାୟତ ସରପଂଚ, ଏଡିଏମ୍, ଜିଲ୍ଲା ପରିଷଦ ସଭାପତି ସଶ୍ମିତା ମେଲକା, ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ଜୟପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶକ୍ତି ମହାପାତ୍ର, ଜୟପୁର ପୈାର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଯୋଗଦେଇ ୨୭ ତମ ‘ପରବ’ ମହୋତ୍ସବକୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବ୍ଳକ ଓ ସହରାଚଂଳରେ ଆୟୋଜିତ ହେବାକୁ ଥିବା ‘ପରବ’ରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପ୍ରତିଭା ଚୟନ କରାଯିବ ଓ ଏମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।