ମହୁଲ ଫୁଲର ଅଭାବୀ ବିକ୍ରି
ନୂଆପଡାରୁ ପରମେଶ୍ୱର ବାରିକ : ଜଙ୍ଗଲରେ ହସୁଛି ମହୁଲ ଗଛ । ପେନ୍ଥା ପେନ୍ଥା ମହୁଲ ଫୁଲରେ ଭର୍ତ୍ତି ହୋଇଛି ଗଛ । ଏହାକୁ ନେଇ ଲୋକଙ୍କ ମନରେ ଉତ୍ସୁକତା । କିଏ ମହୁଲ ସଂଗ୍ରହ କରିବାରେ ବ୍ୟସ୍ତ ତ କିଏ ପୁଣି ମହୁଲ ସଂଗ୍ରହ କରି ଦାଣ୍ଡ ଦୁଆରେ ଶୁଖାଉଛି । ଚାରିଆଡେ ମହୁଲ ଫୁଲର ମହକ, ମହକୁଛି ବଣ ପାହାଡ, ଗାଁ ଦାଣ୍ଡ । ମାର୍ଚ୍ଚ ଓ ଏପ୍ରିଲ ମାସରେ ପ୍ରଚୁର ମହୁଲ ଫୁଲ ଗଛରେ ମିଳିଥାଏ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକରେ ପ୍ରଚୁର ପରିମାଣରେ ମହୁଲ ଗଛ ଦେଖିବାକୁ ମିଳିଥାଏ । ଲୋକେ ସକାଳୁ ଉଠି ମହୁଲ ଫୁଲ ଗୋଟାଇବା ପାଇଁ ଯାଇଥାନ୍ତି । ଫୁଲ ସଂଗ୍ରହ ପୂର୍ବରୁ ଗଛ ତଳକୁ ସଫା ରଖିବା ପାଇଁ ନିଆଁ ଜାଳି ଦିଆ ଯାଏ କିମ୍ବା ମାଟି ଲେପି ଦିଆଯାଏ । ପ୍ରତିଦିନ ଭୋରରୁ ମହିଳା ଓ ପୁରୁଷମାନେ ନିଜ ଛୁଆଙ୍କ ସହ ଜଙ୍ଗଲକୁ ଯାଇ ଫୁଲ ସଂଗ୍ରହ କରୁଛନ୍ତି । ମହୁଲ ଫୁଲ ଗୋଟିଏ ଗୋଟିଏ ପଡ଼ୁଥିବାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଗଛ ତଳେ ରହିବାକୁ ପଡେ । କିଛି ଲୋକଙ୍କ ନିଜ ଗଛ ଥିବା ବେଳେ କିଛି ଲୋକ ଜଙ୍ଗଲରେ ବୁଲି ବୁଲି ମହୁଲ ଫୁଲ ସଂଗ୍ରହ କରିଥାନ୍ତି । ମହୁଲ କାହା ପାଇଁ ମହୁଲି ନିଶା ତ କାହାର ଭାତ ହାଣ୍ଡି । ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ପରିବାର ପ୍ରତିପୋଷଣ ପାଇଁ ଏହା ଏକ ମୁଖ୍ୟ ଉତ୍ସ । ଦୁଇ ପଇସା ରୋଜଗାର ଆଶା ନେଇ ଜଙ୍ଗଲରେ ବୁଲି ମହୁଲ ଫୁଲ ସଂଗ୍ରହ କରୁଛନ୍ତି ଲୋକେ । ପରେ ଘରେ ମହୁଲକୁ ନେଇ ଶୁଖାଇଲ ବେପାରୀମାନଙ୍କୁ ବିକ୍ରି କରି ଦୁଇ ପଇସା ରୋଜଗାର କରୁଛନ୍ତି । ତେବେ ପରିଶ୍ରମ ହିସାବରେ ଉଚିତ ମୂଲ୍ୟ ପାଉ ନଥିବା ଅଭିଯୋଗ ହୋଇଛି । ବେପାରୀମାନେ କିମ୍ବା ମଦଭାଟିର ଲୋକେ ୧୫ ରୁ ୨୦ ଟଙ୍କା ଦେଇ ମହୁଲ ଫୁଲ କିଣି ନେଉଛନ୍ତି । ଏହା ସରକାରଙ୍କ ରାଜସ୍ୱ ବୃଦ୍ଧିର ମୁଖ୍ୟ ସ୍ରୋତ । ମହୁଲି ମଦ ବିକ୍ରୟ କରି ସରକାର ବହୁତ ଲାଭବାନ ହୋଇଥାନ୍ତି କିନ୍ତୁ ମହୁଲ କିଣିବା ପାଇଁ ସରକାରୀ ବ୍ୟବସ୍ଥା ଉସôାହଜନକ ନୁହେଁ । ଫଳରେ ଲୋକେ ଅଭାବୀବିକ୍ରିର ଶିକାର ହେଉଥିବା କହିଛନ୍ତି । ପୁଣି ମାଙ୍କଡ଼ ଓ ଅନ୍ୟାନ୍ୟ ଜଙ୍ଗଲୀ ପଶୁ ମହୁଲ ଫୁଲ ଖାଇ ଯାଉଥିବାରୁ ସେମାନେ କମ ଫୁଲ ପାଉଥିବା ଜଣାଇଛନ୍ତି । ସାଧାରଣତଃ ଲଘୁବନ ଜାତ ଦ୍ରବ୍ୟ ବିକ୍ରୟ ତିନି ପ୍ରକାରରେ ହୋଇଥାଏ । ଯିଏ ଏହା କିଣିବାକୁ ଚାହିଁବ, ସେ ଗ୍ରାମ ପଞ୍ଚାୟତରେ ପ୍ରତ୍ୟେକ ଦ୍ରବ୍ୟ ପାଇଁ ୧୦୦ଟଙ୍କା ଦେଇ ରସିଦ କାଟିବ ଓ ଗୋଟିଏ ଋତୁ ପାଇଁ ଲୋକଙ୍କ ଠାରୁ ସିଧାସଳଖ କିଣିପାରିବ । ଏ ମାନେ ପ୍ରାଥମିକ କ୍ରେତା, ଦ୍ୱିତୀୟରେ ଏମାନେ କୌଣସି ଗୋଦାମରେ ବିକ୍ରି କରିବେ ଓ ଶେଷରେ ଗୋଦାମ ମାଲିକ କୌଣସି କମ୍ପାନୀ କିମ୍ବା ସରକାରୀ ଭାରପ୍ରାପ୍ତ ଅଧିକାରୀଙ୍କୁ ବିକ୍ରି କରିବେ ।ଏ ନେଇ ଖଡ଼ିଆଳ ଜିପିଇ ଓ ସିକୃତ ରାଠୋରଙ୍କୁ ପଚାରିବାରୁ ଏ ପର୍ଯ୍ୟନ୍ତ ଏନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ, ଆସନ୍ତା ସମିତି ବୈଠକରେ ଆଲୋଚନା ହେବା ପରେ କହିପାରିବେ ବୋଲି କହିଥିଲେ ।