୨୧୨ ୟୁନିଟ୍ ରକ୍ତ ସଂଗ୍ରହ 

 ଢେଙ୍କାନାଳ :   ଢେଙ୍କାନାଳ ଜିଲ୍ଲା ରକ୍ତଭଣ୍ଡାରରେ ଦେଖା ଦେଇଥିବା ରକ୍ତ ଅଭାବ ଜନିତ ସମସ୍ୟାର ସମାଧାନ ପାଇଁ ସାଇ ସତ୍ସଙ୍ଗ ସେବା ଟ୍ରଷ୍ଟ ତରଫରୁ ସ୍ଥାନୀୟ ଟାଉନ ହଲ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୋଟ ୨୧୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ପ୍ରାରମ୍ଭରେ ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଯେ ଢେଙ୍କାନାଳରେ ଦେଖାଦେଇଥିବା ରକ୍ତ ସଂକଟର ସମାଧାନ ଲାଗି ଏହା ସହାୟକ ହେବ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ରଞ୍ଜନ ସାମଲ ଯୋଗଦେଇ ରକ୍ତ ସଂକଟ ସମୟରେ ଏହି ଶିବିର ଆୟୋଜନକୁ ବହୁ ପ୍ରଶଂସା କରିଥିଲେ । ପୌରଯନ୍ତ୍ରୀ ରଶ୍ମିତା ମିଶ୍ର ଯୋଗ ଦେଇ ରକ୍ତଦାନ ସମେତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡା ରକ୍ତର ବିକଳ୍ପ ନାହିଁ, ସମସ୍ତେ ସଚେତନ ହେଲେ ରକ୍ତ ଅଭାବ ଦୂର ହେବ । ନିୟମିତ ବ୍ୟବଧାନରେ ରକ୍ତଦାନ କରି ଅନ୍ୟର ଜୀବନ ବଂଚେଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ଶିବିରକୁ ଅମରେନ୍ଦ୍ର ଖୁଣ୍ଟିଆ, ଗୀତାଞ୍ଜଳି ମହାପାତ୍ର ଓ ଟ୍ରଷ୍ଟର ସଦସ୍ୟମାନେ ପରିଚାଳନା କରିଥିଲେ ।