ମହୋଦଧି ଦିବସର ଦ୍ୱିତୀୟ ଦିନ: ପ୍ରତିଯୋଗୀଙ୍କ ବିଭିନ୍ନ କ୍ରୀଡ଼ାକୌଶଳ ପ୍ରଦର୍ଶନ
ପୁରୀ : ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଆରମ୍ଭ ହୋଇଥିବା ବିଶ୍ୱସ୍ତରୀୟ ମହୋଦଧି ଦିବସ ଓ ବିଚ୍ ଓସନ ସ୍ପୋର୍ଟ୍ସ କାର୍ଣ୍ଣିଭାଲର ଦ୍ୱିତୀୟ ଦିବସରେ ମଧ୍ୟ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରାଯାଇଥିଲା । ଦ୍ୱିତୀୟ ଦିବସର ପୂର୍ବାହ୍ନରେ ସ୍ପୋର୍ଟ୍ସ, ସାମୁଦ୍ରିକ କ୍ରୀଡ଼ା, ଥ୍ରୋବଲ୍, ଭଲିବଲ୍ ଓ ମାଲଖମ୍ବ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା । ସ୍ପୋର୍ଟ୍ସ ଏରିନାରେ ଖେଳାଳିମାନେ ଓ ସ୍ୱେଚ୍ଛାସେବୀମାନେ ଡ଼୍ୟାନ୍ସ ଫିଟନେସରେ ଯୋଗ ଦେଇଥିଲେ । ସମୁଦ୍ର ଜଳରେ ମଧ୍ୟ ବିଭିନ୍ନ ପ୍ରକାର କ୍ରୀଡ଼ାକୌଶଳ ପ୍ରତିଯୋଗୀମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ପହଁରା, କାୟକିଙ୍ଗ, କନୱାଗିଙ୍ଗ, ରନ୍ସୁଇମ୍, ରେସ୍କୁ୍ୟ ଟୁ୍ୟ ଆଦି ସାମୁଦ୍ରିକ କ୍ରୀଡ଼ା ଅନ୍ତର୍ଭୁକ୍ତ ଥିଲା । ସ୍ଥାନୀୟ କ୍ରୀଡ଼ା କ୍ଲବ ପକ୍ଷରୁ ଥ୍ରୋବଲ୍, ଭଲିବଲ, ମାଲଖମ୍ବ ଓ ଇଣ୍ଡୋ-ଶ୍ରୀଲଙ୍କା ବିଚ୍ ସ୍ପ୍ରିଣ୍ଟଖେଳ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା ଗଦି କୁସ୍ତି ପ୍ରତିଯୋଗିତା । ଦିବ୍ୟାଙ୍ଗ ବ୍ୟକ୍ତିମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଚିତ୍ରଶିଳ୍ପୀ ଦୁର୍ଗାମାଧବ କରଙ୍କ ନିଦେ୍ର୍ଦଶନାରେ ଆର୍ଟ ଗ୍ୟାଲେରୀରେ ଶିଳ୍ପୀମାନେ ସୁନ୍ଦର ଚିତ୍ର ଆଙ୍କୁଥିବା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା । ବହୁ ଦର୍ଶକ ଓ ପର୍ଯ୍ୟଟକ ଉପସ୍ଥିତ ରହି ଏହି କ୍ରୀଡ଼ାକୌଶଳକୁ ଉପଭୋଗ କରିଥିଲେ ।