ଛତିଶା ନିଯୋଗ ବୈଠକ : ଶ୍ରୀମନ୍ଦିରକୁ ଫେରିବ ଏମାର ମଠରୁ ଜବତ ରୂପା ଇଟା
ପୁରୀ : ଆସନ୍ତା ମାସ ୭ତାରିଖରୁ ମହାକାର୍ତ୍ତିକ ମାସ ଆରମ୍ଭ ହେବ । ହଜାର ହଜାର ବ୍ରତଚାରିଣୀ ଶ୍ରୀକ୍ଷେତ୍ରକୁ ୍ରଆସି ୧ମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ । ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ବେଶ ଏବଂ ଅନେକ ନୀତିକାନ୍ତି ରହିଛି । ଏହାର ସୁପରିଚାଳନା ପାଇଁ ଛତିଶା ନିଯୋଗ ବୈଠକରେ ବିଭିନ୍ନ ପ୍ରସ୍ତାବ ଗୃହିତ ହୋଇଛି । ଚଳିତବର୍ଷ କାର୍ତ୍ତିକ ମାସ ଓ ବାଳଧୂପ ନୀତିର ନୀତିନିର୍ଘଣ୍ଟ ସଂପର୍କରେ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ନୀତି ସବ୍କମିଟି ବୈଠକ ବସି ଆଲୋଚନା କରାଯାଇଥିଲା । ବୈଠକରେ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟକୁ ଅନୁମୋଦନ କରାଯାଇଛି । ନୀତିନିର୍ଘଣ୍ଟ ଅନୁଯାୟୀ ପ୍ରତ୍ୟହ ଭୋର ୪ଟାରୁ ଶ୍ରୀମନ୍ଦିରର ଦ୍ୱାର ଫିଟାଯିବ । ପଞ୍ଚକ ୫ଦିନ ଧରି ମହାପ୍ରଭୁଙ୍କ ବିଭିନ୍ନ ବେଶ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ନୀତି ବହୁଳତା ଥିବାରୁ ନାଟମଣ୍ଡପରେ ଧାଡ଼ିଦର୍ଶନ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ କରାଯଇପାରିବ ନାହିଁ । କାର୍ତ୍ତିକ ମାସ ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ କରିବା ପାଇଁ ସ୍ଥିରିକୃତ ହୋଇଛି । ଦିବ୍ୟାଙ୍ଗମାନଙ୍କ ଦର୍ଶନ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସେବାୟତମାନଙ୍କ କଲ୍ୟାଣ ଓ କାର୍ତ୍ତିକ ମାସରେ ସମାଗମ ହେବାକୁ ଥିବା ହବିଷ୍ୟାଳୀମାନଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ମଧ୍ୟ ବ୍ୟାପକ ଆଲୋଚନା କରାଯାଇଥିଲା । ଏହାସହ ଏକ ସମନ୍ୱୟ କମିଟି ଗଠନ କରାଯାଇଛି । ପ୍ରତ୍ୟେକ ବୁଧବାର ଦିନ ସଂପୃକ୍ତ କମିଟିର ବୈଠକ ବସି ନୀତି ଶୃଙ୍ଖଳା ଉପରେ ଆଲୋଚନା ପର୍ଯ୍ୟାଲୋଚନା କରାଯିବ । ଏହି କମିଟିରେ ବରିଷ୍ଠ ସେବାୟତମାନଙ୍କୁ ମନୋନିତ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ଛତିଶାନିଯୋଗ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡ଼. ପାଢୀ କହିଛନ୍ତି ଯେ, ନୀତି ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଇଛି । ଏମାର ମଠରୁ ଜବତ ହୋଇଥିବା ୫୪୫ଖଣ୍ଡ ରୂପାଇଟା ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମତେ ପୁଲିସ ଆରମୋରିରେ ରଖାଯାଇଥିବା ବେଳେ ତାହାକୁ ଶ୍ରୀମନ୍ଦିରକୁ ଫେରାଇ ଆଣିବା ପାଇଁ ବୈଠକରେ ପ୍ରସ୍ତାବ ଗୃହିତ ହୋଇଛି । ତେଣୁ ରାଜ୍ୟ ସରକାରଙ୍କୁ ରୂପା ଇଟା ଶ୍ରୀମନ୍ଦିରକୁ ଫେରାଇ ଆଣିବା ପାଇଁ ନିବେଦନ କରାଯିବ । ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଏ ସଂକ୍ରାନ୍ତରେ ବର୍ତ୍ତମାନଠାରୁ କିଛି କୁହାଯାଇପାରିବ ନାହିଁ । ବିଭିନ୍ନ ମଠର ସଂପତ୍ତି ଶ୍ରୀମନ୍ଦିରର ହୋଇଥିବାରୁ ରୂପା ଇଟା ଶ୍ରୀମନ୍ଦିର ପ୍ରଶାସନକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ।