ବର୍ଷା ଅଭାବ, ଆଗେଇ ପାରୁନି ଚାଷ କାର୍ଯ୍ୟ
କାକଟପୁର : ପୁରୀ ଜିଲ୍ଲାରେ ଚାଷ କାର୍ଯ୍ୟ ନିଅଣ୍ଟିଆ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିବାବେଳେ ବର୍ଷା ଏକ ପ୍ରକାର ଦାଉ ସାଧୁଛି ଚାଷୀ ଉପରେ । ଲଘୁଚାପ ବର୍ଷା ଚାଷୀ ମନରେ ଆଶା ସଂଚାର କରୁଥିବା ବେଳେ ଏହା କିନ୍ତୁ ବେଉଷଣ ପାଇଁ ପର୍ଯ୍ୟାପ୍ତ ହେଉନାହିଁ ବୋଲି କେତେକ ଚାଷୀ ମୁଁହ ଖୋଲି ପ୍ରକାଶ କରିଛନ୍ତି । କାକଟପୁର ଓ ଅସ୍ତରଙ୍ଗରେ ଶତକଡା ୮ ପ୍ରତିଶତ ଚାଷୀ ରୁଆ ବେଉଷଣ କାର୍ଯ୍ୟ ସାରିଥିବାବେଳେ ଆଉ ଅବଶିଷ୍ଟ ଜମି ପାଣି ଅଭାବରୁ ଶୁଖିଲା ପଡିଛି । ଆଉ ମାତ୍ର ପନ୍ଦର ଦିନ ମଧ୍ୟରେ ଆଶାନୁରୂପ ବର୍ଷା ନହୁଏ, ତେବେ ଚାଷ କାର୍ଯ୍ୟ ଠପ ହୋଇଯିବ ବୋଲି କାକଟପୁର ପାଟପୁର ଅଞ୍ଚଳର ବିଶିଷ୍ଟ ଚାଷୀ ଆଦିତ୍ୟ ମହାନ୍ତି ପ୍ରକାଶ କରିଛନ୍ତି । ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ ଅଣ ଜଳସେଚିତ ଜମି ଗୁଡିକ ବର୍ଷା ଅଭାବରୁ ଚାଷ ହୋଇନପାରିବା ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଅନେକ ଚାଷୀ ଚାଷ ଉପରୁ ମୁଁହ ଫେରାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଥିବାବେଳେ ଚାଷୀ ପରିବାରମାନେ ବର୍ଷ ବର୍ଷ ଧରି ହନ୍ତସନ୍ତ ହେଉଛନ୍ତି । ସରକାର ପରେ ସରକାର ଆସୁଥିଲେ ମଧ୍ୟ ଚାଷୀଙ୍କ ଆବଶ୍ୟକତା ପୂରଣ କରିବାରେ ସହାୟକ ହୋଇପାରୁନାହାନ୍ତି । କେବଳ କୁମ୍ଭୀର କାନ୍ଦଣା କାନ୍ଦିବା ଛଡା ଏହାର ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ତୁରନ୍ତ ରାଜ୍ୟ କୃଷିମନ୍ତ୍ରୀ ଓ ପୁରୀ ଜିଲ୍ଲାପାଳ ଅଣ ଜଳସେଚିତ ଜମି ଗୁଡିକୁ ଜଳ ଯୋଗାଇଦେବାରେ ସହାୟକ ହେଲେ ଚାଷୀମାନେ ଉପକୃତ ହୋଇପାରନ୍ତେ ବୋଲି ଅଞ୍ଚଳର ବୃହତ ଚାଷୀମାନେ ମତବ୍ୟକ୍ତ କରିଛନ୍ତି ।