ମାଁଙ୍କୁ ଲାଗି ହେଲା ନବାନ୍ନ
ସମ୍ବଲପୁର : ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ, ମାଁ ପାଟଣେଶ୍ୱରୀ, ସୁରେଶ୍ୱରୀ, ମାହେଶ୍ୱରୀ, ରାମଚଣ୍ଡୀ, ଶିଖରବାସିନୀ, ଭୈରବୀଙ୍କ ସମେତ ଅଂଚଳର ଇଷ୍ଟ ଦେବୀଦେବତାଙ୍କ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ସହ ଆଜି ପଶ୍ଚିମ ଓଡ଼ିଶାବାସୀ ନୂଆଁଖାଇ ପାଳନ କରିଛନ୍ତି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଅର୍ପଣ ଲାଗି ଭୋର୍ରୁ ଉପକ୍ରମ ଆରମ୍ଭ ହୋଇଯାଇଥିଲା । ଭୋର ସାଢ଼େ ୪ଟାରେ ପୂଜକମାନେ ମନ୍ଦିରରେ ପହଞ୍ଚôଥିଲେ । ପ୍ରାତଃ ପୂଜା ନୀତି ପରେ ଗମ୍ଭୀରା ଓ ପାଶ୍ୱର୍ ଦେବାଦେବୀଙ୍କ ନବାନ୍ନ ବିଧି ଆରମ୍ଭ ହୋଇଥିଲା । ଏଥି ସହିତ ମନ୍ଦିର ପରିସରରେ ବିଭିନ୍ନ ସ୍ଥାନରେ ପୂର୍ବାହ୍ନ ୯ଟାରେ ପୂଜକମାନେ ବନା ବା ଝୋଟି ଆଙ୍କିଥିଲେ ।
ଆଜି ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ପୂର୍ବାହ୍ଣ ୧୦.୩୩ ରୁ ୧୦.୫୫ଟା ସମୟରେ ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ସହିତ ପୂଜକ ଗଙ୍ଗାଧର ରାୟ , କୋଦଣ୍ଡ ରାୟ , ସୁଧାଂଶୁ ରାୟ ଓ ପ୍ରଶାନ୍ତ ରାୟଙ୍କ ଘରୁ ତଥା ଝାଡ଼ୁଆପଡ଼ାର ବେହେରା ପରିବାରରୁ ଦେବୀଙ୍କ ନବାନ୍ନ ଭୋଗ ଆସିଥିଲା ।ଏହା ପରେ ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ସହିତ ପ୍ରାୟ ୧୫ ଜଣ ପୂଜକ ଗମ୍ଭୀରା ଭିତରକୁ ଯାଇ ନବାନ୍ନ ଅର୍ପଣର ପ୍ରାକ୍ ପ୍ରସ୍ତୁତି କରିଥିଲେ । ନିର୍ଦ୍ଧାରିତ ଲଗ୍ନରେ ଦେବୀଙ୍କୁ ନୂଆ ଚାଉଳ, କ୍ଷୀରି, ପିଠା, ସାରୁ ସାଗ ଆଦି ଭୋଗ ଲାଗି କରାଯାଇଥିଲା । ନୂଆଁଭୋଗ ଲାଗିଲା ବୋଲି ଶୁଭଶଙ୍ଖ ବାଦନ ସହ ଗମ୍ଭୀରା ଭିତରୁ ପୂଜକମାନେ ବାହାରି ୧୧୫ ପାଶ୍ୱର୍ ଦେବାଦେବୀଙ୍କୁ ନବାନ୍ନ ଅର୍ପଣ କରିଥିଲେ । ଏହା ଶ୍ରୀ ଗଣେଶଙ୍କଠାରୁ ଆରମ୍ଭ ହୋଇ ମାଉଲୀ ଦେବୀଙ୍କଠାରେ ଶେଷ ହୋଇଥିଲା । ପରେ ପୂଜକମାନେ ବଡ଼ବଜାର ଘିକୁଣ୍ଡି ମନ୍ଦିର ଓ ସୁନାରିପଡ଼ାର ହନୁମାନ ମନ୍ଦିରରେ ମଧ୍ୟ ନବାନ୍ନ ଲାଗି କରିଥିଲେ । ସମସ୍ତ ପାଶ୍ୱର୍ଦେବଦେବୀଙ୍କ ନବାନ୍ନ ଲାଗି ପରେ ମାଁଙ୍କ ମହାଆଳତୀ କରାଯାଇଥିଲା । ଏଥର ମଧ୍ୟ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଗମ୍ଭୀରା ପୂଜା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ଫେସବୁକ୍ରେ ଲାଇଭ୍ ପ୍ରସାରଣ କରାଯାଇଥିଲା । ପ୍ରତିବର୍ଷ ଭଳି ସହସ୍ରାଧିକ ଭକ୍ତ ନୂଆଁ ଖାଇବା ପରେ ମାଁଙ୍କ ଦର୍ଶନ କରିଥିଲେ । ମଧ୍ୟାହ୍ନରେ ସାଧାରଣ ଭକ୍ତଙ୍କ ପାଇଁ ଦେବୀଙ୍କୁ ଦର୍ଶନ ସକାଶେ ଉନ୍ମୁକ୍ତ କରାଯାଇଥିଲା । ସେହିଭଳି ସହରର ବିିଭିନ୍ନ ମନ୍ଦିର ଓ ଗ୍ରାମଦେବୀ ପୀଠ ସହିତ ଘରମାନଙ୍କରେ ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଅର୍ପଣ କରାଯାଇଥିଲା । ଏଥର ଗାଁଠୁ ସହର ସର୍ବତ୍ର ନୂଆଁଖାଇର ଉତ୍ସୁକତା ଦେଖିବାକୁ ମିଳିଛି । ମହିଳାମାନେ ପୂର୍ବରୁ ଝାଙ୍କର (ଗ୍ରାମଦେବୀଙ୍କ ପୂଜକ) ଦେଇଥିବା ନୂଆଁଧାନରୁ ପ୍ରସ୍ତୁତ ଅନ୍ନରୁ ବିଭିନ୍ନ ପିଠାପଣା ଓ କ୍ଷୀରି ପ୍ରସ୍ତୁତ କରି ଆଜି ଦେବାଦେବୀଙ୍କ ଠାରେ ଅର୍ପଣ କରିଥିଲେ । ବଡ଼ି ଭୋର ସମୟରୁ ଚାଷୀ ପରିବାରର ମୁରବୀମାନେ କ୍ଷେତକୁ ଯାଇ କ୍ଷୀର ଅର୍ପଣ କରି କ୍ଷେତ ପୂଜା କରିଥିଲେ । ଏହା ପରେ ନିଜ ଅଞ୍ଚଳ ଦେବୀଦେବତାଙ୍କ ଲଗ୍ନ ଅନୁଯାୟୀ ଘରେ ପୂଜାର୍ଚ୍ଚନା ସହ ବରିଷ୍ଠତମ ସଭ୍ୟଙ୍କ ଠାରୁ ପରିବାରର ସମସ୍ତେ ନୂଆଁ ଗ୍ରହଣ କରି ଭଗବାନଙ୍କୁ ପ୍ରଣିପାତ ଜଣାଇଥିଲେ । ଏହା ବାଦ୍ ନୂୂଆଁଖାଇ ଜୁହାର ଭେଟ୍ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ସମସ୍ତେ ସାର୍ବଜନୀନ ଜୁହାର୍ଭେଟ୍ ପାଇଁ ଗାଁଖୁଲି ଓ ପଡ଼ା ରାସ୍ତାକୁ ବାହାରିଥିଲେ । ନୂଆଁଖାଇ ପାଇଁ ଦୂରଦୂରାନ୍ତରେ ଥିବା ଲୋକେ ଆସି ନିଜ ନିଜ ପରିବାର ସହ ଯୋଗ ଦେଇଛନ୍ତି । ସନ୍ଧ୍ୟାରେ ସହର ଓ ବିିଭିନ୍ନ ଗାଁମାନଙ୍କରେ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସ୍ଥାନୀୟ ତପସ୍ୱିନୀ ହଲ ଠାରେ ଓଡ଼ିଶା ସାଂସ୍କୃତିକ ସମାଜ, ଦଧିବାମନ କଲ୍ୟାଣ ମଣ୍ଡପ ଠାରେ ନନ୍ଦପଡ଼ା ଚିତ୍ରୋତ୍ପଳା ଯୁବକ ସଂଘ, ମାଁ ସମଲେଶ୍ୱରୀ ମନ୍ଦିର ପରିସରରେ ସମଲେଶ୍ୱରୀ ଯୁବ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।