ମାଟି ଉଠାଣକୁ ନେଇ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ହଣାହଣି ; ୪ ଗିରଫ
ଭୁବନେଶ୍ୱର, ୦୩ା୬ : ବାଲି ଉଠାକୁ ନେଇ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ଗଣ୍ଡଗୋଳ ସହ ହଣାହଣି । ଏନେଇ ଉଭୟ ପକ୍ଷରୁ ୧୫୫/୧୫୬ରେ ମାମଲା ରୁଜୁକରି ତଦନ୍ତ ଚଳାଇ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏୟାରଫିଲ୍ଡ ଥାନା ପୁଲିସ । ଗିରଫ ୪ ଅଭିଯୁକ୍ତ ହେଲେ, ପାଞ୍ଚଗାଁର ପୃଥ୍ୱୀବିରାଜ୍ ଗୁରୁ, ପ୍ରୋଦଷ କୁମାର ସିଂହ, ଜଗଦୀଶ ସାମନ୍ତରାୟ ଓ ହିମାଳୟ ବେହେରା । ପରେ ୧୫୫ ମାମଲାରେ, ଦଫା ୩୪୧, ୩୨୩, ୨୯୪, ୩୭୯, ୫୦୬, ୩୦୭, ୩୪ ଆଇପିସି ଆରଡବ୍ଲୁ୍ୟ ୨୫/୨୭ ଆରମ୍ସ ଆକ୍ଟରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୫୬ ମାମଲାରେ ଦଫା ୩୪୧, ୨୯୪, ୩୨୩, ୫୦୬, ୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଉଭୟ ପକ୍ଷ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପାଞ୍ଚଗାଁ ବାସିନ୍ଦା ଅଟନ୍ତି । ଏମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ମାଟି ଉଠାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ଘଟଣା ଦିନ ବିଳମ୍ବିତ ରାତିରେ ମଧ୍ୟ ସମ୍ପୃକ୍ତ ସ୍ଥାନରୁ ବାଲି ଉଠାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା ଓ ପରେ ଏହା ଉଗ୍ରରୂପ ନେଇଥିଲା । ପରେ ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରିଥିଲେ । ଏହି ସମୟରେ ଅଭିଯୁକ୍ତ ପୃଥ୍ୱୀବରାଜ୍ ଗୁରୁ, ପ୍ରଦୋଷ କୁମାର ସିଂହ ଏବଂ ତାଙ୍କର ସହଯୋଗୀ ମାନେ ଉତକ୍ଷିପ୍ତ ହୋଇ ଅଭିଯୋଗକାରୀ ଜଗଦୀଶ ସାମନ୍ତରାୟଙ୍କୁ ବିଭିନ୍ନ ମାରଣାସ୍ତ୍ର ସାହାର୍ଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ, ଜଗଦୀଶ ସାମନ୍ତରାୟ ହିମାଳୟ ବେହେରା ଏବଂ ତାଙ୍କର ସହଯୋଗୀ ମାନେ ମଧ୍ୟ ପ୍ରତିପକ୍ଷଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଓ ପ୍ରତି ଆକ୍ରମଣ ଯୋଗୁଁ ଉଭୟ ପକ୍ଷର ସଦସ୍ୟ ମାନେ ଆହତ ହୋଇଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଉଭୟ ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୁଲିସ ଉଭୟ ପକ୍ଷରୁ ମାମଲା ରୁଜୁକରି ୪ ଜଣଙ୍କୁ ଗିରଫ କରିଛି ।