୩ ବେପାରୀ ଗିରଫ; ୨୦ ଲକ୍ଷର ବ୍ରାଉନସୁଗାର ଜବତ
ଭୁବନେଶ୍ୱର, ୧୩ା୧ : ନିଶା କାରବାରର ପେଣ୍ଠେସ୍ଥଳ ହେଉଛି ରାଜଧାନୀ ସହର । ବିଭିନ୍ନ ଜିଲ୍ଲାରୁ ଅପରାଧୀ, ନିଶା ମାଫିଆ ମାନେ ଆସି ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ରହି ଚଳାଉଛନ୍ତି ବ୍ରାଉନସୁଗାର, ଗଞ୍ଜେଇ ଓ ମଦ ଭଳି ନିଶା କାରବାର । ଏହି ନିଶାକୁ ସେବନ କରି ଅବା ନିଶା କାରବାର କରି ରାତାରାତି ବଡ଼ ହେବାର ଚିନ୍ତାଧାରାକୁ ନେଇ ରାଜଧାନୀରେ ପ୍ରତେକ ଦିନ ଘଟୁଛି ଲୁଟ୍, ହତ୍ୟା, ଡ଼କାୟତି, ଛିନତାଇ, କୁକର୍ମ ଭଳି ଅପରାଧ । ଯାହାକୁ ନେଇ ଚିନ୍ତାରେ କମିଶନରେଟ୍ ପୁଲିସ । ଜେଲ ଫେରନ୍ତା ଅପରାଧୀ ଓ ନିଶା ବେପାରୀ ମାନେ ଏହି କାରବାର ଚଳାଇ ଓ ନିଶା ମାଫିଆଙ୍କ ଠାରୁ ସୁପାରି ନେଇ ରାଜଧାନୀରେ ଘଟାଉଛନ୍ତି ହତ୍ୟାକାଣ୍ଡ । ଗତ କିଛିଦିନି ତଳେ ନିଶା ବେପାରୀ ମାନେ ମିଶି ଜଣେ ସମାଜସେବୀ ତଥା ପୁଲିସ ମିତ୍ରକୁ ବିଚ୍ ରାସ୍ତାରେ ହାଣି ମୁଣ୍ଡ ଗଣ୍ଡିକୁ ଅଲଗା କରି ହତ୍ୟା କରିଥିଲେ । ଯାହାକୁ ନେଇ ରାଜଧାନୀ ଉଠିଥିଲା ପଡ଼ିଥିଲା । ସେହି ଘଟଣାରେ ପୁଲିସ ହତ୍ୟାକାରୀଙ୍କୁ ଗିରଫ କରିଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ବାକି ୨ରୁ ୩ ଜଣ ଅଭିଯୁକ୍ତ ଫେରାର ରହିଛନ୍ତି । ଏନେଇ କମିଶନରେଟ୍ ପୁଲିସ ଆକ୍ସନ ମୁଡରେ ରହିବା ସହ ରାଜଧାନୀରୁ କେମିତି ନିଶା କାରବାରକୁ ରୋକି ହେବ ସେ ନେଇ ଦିନ ରାତି ଏକ କରି ରାଜଧାନୀରେ ପେଟ୍ରୋଲିଂ ଜାରି ରହିଛି । ସବୁଦିନ ପରି ଆଜି ସକାଳୁ ସ୍ପେଶାଲ ସ୍କ୍ୱାର୍ଡ ଟିମ ସାନ୍ତିପଲ୍ଲୀ ବସ୍ତି ଅଞ୍ଚଳରେ ପେଟ୍ରୋଲିଂ ଚଳାଇଥିବା ବେଳେ ୩ ଜଣ ନିଶା ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ସେମାନେ ହେଲେ ନୟାଗଡ଼ ଜିଲ୍ଲାର ଜିତୁନି କୁମାର ସେଠି, ଦିଲିପ୍ କୁମାର ସେଠି ଓ ଖୋର୍ଦ୍ଧାର ସର୍ବେଶ୍ୱର ବେହେରା । ଏମାନେ ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ରହି ନିଶା କାରବାର ଚଳାଉଥିଲେ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।