ମାନସଙ୍କ ନାଁରେ ଜମି ହଡ଼ପ ଅଭିଯୋଗ
ଭୁବନେଶ୍ୱର: ବିଜେଡ଼ି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ନାମରେ ସଂଗୀନ ଅଭିଯୋଗ ଆସିଛି । କୁକୁଡ଼ା ଫାର୍ମ ପାଇଁ ସେ ସରକାରୀ ଜମି ହଡ଼ପ କରିଛନ୍ତି । ପୋଖରୀ ରାସ୍ତା ବି ବନ୍ଦ କରିଦେଇଛନ୍ତି । ୬ ଏକର ଜାଗା କିଣି ଆଉ ୧୨ ଏକର ସରକାରୀ ଜାଗା ମାଡ଼ି ବସିଛନ୍ତି । ଅନେକ ଲୋକଙ୍କୁ ଡରାଇ ଧମକାଇ ଜମି ବି ହଡ଼ପ କରିଛନ୍ତି । କୁହୁଡ଼ିର ଦୀକ୍ଷିତପଡ଼ା ଓ ଗଉଡ଼ସାହିର ଲୋକମାନେ ଏମିତି ଅଭିଯୋଗ କରିଛନ୍ତି । ଅପରପକ୍ଷରେ ମାନସ ଏହାକୁ ଖଣ୍ଡନ କରିଥିବାବେଳେ ଅଭିଯୋଗ ଆସିଲେ ତଦନ୍ତ ହେବବୋଲି ଖୋର୍ଦ୍ଧା ଏଡ଼ିଏମ୍ କହିଛନ୍ତି ।
ଲୋକଙ୍କ କହିବା ଅନୁଯାୟୀ, ୬୦ ବର୍ଷ ପୂର୍ବରୁ ସେହି ଗାଁର ପୋଖରୀକୁ ରାସ୍ତା ଥିଲା । ହେଲେ ଏବେ ସେହି ରାସ୍ତାରେ ମାନସ ପାଚେରୀ ବୁଲାଇ ଦେଇଛନ୍ତି । ସେ ପାୱାରରେ ଥିବାରୁ କେହି କହିବାକୁ ସାହାସ କରିପାରିଲେନି । ସେମାନଙ୍କ ନାମରେ ମିଛ ମକଦ୍ଦମା କରାଯାଇଥିଲା । ପୁଲିସ୍ ବି ଧମକାଇଲା । ତେଣୁ ବାଧ୍ୟ ହୋଇ ଜମି ବିକିଥିଲୁ । କୋବଲା ଜାଗା କିଣିବା ପରେ ଆଖପାଖରେ ଥିବା ସରକାରୀ ଜମିକୁ ବି ସେ ହଡ଼ପ କରିନେଇଥିଲେ । ପ୍ରାୟ ଦଶ ବାର ଏକର ସରକାରୀ ଜମି ମାଡ଼ି ବସିଛନ୍ତି ବୋଲି ଅଭିଯୋଗ ଆସିଛି ।