ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର

ରାଜ୍ୟ ସରକାର ଜନସାଧାରଣଙ୍କ ଅଭିଯୋଗଗୁଡ଼ିକର ପ୍ରତ୍ୟକ୍ଷ ଶୁଣାଣି କରୁଛନ୍ତି। ଏହିକ୍ରମେ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଆବଶ୍ୟକ ହେଲେ ବିଭିନ୍ନ ଜିଲ୍ଲାରେ କ୍ୟାବିନେଟ୍ ବୈଠକ କରାଯିବ ବୋଲି ଶନିବାର ସମ୍ବଲପୁରରେ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟ୍ଘାଟ୍ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପାରିବାରିକ ପ୍ରେମ ଓ ସମୃଦ୍ଧିର ପ୍ରତୀକ ହେଉଛି ନୂଆଁଖାଇ। ଏହା କେବଳ ପଶ୍ଚିମ ଓଡ଼ିଶାରେ ସୀମିତ ରହିଛି ତାହା ନୁହେଁ ଏହାକୁ ସମଗ୍ର ରାଜ୍ୟବାସୀଙ୍କ ସହ ଦେଶ ବିଦେଶରେ ମଧ୍ୟ ପାଳନ କରାଯାଉଛି। ସମ୍ବଲପୁରଠାରେ ଶନିବାର ସନ୍ଧ୍ୟାରେ ଆୟୋଜିତ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟ୍ଘାଟ୍ ଉତ୍ସବକୁ ମୁଖ୍ୟଅତିଥି ଭାବେ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ନୂଆଁଖାଇ ଆମକୁ ଚାଷୀଙ୍କ ପ୍ରତି କୃତଜ୍ଞ କରିଥାଏ।
ସେହିପରି ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ ସ୍ବତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ବିକଶିତ କରିବାକୁ ଯୋଜନା କରୁଛୁ। ଏଥିରେ ହୀରାକୁଦ ଜଳଭଣ୍ଡାର, ସୌନ୍ଦର୍ଯ୍ୟଭରା ଦେବ୍ରିଗଡ଼ ଅଭୟାରଣ୍ୟ ନିକଟବର୍ତ୍ତୀ ସମ୍ବଲପୁର ସହର ଏବଂ ମା’ସମଲେଇଙ୍କ ମନ୍ଦିରର ବିକାଶ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ବଲାଙ୍ଗୀର ଜିଲାର ହରିଶଙ୍କର ଓ ବରଗଡ଼ ଜିଲାର ନୃସିଂହନାଥ ପୀଠକୁ ମଧ୍ୟ ସ୍ବତନ୍ତ୍ର ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଏକ ସ୍ବତନ୍ତ୍ର ବିମାନରେ ଆସି ସମ୍ବଲପୁର ଜମାଦାରପାଲି ବିମାନ ଅବତରଣ କେନ୍ଦ୍ରରେ ଓହ୍ଲାଇଥିଲେ। ସ୍ଥାନୀୟ ସର୍କିଟ ହାଉସକୁ ଯାଇ କିଛି ସମୟ ରହଣି ପରେ ମାଁ ସମଲେଶ୍ୱରୀଙ୍କ ମନ୍ଦିର ଅଭିମୁଖେ ବାହାରିଥିଲେ। ସେଠାରେ ୪ଟା ୫୦ରେ ମା’ସମଲେଶ୍ୱରୀଙ୍କ ଆଳତିରେ ଭାଗ ନେଇ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ ଉତ୍ସବରେ ଯୋଗ ଦେବାକୁ ବାହାରିଥିଲେ। ନୂଆଁଖାଇ ଭେଟ୍ଘାଟ ଉତ୍ସବରେ ଆୟୋଜକ କମିଟି ସଭାପତି ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଉତ୍ସବରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ସୁରେଶ ପୂଜାରୀ, ରବିନାରାୟଣ ନାଏକ, ମୁକେଶ ମହାଲିଙ୍ଗଙ୍କ ସମେତ ରେଢ଼ାଖେଲା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ବକ୍ତବ୍ୟ ଦେଇଥିଲେ। ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ ଗଡ଼ିଆ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ଜିଲାପରିଷଦ ଅଧ୍ୟକ୍ଷା କୁମୁଦିନୀ ନାଏକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତନ ବିଧାୟକ ନାଉରି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।