ମା’ମହିଷାଶୁଣୀଙ୍କ ପୀଠ ଅବ୍ୟବସ୍ଥା ନେଇ ଅସନ୍ତୋଷ 

 ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକର ଜଗନ୍ନାଥପ୍ରସାଦ ପଞ୍ଚାୟତ ଅଧିନ ଦରଦା ଗ୍ରାମସ୍ଥିତ ମା’ ମହିଷାଶୁଣୀଙ୍କ ପୀଠରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଅଞ୍ଚଳବାସୀ ଓ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଖଣ୍ଡପଡ଼ା ଦେବୋତ୍ତର ବିଭାଗ ଦ୍ୱାରା ମା’ମହିଷାଶୁଣୀଙ୍କ ମନ୍ଦିରଟି ପରିଚାଳିତ ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ  ମନ୍ଦିରର ଦୈନନ୍ଦିନ ନୀତିକାନ୍ତି ଓ ମନ୍ଦିର ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଛି । ଉକ୍ତ  ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ଦୂରାବସ୍ଥାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରି ଆସୁଥିବା ବେଳେ କୂଅର ଦୂଷିତ ଜଳରେ ଠାକୁରାଣୀଙ୍କର ନୀତିକାନ୍ତି ସମ୍ପନ୍ନ ହେଉଥିବା ଅଞ୍ଚଳବାସୀଙ୍କ ସୁତ୍ରରୁ ଜଣାପଡିଛି । ସେହିପରି ମନ୍ଦିର ପରିସରସ୍ଥିତ ନଳକୂପରୁ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁ ଥିବାରୁ ମନ୍ଦିରକୁ ଦର୍ଶନ ଓ ଭୋଗଲାଗି ନିମନ୍ତେ ଆସୁଥିବା ଜନସାଧାରଣ ବିଭିନ୍ନ ସମୟରେ ପାନୀୟଜଳ ମୁନ୍ଦାଏ ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଏହି ପ୍ରାଚୀନ ଶକ୍ତିପୀଠ ପ୍ରତି ପ୍ରଶାସନ ଓ ଦେବୋତ୍ତର ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଜଗନ୍ନାଥପ୍ରସାଦ ପଞ୍ଚାୟତବାସୀ ଦାବି କରିଛନ୍ତି ।