ମାଲକାନଗିରିରେ ଲଗାଣ ବର୍ଷା : ବୁଡିଲା ପୋଲ, ଯାତାୟତ ବାଧାପ୍ରାପ୍ତ

 ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗତକାଲି ସକାଳ ୮ଟା ରୁ ଆଜି ସକାଳ ୮ଟା ମଧ୍ୟରେ ଜିଲ୍ଲାରେ ମୋଟ ୪୯୨.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ହାରାହାରି ମୋଟ ୭୦.୩୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ସକାଳୁ ପୋଲ ଉପର ଦେଇ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି । ଜିଲ୍ଲାର ପୋଟେରୁ ଓ ଏମ. ଭି-୯୬ ପୋଲ ଦେଇ ପ୍ରବାହିତ ହେଉଥିବା ବନ୍ୟା ଜଳ ହ୍ରାସ ପାଇଥିବା ବେଳେ କାଙ୍ଗୁରୁକୋଣ୍ଡା ଓ କନ୍ୟାଶ୍ରମ ନିକଟସ୍ଥ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଜଣାପଡିଛି । ଫଳରେ ମାଲକାନଗିରି ଜିଲ୍ଲା ସଦର ମହକୁମାରୁ କାଲିମେଳା, ଏମ.ଭି-୭୯ ଓ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏଥିସହ କାଲିମେଳା ବ୍ଲକ ଠାରୁ ପଡ଼ିଆ ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ପୋଲଗୁଡିକର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିବା ଦେଖାଯାଇଛି । ଏଥିସହ ମାଲକାନଗିରି ବିମାନ ବନ୍ଦରର ପାଚେରୀର ପ୍ରାୟ ୨୦ ଫୁଟ ଭାଙ୍ଗି ଯାଇଥିବା ଦେଖାଯାଇଛି । ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଜି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଫିଲ୍ଡ କର୍ମଚାରୀଙ୍କୁ ନିଦେ୍ର୍ଦଶ ଦିଆଯିବା ସହ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ବନ୍ୟା ପରିସ୍ଥିତି ଉପୁଜିଲେ, ଓଡ୍ରାଫ୍ ଟିମ୍ କୁ ପ୍ରସ୍ତୁତ ହୋଇ ରହିବାକୁ ମଧ୍ୟ ନିଦେ୍ର୍ଦଶ ଦିଆଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।