ସ୍ୱୟଂ ସହାୟିକା ଗୋଷ୍ଠୀର ପ୍ରୋତ୍ସାହନ ରାଶି ହଡ଼ପ
ଗୋଳାମୁଣ୍ଡା : ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ଦିଗରେ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମତ୍ସ୍ୟ ବିଭାଗ ପକ୍ଷରୁ ମଧ୍ୟ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ମତ୍ସ୍ୟ ଚାଷ ନିମନ୍ତେ ସରକାରୀ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି । ହେଲେ ଏହି ରାଶିକୁ ଗ୍ରୁପର ସଦସ୍ୟାଙ୍କ ଅଜାଣତରେ ଗ୍ରୁପର ସଭାନେତ୍ରୀ ଓ ସମ୍ପାଦିକା ତଞ୍ଚକତା କରି ହଡ଼ପ କରିଥିବା ନେଇ ଧର୍ମଗଡ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି ଅନ୍ୟ ସମସ୍ୟମାନେ । ପ୍ରକାଶ ଯେ, ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ପଞ୍ଚାୟତ ଲିମସେର ଗାଁର ୧୦ଜଣ ମହିଳା ମିଶି ମା'ଧରଣୀ ସ୍ୱୟଂ ସହାୟିକା ଗୋଷ୍ଠୀ କରିଥିଲେ । ସେମାନେ ଲିମସେର ଗ୍ରାମର ଦୁଲ୍କି ସାଗର ନାମକ ଏକ ପୋଖରୀ ନିଲାମରେ ସାମିଲ ହୋଇ ମାଛ ଚାଷ ପାଇଁ ୫ ବର୍ଷ ପାଇଁ ଲିଜ୍ରେ ନେଇଥିଲେ । ସରକାରଙ୍କ ନିୟମ ମୁତାବକ ପୋଖରୀରେ ମାଛ ଚାଷ ପାଇଁ ମହିଳାଙ୍କୁ ସରକାରୀ ପ୍ରୋତ୍ସାହନ ରାଶି ଯୋଗାଇ ଦେଇଥାନ୍ତି । ଏହା ଜାଣିବା ପରେ ଗୋଷ୍ଠୀର ସମସ୍ତ ମହିଳାମାନେ ଏକ ବୈଠକ କରି ସରକାରୀ ପ୍ରୋତ୍ସାହନ ରାଶି ନିମନ୍ତେ ଆବେଦନ କରିଥିଲେ । ଆବେଦନ ଅନୁସାରେ ସରକାର ମା’ଧରଣୀ ସ୍ୱୟଂ ସହାୟିକା ଗୋଷ୍ଠୀର ବ୍ୟାଙ୍କ ଆକାଉଣ୍ଟରେ ପ୍ରୋତ୍ସାହନ ରାଶି ଯୋଗାଇ ଦେଇଥିଲେ । କିନ୍ତୁ ତଞ୍ଚକତା କରି ଗୋଷ୍ଠୀର ସଭାନେତ୍ରୀ ରୁକ୍ମିଣୀ ମଙ୍ଗରାଜ ଓ ସଂପାଦିକା ସଭ୍ୟା ପଟେଲ ଉକ୍ତ ପ୍ରୋତ୍ସାହନ ରାଶିକୁ ବ୍ୟାଙ୍କରୁ ଉଠାଣ କରି ନେଇଥିବା ଅଭିଯୋଗରେ ଗ୍ରୁପର ଅନ୍ୟ ସଦସ୍ୟାମାନେ ପୂର୍ବରୁ ଗୋଲାମୁଣ୍ଡା ଥାନାରେ ଏତଲା ଦିଆଯାଇଥିଲେ । ହେଲେ ଏଥିରେ କୌଣସି ସୁଫଳ ମିଳିପାରିନଥିବାରୁ ସଂଘର ସଦସ୍ୟ ଦେବକୀ ଭୋଇ ଏବଂ ରଜନୀ ପଟେଲ ଧର୍ମଗଡ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ହଡପ କରିଥିବା ସମସ୍ତ ସରକାରୀ ପ୍ରୋତ୍ସାହନ ରାଶି ସଭାନେତ୍ରୀ ଓ ସମ୍ପାଦିକା ଫେରସ୍ତ କରିବା ପାଇଁ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତୀର୍କିଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିବା ମହିଳାମାନେ ପ୍ରକାଶ କରିଛନ୍ତି ।