ରକ୍ତଦାନ ଶିବିର, ୧୧୧ ୟୁନିଟ୍ ରକ୍ତ ସଂଗ୍ରହ

 ତାଳଚେର: ଡିଏଭି ଜଗନ୍ନାଥ କ୍ଷେତ୍ରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଏମସିଏଲ ଜଗନ୍ନାଥ କୋଇଲା କ୍ଷେତ୍ରର ପ୍ରବନ୍ଧକ ଅଶୋକ କୁମାର ଧଳ ମୁଖ୍ୟ ଅତିଥିଭାବେ ନିମନ୍ତ୍ରିତ ହୋଇ ଉଦଘାଟନ କରିଥିଲେ । ଜଗନ୍ନାଥ କୋଇଲା କ୍ଷେତ୍ରର ଅନ୍ୟାନ୍ୟ ବ୍ୟକ୍ତି ମଧ୍ୟ ଶିବିରରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅନ୍ୟାନ୍ୟ କର୍ମଚାରୀ ତଥା ଅବିଭାବକଗଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ସମୁଦାୟ ୧୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା  । ବିଦ୍ୟାଳୟର ସ୍କାଉଟ ଗାଇଡ, ରେଡକ୍ରସ, ଏନସିସି ଛାତ୍ରଛାତ୍ରୀ ଓ ସମାଜସେବୀ କ୍ଷୀରୋଦ ସାହୁ ଏହି ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କ ସହାୟତା କରିଥିଲେ । ସମାଜସେବୀ ଯୋଗେନ୍ଦ୍ର ବେହେରା ଶିବିରଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ରକ୍ତଦାନ ମହତ ଦାନ ଏହି ଉକ୍ତିକୁ ପ୍ରକୃତରେ ସାର୍ଥକ କରିବା ନିମନ୍ତେ ବିଦ୍ୟାଳୟସ୍ତରରୁ ପିଲାମାନଙ୍କୁ ସଚେତନ କରାଇବା ଆବଶ୍ୟକତା ରହିଛି ବୋଲି ବିଦ୍ୟାଳୟର ଅଧ୍ୟକ୍ଷା ଶୁକ୍ଳା ଚକ୍ରବର୍ତ୍ତି ମତବ୍ୟକ୍ତ କରିଥିଲେ । ଏଭଳି ମହତ କାର୍ଯ୍ୟକ୍ରମ ଆୟୋଜନ କରି ବିଦ୍ୟାଳୟରେ ଶୈକ୍ଷିକ ବାତାବରଣକୁ ବୃଦ୍ଧି କରିଥିବାରୁ ବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ଅଭିଭାବକମାନେ ପ୍ରଶଂସା କରିଥିଲେ ।