ମିଲରଙ୍କ ମନମାନି; ରାସ୍ତାରେ ଧାନ ରଖି ଚାଷୀଙ୍କ ପ୍ରତିବାଦ

ମିଲରଙ୍କ ମନମାନି; ରାସ୍ତାରେ ଧାନ ରଖି ଚାଷୀଙ୍କ  ପ୍ରତିବାଦ

ସିଂହପୁର-ବିଞ୍ଝାରପୁର : ଧାନ କିଣାରେ ସ୍ୱଚ୍ଛତା ରହିବ । କଟନି ଛଟନିକୁ ପ୍ରସୟ ଦିଆଯିବନି । ଯିଏ ମନମାନି କରିବ, ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟ ସରକାରଙ୍କ ଠାରୁ ଜିଲା ପ୍ରଶାସନ ଚାଷୀଙ୍କ ଠାରୁ ଧାନ କିଣା ପୂର୍ବରୁ କହିଥିଲେ । ହେଲେ ମିଲରଙ୍କ ମନମାନି ବାରମ୍ବାର ଦେଖିବାକୁ ମିଳୁଛି । ଧାନ ଧରି ଆସୁଥିବା ଚାଷୀଙ୍କ ଠାରୁ ସହସା ମଣ୍ଡିରୁ ମିଲର ଧାନ ଉଠାଉନି । ଯାହାକୁ ନେଇ ଜିଲାର ବିଭିନ୍ନ ସ୍ଥାନରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳୁଛି । କୋଉଠି ଚାଷୀ ବିଭାଗୀୟ ଅଧିକାରୀଙ୍କୁ ଘଂଟାଘଂଟା ଧରି ଅଟକ ରଖୁଛନ୍ତି ତ କୋଉଠି ଚାଷୀ ଧାନ ରଖି ରାସ୍ତା ଅବରୋଧ କରୁଛନ୍ତି । ଏଭଳି ଚିତ୍ର ଆଜି ବିଞ୍ଝାରପୁରରେ ଦେଖିବାକୁ ମିଳିଛି । ବିଞ୍ଝାରପୁର ବ୍ଲକରେ ଖୋଲା ଯାଇଥିବା ଧାନ ମଣ୍ଡିକୁ ମିଲର ଗାଡି ପଠାଉ ନଥିବାରୁ ୫/୬ଦିନ ହେଲା ଚାଷୀଙ୍କ ଧାନ ପଡ଼ିରହିଛି । ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେବି  କୌଣସି ପଦକ୍ଷେପ ନିଆଗଲାନି । ଯାହାକୁ ନେଇ ଆଜି ଚିକଣା ପଂଚାୟତର ଶତାଧିକ ଚାଷୀ ଯାଜପୁର-ସିଂହପୁର ରାସ୍ତାର ଅରେଇ ଛକରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଥିଲେ । ଚାଷୀ ଅଜୟ ପଣ୍ଡା, ସୁରଥ ପଣ୍ଡା, ଉଦୟ ପଣ୍ଡା, ଚନ୍ଦ୍ରଶେଖର ମହାପାତ୍ର, ନିଧି ଦାସ, ସୀତାକାନ୍ତ ସାମଲଙ୍କ ସମେତ ଶହ ଶହ ଚାଷୀ ଅନଶନରେ ବସିଥିବା ବେଳେ ବ୍ଲକ୍ ବିଜେଡ଼ି ସଭାପତି ତଥା ଜିଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ ଓ ସାସନ୍ଦା ସରପଂଚ କାମଦେବ ଧଳ ସମର୍ଥନ ଜଣାଇ ଅନଶନରେ ବସିଥିଲେ । ଚାଷୀଙ୍କ ଅଭିଯୋଗ ମତେ ଚିକଣା କୃଷି ସମବାୟ ସମିତି ମଣ୍ଡିରେ ଧାନ ପଡ଼ି ରହିଥିବା ବେଳେ ମିଲର ଗାଡି ଦେଉନି । ଏହାସହ ମିଲର ଜୋରଜବରଦସ୍ତ ୫/୬ କିଲୋ ଧାନ କାଟୁଛନ୍ତି । ତାପରେ ବି ସେମାନେ ମଣ୍ଡିକୁ ଗାଡି ପଠାଉ ନାହାନ୍ତି । ଯେଉଁଥିପାଇଁ ଧାନ ମଣ୍ଡିରେ ୫/୬ ଦିନ ଧରି ପଡିରହୁଛି । ଯେ ପର୍ଯ୍ୟନ୍ତ ସରକାର ଚାଷୀଙ୍କ ଦୁଃଖ ନବୁଝିଛନ୍ତି ସେ ପର୍ଯ୍ୟନ୍ତ ଚାଷୀମାନେ ରାସ୍ତାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଁଚି ଚାଷୀଙ୍କୁ ରାସ୍ତା ଅବରୋଧକୁ ପ୍ରତ୍ୟାହାର କରିବାକୁ ବୁଝାସୁଝା କରିଥିଲା । ମାତ୍ର ମିଲର ଧାନ ନନେବା ପର୍ଯ୍ୟନ୍ତ ହଟିବେ ନାହିଁ ବୋଲି ଜଣାଇ ଦେଇଥିଲେ । ପରେ ଘଟଣା ସ୍ଥଳରେ ଅତିରିକ୍ତ ତାସସିଲଦାର, ଥାନା ଅଧିକାରୀ ପ୍ରମୁଖ ପହଁଚି ଜିଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରଶାସନ ପକ୍ଷରୁ ଗାଡି ପଠାଯାଇ ଚାଷୀଙ୍କ ଠାରୁ ଧାନ ନିଆଯିବା ପରେ ଚାଷୀ ରାସ୍ତାରୁ ଉଠିଥିଲେ ।