ଜିଲ୍ଲା ପରିଷଦ ବୈଠକରେ ଅମର-ଗଣେଶ୍ୱର ମୁହାଁମୁହିଁ
ଯାଜପୁର : ବୁଧବାର ଯାଜପୁର ଜିଲା ପରିଷଦର ଷଷ୍ଠ ସାଧାରଣ ବୈଠକରେ ବଡ଼ଚଣା ବିଧାୟକ ଅମର ନାୟକ ଏବଂ ଜିଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ମୁହାଁମୁହିଁ ହୋଇଥିଲେ । ଗୋଟେ ପଟେ ବିଧାୟକ ଅମର ତ ଅନ୍ୟ ପଟେ ଜିଲାପରିଷଦ ସଭ୍ୟ ମୁହାଁ ମୁହିଁ ହୋଇ ଦୀର୍ଘ ସମୟ ପର୍ଯ୍ୟନ୍ତ କଥାକଟାକଟି ହୋଇଥିଲେ । ଯେଉଁଠିକି ଉପସ୍ଥିତ ଅନ୍ୟମାନେ କିଂକର୍ତବ୍ୟ ବିମୁଢ ହୋଇ ଚାହିଁରହିଥିଲେ । ପୂର୍ବାହ୍ନ ୯ଟାରେ ଜିଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା ବୈଠକ । ବିଜେଡି ଜିଲାପରିଷଦ ଉପାଧ୍ୟକ୍ଷ ଶ୍ରୀ ବରାଳ ଏବଂ ବିଜେପି ବିଧାୟକଙ୍କ ମଧ୍ୟରେ ଯୁକ୍ତି ତର୍କ ଓ ଆକ୍ଷେପ ଓ ପ୍ରତି ଆକ୍ଷେପ କରିଚାଲିଥିଲେ । ଉପାଧ୍ୟକ୍ଷ ଶ୍ରୀ ବରାଳ ନିଜ ଆସନ ଛାଡ଼ି ତଳକୁ ଆସି ସରକାରୀ କାର୍ଯ୍ୟକ୍ରମରେ ଜିଲା ପରିଷଦ ସଦସ୍ୟ ମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଥିଲେ । ରାଜ୍ୟରେ ନୂତନ ସରକାର ଆସିବା ପରେ ଏହି ସମସ୍ୟା ଦେଖାଦେଇଥିବା ଅଭିଯୋଗ କରିଥିଲେ । ଏଥିସହିତ ସଦସ୍ୟ ମାନଙ୍କୁ ମିଳୁଥିବା ଭତା ବୃଦ୍ଧି କରିବା, ହାତ ପାଣ୍ଠି ବୃଦ୍ଧି କରିବା ପାଇଁ ଦାବି କରିଥିଲେ । ଏପରିକି ତାଙ୍କ ଏରିଆରେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଜିଲା ପରିଷଦ ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଉନଥିବା ଏପରିକି ସେମାନଙ୍କୁ ଅପମାନ ଦିଆଯାଉଥିବା ଅଭିଯୋଗ କରିଥିଲେ । ସରକାରୀ ଫଳକରେ ସରପଂଚ, ସମିତିସଭ୍ୟ ମାନଙ୍କ ନାମ ରହୁଥିବା ବେଳେ ଜିଲା ପରିଷଦ ସଦସ୍ୟ ମାନଙ୍କ ନାମ କାହିଁକି ରହୁନାହିଁ ବୋଲି ବଡଚଣାର ଉଦାହରଣ ଦେଇ ଅଭିଯୋଗ କରିଥିଲେ । ଯାହାକୁ ସହଜରେ ହଜମ କରିପାରିନଥିଲେ ବିଧାୟକ ଅମର ନାୟକ । ଏହାର ଉତର ଦେବାକୁ ଯାଇ ବିଧାୟକ ଅମର ଗଣେଶ୍ୱରଙ୍କୁ ଜିଲା ପରିଷଦ ଉପାଧ୍ୟକ୍ଷ ବୋଧେ ବୋଲି ସମ୍ବୋଧନ କରିବା କ୍ଷଣି ସେ ଏହାର ପ୍ରତିବାଦ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ କଥାକଟାକଟି ଚାଲିଥିଲା । ଗଣେଶ୍ୱରଙ୍କୁ ସମର୍ଥନ ଜଣାଇ ସମସ୍ତ ଜିଲା ପରିଷଦ ସଦସ୍ୟ ଆସନରୁ ଉଠିପଡ଼ିଥିଲେ । ଜିଲାପାଳ ପି.ଅନ୍ୱେଷା ରେଡ୍ଡି ଏଥିରେ ହସ୍ତକ୍ଷେପ କରି ଆଗାମୀ ଦିନରେ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।