ପୁଅର କାଠ ଫାଳିଆ ମାଡ଼ରେ ବାପା ମୃତ, ଅଭିଯୁକ୍ତ ପୁଅ ଗିରଫ

ପୁଅର ଏକା ଜିଦ୍ ବାହା ହେବ । ହେଲେ ବାପା ଚାହୁଁଥିଲେ ପୁଅ ଆଗ ଭଲକରି କାମ ଧନ୍ଦା କରୁ, ତା' ପରେ ଯାଇ ବାହାଘର । କାମଧନ୍ଦା କରିବା ପରେ ଝିଅ ବାହା ହେବା ପାଇଁ ବାପା ତାଙ୍କୁ ପରାମର୍ଶ ଦେଉଥିଲେ । ଏହି ଘଟଣାକୁ ନେଇ ବାପା ପୁଅଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଗତକାଲି ରାତିରେ ଏହି କଥାକୁ ନେଇ ଉଭୟ ବାପ ପୁଅଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା, ଆଉ ତା'ପରେ ଉତକ୍ଷିପ୍ତ ହୋଇ ଉଠିଥିଲା ସୈତାନ୍ ପୁଅ । କେହି କିଛି ବୁଝିବା ଆଗରୁ ଏକ କାଠ ଫାଳିଆ ନେଇ ସିଧା ବାପାଙ୍କ ମୁଣ୍ଡକୁ ପିଟିଦେଇଥିଲା । ପୁଅର କାଠ ଫାଳିଆ ମାଡରେ ବାପାର ଜୀବନ ଯାଇଛି । ମୃତକଙ୍କ ନାମ ହେଉଛି ଅଜୟ ସେଠି (୫୦) । ଏ ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ହତ୍ୟାକାରୀ ପୁଅ ବିକାଶ ସେଠୀକୁ ଗିରଫ କରିଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳର ୧୩ ନଂ ୱାର୍ଡ ବାଂଶପାଣି ଟୋଲ ଗେଟ ନିକଟରେ ଘଟିଛି ଏହି ଘଟଣା । ପରିବାର ଲୋକେ ମୂମୂର୍ଷ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ଷ୍ଟିଲ ହସ୍ପିଟାଲକୁ ନେଇଥିଲେ, ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ଯୋଡ଼ା ପୋଲିସ୍ ଘଟଣାର କରି ଛାନ୍ ଭିନ୍ ଆରମ୍ଭ କରିଛି । ଏନେଇ ମୃତକ ଅଜୟ ସେଠୀଙ୍କ ପତ୍ନୀ ଗୁରୁବାରି ସେଠୀ ଯୋଡ଼ା ଥାନାରେ ଅଭିଯୋଗ କରିଛନ୍ତି । ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ପୁଅ ବିକାଶ ସେଠୀକୁ ଗିରଫ କରି ଅଧିକ ପଚରାଉଚରା କରୁଛି ।