ଘଡ଼ାଇ ଗଡ଼ରେ  ଟୁଟୁଙ୍କ ରାଜ୍...


ସୁକିନ୍ଦାରେ ଦୀର୍ଘ ଚାରିି ଦଶନ୍ଧୀ ଧରି ଶାସନ କରି ଆସୁଥିବା ଘଡେଇ ପରିବାରକୁ କ୍ଷମତାଚୁ୍ୟତ କରି ପ୍ରଦୀପ ବଳସାମନ୍ତ ଓରଫ ଟୁଟୁ ବଳ କ୍ଷମତା ଦଖଲ କରିଛନ୍ତି । ଏକଦା ପ୍ରଫୁଲ୍ଲ ଘଡାଇଙ୍କ ଶିଷ୍ୟ ଭାବରେ ପରିଚିତ ଟୁଟୁ ବଳ ସୁକିନ୍ଦାରେ ପ୍ରଥମ କରି ବିଜେପିର ପତାକା ଉଡାଇଛନ୍ତି । ନୂଆ ସରକାରରେ ମଧ୍ୟ ଜିଲାରୁ ଏକମାତ୍ର ମନ୍ତ୍ରୀ ହେବାର ବି ସୁଯୋଗ ପାଇଛନ୍ତି । ଖଣି ଖାଦାନ ଆଉ ଶିଳ୍ପର ଭଣ୍ଡାର ସାଜିଥିବା ସୁକିନ୍ଦା ରାଜନୀତିରେ କ୍ଷମତା ପରିବର୍ତନ ଜିଲା ରାଜନୀତିକୁ ବହୁ ଭାବରେ ପ୍ରଭାବିତ କରିଛି । କିନ୍ତୁ ପରାଜୟକୁ ସହଜରେ ଗ୍ରହଣ କରି ପାରୁନଥିବା ପ୍ରଫୁଲ୍ଲ ଆଉ ପ୍ରୀତିରଞ୍ଜନ ନିୟମିତ ବ୍ୟବଧାନରେ ନିର୍ବାଚନ ମଣ୍ଡଳୀ ସହ ସମ୍ପର୍କ ରଖିବା ଏବଂ ସଙ୍ଗଠନକୁ ସକ୍ରିୟ ରଖିବାରେ ଲାଗି ପଡିଛନ୍ତି । ସେପଟେ ଟୁଟୁ ଖଣି ଅଞ୍ଚଳରେ ନିଜର ସଙ୍ଗଠନକୁ ଏହା ମଧ୍ୟରେ ଦ୍ୱିଗୁଣିତ କରିବାରେ ଲାଗିପଡ଼ିଛନ୍ତି । ତେବେ ବର୍ଷ ୨୦୨୪ରେ ଟୁଟୁଙ୍କ ପାଇଁ ବିସ୍ଥାପନ ବିରୋଧୀଙ୍କ ମେଳି, ଟାଟା ନିଳାଚଳରେ ନିଯୁକ୍ତି ଏବଂ ପ୍ରଦୂଷଣ ଆଦି ପ୍ରସଙ୍ଗକୁ ଖିଅକରି ଯେଉଁ ଅସନ୍ତୋଷ ଦେଖିବାକୁ ମିଳିଥିଲା ତାହା ପୁରା ସୁକିନ୍ଦା ରାଜନୀତିକୁ ପ୍ରଭାବିତ କରିଥିଲା । ନୂଆପୀଢିଙ୍କୁ ରାସ୍ତା ଛାଡି ଦେଇ ୨୦୨୪ରେ ସୁକିନ୍ଦା କଂଗ୍ରେସର ଆପାତଃତ ବିଶ୍ରାମ ନେଇଗଲେ ପୂର୍ବତନ ବିଧାୟକ ଓ ମନ୍ତ୍ରୀ ଶରତ ରାଉତ ।