ମିଲରଙ୍କ ମର୍ଜିରେ ଧାନମଣ୍ଡି : ୨୨ଦିନ ହେଲା ମଣ୍ଡିରେ ପଡିଛି ୧୨ ଶହ କ୍ୱିଣ୍ଟାଲ ଧାନ
ରାଜନଗର : ଚାଷୀମାନଙ୍କ ବଳକା ଧାନ କିଣିବା ପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରିଥିବା ପ୍ରଚାର ଚାଲିଛି । ଚାଷୀମାନଙ୍କ ସ୍ୱାର୍ଥ କୌଣସି ପ୍ରକାର ବ୍ୟାହତ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତେ ଦୋହରାଇ ଚାଲୁଛନ୍ତି । ମାତ୍ର ବାସ୍ତବସ୍ଥିତି ନିଆରା । ଚାଷୀମାନେ ଦୀର୍ଘ ୨୨ଦିନ ଧରି ମଣ୍ଡିରେ ଧାନ ରଖି ଶୀତ କାକରରେ ପଡି ରହିଥିଲେ ମଧ୍ୟ ମିଲରଙ୍କ ଦେଖା ନଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ କରିଛନ୍ତି ରାଜନଗର ବ୍ଲକ ତାଳଚୁଆ ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ବଳରାମ ମଣ୍ଡଳ । ଶ୍ରୀ ମଣ୍ଡଳ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, ୨୦୨୪-୨୫ବର୍ଷରେ ସମିତି ଅଧିନରେ ଥିବା ତାଳଚୁଆ ମଣ୍ଡିରେ ୨୬୨ଜଣ ଓ ରଙ୍ଗଣୀ ମଣ୍ଡିରେ ୧୮୦ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିଛନ୍ତି ।
୩୧ହଜାର କୁଇଣ୍ଟାଲ ଧାନ ଚାଷୀମାନେ ଦେବାକୁ ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ଏଯାବତ୍ ଦୁଇଟି ମଣ୍ଡିର ଟାର୍ଗେଟ ମାତ୍ର ୨୩ଶହ କୁଇଣ୍ଟାଲ ଆସିଛି । ସେଥିମଧ୍ୟରୁ ମିଲରମାନେ ୧ହଜାର ୬୪କୁଇଣ୍ଟାଲ ଧାନ ନେଇଛନ୍ତି । ଅବଶିଷ୍ଟ ଧାନ ପ୍ରାୟ ୧୨ଶହ କୁଇଣ୍ଟାଲ ଧାନ ମଣ୍ଡିରେ ୨୨ଦିନ ହେବ ପଡି ରହିଥିଲେ ମଧ୍ୟ ମିଲରଙ୍କ ଦେଖାନାହିଁ । ଫେବୃୟାରୀ ୮ତାରିଖ ସୁଦ୍ଧା ୮୧ଜଣ ଚାଷୀଙ୍କ ଟୋକନର ଅବଧି ପୂରି ଯାଉଛି । ଏହାବାଦ୍ ଜାନୁୟାରୀ ମାସ ୧୪, ୧୭ ଓ ୧୯ତାରିଖରେ ଆସିଥିବା ଟୋକନ ପାଇଁ ଚାଷୀମାନେ ସମିତିକୁ ବାରମ୍ବାର ଦୈ÷ାଡୁଛନ୍ତି । ମିଲରମାନେ ନଆସିଲେ ଚାଷୀମାନଙ୍କର ଧାନ ସମିତି କ୍ରୟ କରିପାରିବ ନାହିଁ । ମିଲରମାନେ ମଣ୍ଡିକୁ ଆସି ଧାନ ନେବା ଓ ୧୫ହଜାର କୁଇଣ୍ଟାଲ ଧାନର ଟାର୍ଗେଟ ନଆସିଲେ ଚାଷୀମାନେ କ୍ଷତିଗ୍ରସ୍ତ ହେବେ । ଏନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ସେମାନେ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଥିବା ସମିତି ପରିଚାଳନା ପରିଷଦ ସଭାପତି ଶ୍ରୀ ମଣ୍ଡଳ ଉଲ୍ଲେଖ କରିଛନ୍ତି । ତୁରନ୍ତ ମିଲରମାନେ ମଣ୍ଡରୁ ଧାନ ନେବା ସହ ଅଧିକ ଧାନକ୍ରୟ ପାଇଁ ସମିତିକୁ ଅନୁମତି ଦେବା ପାଇଁ ସେ ନିବେଦନ କରିଛନ୍ତି । ଏହାର ଏକକିତା ନକଲ ଡେପୁଡି ରେଜିଷ୍ଟାର ସମବାୟ ସମିତି କେନ୍ଦ୍ରାପଡା, ଜିଲ୍ଲା ଯୋଗାଣ ଅଧିକାରୀ, ବିଧାୟକ ରାଜନଗର ଓ ତହସିଲଦାର ରାଜନଗରଙ୍କୁ ପ୍ରେରଣ କରିଛନ୍ତି ।