ଲମ୍ବୁଛି ଛତୁଆ କେଳେଙ୍କାରୀ ଚେର


 ରାଜନଗରରୁ ବସନ୍ତ ହାତୀ : ରାଜନଗର ବ୍ଲକରେ ଛତୁଆ କେଳେଙ୍କାରୀର ଚେର ଲମ୍ବିବାରେ ଲାଗିଛି । ଛତୁଆ ଯୋଗାଣକାରୀ ଗୋଷ୍ଠୀ ବଦଳିଲେ ମଧ୍ୟ ଛତୁଆରମାନ ବଦଳୁନାହିଁ । ଛତୁଆ କେଳେଙ୍କାରୀ କରି ଛତୁଆ ଯୋଗାଣକାରୀ ସଂସ୍ଥା ନିମ୍ନମାନର ଓ କମ ଓଜନ କମ ଛତୁଆ ବଂଟନ କରି ଲକ୍ଷଲକ୍ଷ ଟଙ୍କା ହଡପ କରୁଥିବା ବେଳେ ହିତାଧିକାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ଏହି ବ୍ଲକର ସାତଭାୟା ପଚାଂୟତର ମଗରକନ୍ଦା ଗ୍ରାମରେ ହିତାଧିକାରୀମାନଙ୍କୁ ବଂଟନ ହୋଇଥିବା ଶୁଖିଲା ଖାଦ୍ୟ(ହାଲୁଆ)ରେ ପୋକ ସାଲୁବାଲୁ ହେଉଥିବା ଅଭିଯୋଗ ହୋଇଛି । ଏହି ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ର ଅଧିନରେ ଶୁଖିଲା ଖାଦ୍ୟ (ଟିଏଚଆର) ନେଉଥିବା ୬ମାସରୁ ୩ବର୍ଷ ଶିଶୁ ୫୯ଜଣ ଅଛନ୍ତି । ଗର୍ଭବତୀ ମାଆ ୮ଜଣ ଥିବା ବେଳେ ପ୍ରସୂତୀ ମା’ ୭ଜଣ ଅଛନ୍ତି । କିଶୋରୀ ବାଳିକା ୩୦ଜଣ ରହିଛନ୍ତି । ମଗରକନ୍ଦା ଗ୍ରାମର ରମେଶ ମଳିକଙ୍କ ଅଭିଯୋଗ ଅନୁଯାୟୀ  ଛତୁଆରେ ବହୁ ପରିମାଣରେ ଚଷୁ ବାହାରିବା ସହିତ ହାଲୁଆରେ ପୋକ ଦେଖିବାକୁ ପାଇଥିଲେ । ଏକା ରମେଶ ନୁହଁନ୍ତି, ଏହି ଗ୍ରାମର ସୁଦାମ ମଳିକ ଓ ଯୋଗେନ୍ଦ୍ର ମଳିକ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ହିତାଧିକାରୀଙ୍କ ଅଭିଭାବକମାନେ ଅଙ୍ଗନବାଡି କର୍ମୀଙ୍କୁ ଜଣାଇବା ପରେ କର୍ମୀ ସତ୍ୟପ୍ରିୟା ନାୟକ ସୁପରଭାଇଜରଙ୍କୁ ଅବଗତ କରାଇଥିଲେ । ସୁପରଭାଇଜର ବିଜୟାଲକ୍ଷ୍ମୀ ସ୍ୱାଇଁ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ପରେ ସତ୍ୟ ଜାଣି ପାରିଥିଲେ । ଏନେଇ ଉଚ୍ଚ ପଦାଧିକାରୀଙ୍କୁ ଜଣାଇବେ ବୋଲି ସୁପରଭାଇଜର ଶ୍ରୀମତୀ ସ୍ୱାଇଁ ସୂଚନା ଦେଇଛନ୍ତି । ସୂଚନା ଥାଉକି, ରାଜନଗର ବ୍ଲକରେ୨୭୪ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ମା’ ବୁଢୀ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ବାଲିଚନ୍ଦ୍ରପୁର ୧୯୧ କେନ୍ଦ୍ର ଓ ମା ବିଶାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟାନ ୮୩ଟି କେନ୍ଦ୍ରକୁ ଛତୁଆ ଯୋଗାଇ ଆସୁଥିଲେ । ସେମାନଙ୍କ ବିରୁଦ୍ଧରେ ଅନିୟମିତତା ଅଭିଯୋଗ ହୋଇ ଆସୁଥିଲା । ତାଙ୍କ ବଦଳରେ ଆଳି ବ୍ଲକର ମା’ ଦୂର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ବେଲାରୀ ଓ ମହାକାଳପଡା ବ୍ଲକର ଶ୍ରୀଶ୍ରୀ ପୁରୁଷୋତ୍ତମ ସ୍ୱୟଂ ସହାୟକ ଗୋଷ୍ଠୀ ବଉଳପଡା ଛତୁଆ ଯୋଗାଉଛନ୍ତି ।